ଓଡ଼ିଶା ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟିକ ସମ୍ମିଳନୀ ଆୟୋଜିତ...
ଓଡ଼ିଆ ସାହିତ୍ୟର ଇତିହାସ ସମୃଦ୍ଧ ଓ ଭବିଷ୍ୟତ ଉଜ୍ଜ୍ୱଳ: ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମିଳିତ ସହଯୋଗରେ ଆଜି ପୁରୀ ଜିଲ୍ଲା ସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ପରିସରରେ "ଓଡ଼ିଶା ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟିକ ସମ୍ମିଳନୀ-୨୦୨୬" ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ଓଡ଼ିଆ ଭାଷା ହେଉଛି ଆମ ପରିଚୟ। ଓଡ଼ିଆ ସାହିତ୍ୟର ଇତିହାସ ସମୃଦ୍ଧ ଏବଂ ଭବିଷ୍ୟତ ଉଜ୍ଜ୍ୱଳ। ବହୁ ସାରସ୍ୱତ ସାଧକମାନଙ୍କର ଲେଖନୀ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି।
ଅତୀତରୁ ନେଇ ବର୍ତ୍ତମାନର କୃତ୍ରିମ ବୁଦ୍ଧିମତାର ଯୁଗରେ ମଧ୍ୟ ଓଡ଼ିଆ ସାହିତ୍ୟ ସଦା ସର୍ବଦା ସମାଜର ବାସ୍ତବତାକୁ ପ୍ରତିଫଳିତ କରିଛି।
ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଆଗେଇ ନେବାରେ ଓଡ଼ିଶା ସାହିତ୍ୟ ମହୋତ୍ସବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।
ଆଗାମୀ ଦିନରେ ଓଡ଼ିଶାର ଯୁବ ସାହିତ୍ୟିକମାନେ ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାର ଓ ପ୍ରସାର ପାଇଁ ନିଜର ନିରନ୍ତର ପ୍ରୟାସ ଜାରି ରଖନ୍ତୁ ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ "ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ବୈଚିତ୍ର୍ୟ", "ଜଗନ୍ନାଥ ଦାସଙ୍କ ଭାଗବତର ଅନୁବାଦ ବୈଶିଷ୍ଟ୍ୟ", "ଏକବିଂଶ ଶତାବ୍ଦୀର ସାହିତ୍ୟରେ ରାଷ୍ଟ୍ରବୋଧ" ଆଦି ବିଷୟ ବସ୍ତୁକୁ ନେଇ ଆଲୋଚନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର, ଓଡ଼ିଆ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟ ନାରାୟଣ ଆଚାର୍ଯ୍ୟ, ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସଭାପତି ଡ଼. ଅଭୟ କୁମାର ନାୟକ, ସାଧାରଣ ସମ୍ପାଦକ ଡ଼. ସନ୍ତୋଷ କୁମାର ମହାପାତ୍ର, ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡ଼. ଦିଲୀପ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସମ୍ପାଦକ ଶ୍ରୀ ରାମକୃଷ୍ଣ ତ୍ରିପାଠୀ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।