"ଗଙ୍ଗା ଦଶହରା" କଣ ?

ଏହାର ପ୍ରଚ୍ଛଦ ପଟ ରହସ୍ୟ କଣ ରହିଛି ???

May 25, 2026 - 17:03
 8
"ଗଙ୍ଗା ଦଶହରା" କଣ ?

ଆମ ଭାରତୀୟ ପରଂପରାରେ ତିନୋଟି (୩)ଦଶହରା ପାଳନର ବିଧି ରହିଛି l 

ଗୋଟିଏ ଦେବୀ ଦୁର୍ଗାଙ୍କ ଶାରଦୀୟ ଦୁର୍ଗାପୂଜା ନାମରେ ସର୍ଵଜନ ବିଦିତ l 

ଦ୍ୱିତୀୟ ଚୈତ୍ର ବାସନ୍ତୀକ ଦୁର୍ଗାପୂଜା ଏବଂ ଅନ୍ୟଟି ଗଙ୍ଗାଦଶହରା ଯାହା ତ୍ରିତାପ ହାରିଣୀ ଭଗବତୀ ଗଙ୍ଗାଙ୍କ ଧରାବତରଣ ଉତ୍ସବ l 

ଜ୍ୟେଷ୍ଠ ଶୁକ୍ଳଦଶମୀ ଦିନ *ଗଙ୍ଗାଦଶହରା* ପାଳିତ ହୋଇଥାଏ l ପରମ ପାବନି ଗଙ୍ଗା ପ୍ରାଣୀର ଦଶବିଧ ପାପହରଣ କରିବା ନିମନ୍ତେ ସମର୍ଥ l ତେଣୁ ତାଙ୍କର ଆବିର୍ଭାବ ତିଥିକୁ *ଗଙ୍ଗାଦଶହରା* ଭାବେ ପାଳନ କରାଯାଏ l 

ସେହି ଦଶବିଧ ପାପ --

ପ୍ରତିଦାନ ନ ଦେଇ ଅନ୍ୟର ବସ୍ତୁକୁ ଗ୍ରହଣ, ଶାସ୍ତ୍ର ବର୍ଜିତ ହିଂସା ଆଚରଣ, ପରସ୍ତ୍ରୀ ଗମନ, କଟୁ ଓ କୁବଚନ, ମିଥ୍ୟାଚାର, କୁତ୍ସାରଟନା, ନିଷ୍ପ୍ରୟୋଜନ ବାକ୍ୟାଳାପ, ଅନ୍ୟର ଦ୍ରବ୍ୟହରଣ, ଅନ୍ୟର ଅନିଷ୍ଟ ଚିନ୍ତା ଏବଂ ନାସ୍ତିକ ବୁଦ୍ଧି l

ଆଦି ଶଙ୍କରାଚାର୍ଯ୍ୟ "ତ୍ରିଭୁବନ ତାରିଣୀ ଗଙ୍ଗାଙ୍କ" ମହିମା ବର୍ଣ୍ଣନା କରିଛନ୍ତି |

ପୁରାଣ ବର୍ଣ୍ଣନା ଅନୁଯାୟୀ, ବାମନ ଅବତାରରେ ଭଗବାନ ବିଷ୍ଣୁ , ଯେତେବେଳେ ଦୈତ୍ୟରାଜ ବଳି ଠାରୁ ଏକ ପାଦ ଭୂମି ଗ୍ରହଣ କଲେ ତାହା ସମଗ୍ର ପୃଥିବୀକୁ ଆଚ୍ଛାଦିତ କରିଦେଲା l ତାଙ୍କ ଦ୍ୱିତୀୟ ପାଦ ସମସ୍ତ ଗ୍ରହ, ନକ୍ଷତ୍ର ଓ ଦେବଲୋକ ଲଂଘନ କରି ବ୍ରହ୍ମଲୋକରେ ପହଞ୍ଚିଲା l 

ସେହି ସମୟରେ ବ୍ରହ୍ମା ଭଗବାନ ବିଷ୍ଣୁଙ୍କ ଚକ୍ରକମଳାଦି ଅଙ୍କିତ ପଦ ଦର୍ଶନ କରି ପୁଲକିତ ହେଲେ l ଭକ୍ତିପୂତ ଚିତ୍ତରେ ସେ ନିଜ କମଣ୍ଡଳୁ ଜଳରେ ତାହାକୁ ଧୌତ କରି ଦେଲେ l 

ଶ୍ରୀ ବିଷ୍ଣୁଙ୍କ ପ୍ରସାଦ ଯୋଗୁଁ ତାଙ୍କର ସେ ଚରଣୋଦକ ଅକ୍ଷୟ ହୋଇଗଲା ଓ ସେହି ପୂତ, ନିର୍ମଳ ଜଳ ମେରୁପର୍ବତ ଶିଖରରେ ଝରିପଡ଼ିଲା ଏବଂ ବ୍ରହ୍ମାଣ୍ଡକୁ ପବିତ୍ର କରିବା ପାଇଁ ଚାରିଦିଗକୁ ବହି ଗଲା l ଚାରି ଦିଗକୁ ବହି ଯାଇଥିବା ସେହି ଧାରା ମଧ୍ୟରୁ ଦକ୍ଷିଣ ଦିଗକୁ ପ୍ରବାହିତ ଧାରା ତିନି ଭାଗରେ ବିଭକ୍ତ ହେଲା l ମର୍ତ୍ତ୍ୟକୁ ଆସିଥିବା ଧାରା ହେଲା *ତ୍ରିଭୁବନ ପାବନୀ ଗଙ୍ଗା* l  

ମିଥିଳା ଯାତ୍ରାପଥରେ ଗଙ୍ଗାରେ ଶ୍ରୀରାମଙ୍କ ନୌଯାତ୍ରା କାଳରେ ମୁନି ବିଶ୍ୱାମିତ୍ର ମା' ଗଙ୍ଗାଙ୍କର ଧରାବତରଣ କାହାଣୀ ଶୁଣାଇ ଥିଲେ l  

ରାମାୟଣ ବର୍ଣ୍ଣିତ, ଗଙ୍ଗାଙ୍କ ଧରାବତରଣ କଥା ସଂକ୍ଷେପରେ ଏହିପରି l

ଇକ୍ଷାକୁ ବଂଶର ମହାରାଜ ସଗରଙ୍କ ଯଜ୍ଞ ଅଶ୍ଵକୁ ଇନ୍ଦ୍ର ଅପହରଣ କରି ନେଇ ପାତାଳରେ କପିଳ ମୁନିଙ୍କ ଆଶ୍ରମ ରେ ଛାଡ଼ି ଦେଲେ l 

ସଗରଙ୍କ ଷାଠିଏ ହଜାର ପୁତ୍ର ଅଶ୍ୱ ଖୋଜିବାକୁ ଯାଇ ପୃଥିବୀକୁ ଖୋଳି ଖୋଳି ପାତାଳରେ ଯଜ୍ଞ ଅଶ୍ଵଟି କପିଳ ମୁନିଙ୍କ ଆଶ୍ରମ ପାଖରେ ଚରୁଥିବା ଦେଖି ମୁନିଙ୍କୁ ଚୋର ବୋଲି ଭାବି ତାଙ୍କୁ କଟୁଭର୍ତ୍ସନା କଲେ , ତାଙ୍କ କୋଳାହଳରେ କପିଳମୁନିଙ୍କ ତପ ଭଙ୍ଗହେଲା l କପିଳମୁନି ସ୍ଵୟଂ ବିଷ୍ଣୁଙ୍କ ଅବତାର ଥିଲେ l 

କୋପାନଳରେ ଷାଠିଏ ହଜାର ସଗରପୁତ୍ର ତତକ୍ଷଣାତ୍ ଭସ୍ମିଭୁତ ହୋଇଗଲେ l ସଗରଙ୍କ ପୌତ୍ର ଅଂଶୁମାନ ସେମାନଙ୍କୁ ଖୋଜିବା ପାଇଁ ଯାଇଥାନ୍ତି ତାଙ୍କର ସାକ୍ଷାତ ହେଲା ଗରୁଡ଼ଙ୍କ ସହ l ସଗରଙ୍କ ଅନ୍ୟପତ୍ନୀ ସୁମତି ଥିଲେ ବିହଙ୍ଗରାଜ ଗରୁଡ଼ଙ୍କ ଭଉଣୀ l 

ଅଂଶୁମାନ କ୍ରନ୍ଦନ କରୁଥିବା ଦେଖି ଗରୁଡ଼ କହିଲେ, ତୁମର ଏହି ପୁର୍ବଜ ମାନେ ଉଦ୍ଧାର ହୋଇପାରିବେ ତୁମେ ଯଦି ପତିତ ପାବନୀ ଗଙ୍ଗାଙ୍କୁ ଆଣି, ସେମାନଙ୍କ ଭସ୍ମ ପିଣ୍ଡକୁ ଧୌତ କରାଇ ପାରିବ l ବର୍ତ୍ତମାନ ଦେବୀଗଙ୍ଗା ସ୍ୱର୍ଗଲୋକରେ ରହୁଛନ୍ତି l 

ଯାଆ ତୁମେ ଗଙ୍ଗାଙ୍କୁ ଧରାବତରଣ କରାଇ ଏ ଧରାରେ ଅକ୍ଷୟ କୀର୍ତ୍ତି ଅର୍ଜନ କର l

ଅଂଶୁମାନ ଯଜ୍ଞଅଶ୍ୱକୁ ଧରି ଫେରିଆସି ସଗରଙ୍କୁ ପିତୃବ୍ୟଙ୍କ ଦଶା ଏବଂ ଗରୁଡ଼ଙ୍କ ଉପଦେଶ କଥା କହିଲେ l 

ସଗର ପତିତପାବନୀ ଗଙ୍ଗାଙ୍କୁ କିପରି ଅଣାଯାଇ ପାରିବ ତାହାର କିଛି ଉପାୟ ପାଇ ନ ପାରି, ଚିନ୍ତାରେ ପ୍ରାଣ ତ୍ୟାଗ କଲେ l 

ତାଙ୍କ ପରେ ଅଂଶୁମାନ ରାଜା ହେଲେ l ମାତ୍ର, ସେ ଅଳ୍ପ କାଳ ରାଜତ୍ୱ କରି ପୁତ୍ର ଦିଲ୍ଲୀପଙ୍କୁ ରାଜ୍ୟ ଭାର ସମର୍ପି ଦେଇ ତପସ୍ୟା ନିମନ୍ତେ ହିମାଳୟ ଯାତ୍ରା କଲେ l 

ରାଜା ଦିଲ୍ଲୀପ ଗଙ୍ଗାଙ୍କୁ ଆଣିବାକୁ ନାନା ଉପାୟ ଚିନ୍ତା କରି କୃତକାର୍ଯ୍ୟ ହୋଇ ନ ପାରି ଦୁଃଖରେ ବ୍ୟାଧିଗ୍ରସ୍ତ ହୋଇ ମୃତ୍ୟୁ ବରଣ କଲେ l ଏପରି ତିନୋଟି ପୁରୁଷ ଅତିକ୍ରମ ହୋଇଗଲା l

ଏବେ ରାଜା ହେଲେ ଦିଲ୍ଲୀପଙ୍କ ପୁତ୍ର ଭଗୀରଥ l ଗଙ୍ଗାଙ୍କୁ ଧରା ଅବତରଣ କରାଇବାର ବଂଶଗତ ସଂକଳ୍ପ, ତାଙ୍କ ମନକୁ ଆନ୍ଦୋଳିତ କଲା l ମନ୍ତ୍ରୀ ମାନଙ୍କୁ ରାଜ୍ୟଭାର ଅର୍ପଣ କରି ତପସ୍ୟା କରିବା ପାଇଁ ବାହାରି ଗଲେ l

ଭଗୀରଥ ଗୋକର୍ଣ୍ଣ ତୀର୍ଥରେ, ଉର୍ଦ୍ଧ୍ବ ବାହୁ ହୋଇ ଚତୁର୍ଦ୍ଦିଗରେ ଅଗ୍ନି ଜଳାଇ ତା ମଧ୍ୟରେ ବସି ତପ ଆରମ୍ଭ କଲେ l 

ମାସରେ ଥରେ ମାତ୍ର ଭୋଜନ କରି, ସେ ବହୁକାଳ ପର୍ଯ୍ୟନ୍ତ କଠୋର ତପସ୍ୟା କଲେ l ତାଙ୍କ ଉଗ୍ର ତପସ୍ୟାରେ ସନ୍ତୁଷ୍ଟ ହୋଇ ଦିନେ ବ୍ରହ୍ମା ଆସି ପହଞ୍ଚି ତାଙ୍କୁ ବର ଯାଚିଲେ l 

ଭଗୀରଥ ବ୍ରହ୍ମାଙ୍କୁ ଦୁଇଟି ବର ମାଗିଲେ, ବଂଶ ରକ୍ଷା ପାଇଁ ପୁତ୍ର ଓ ଗଙ୍ଗାଙ୍କ ଧରାବତରଣ l

ବ୍ରହ୍ମା କହିଲେ, ତୁମକୁ ଉପଯୁକ୍ତ ପୁତ୍ର ପ୍ରାପ୍ତହେବ l ମାତ୍ର ତୁମର ଦିତୀୟ ବରଟି କାର୍ଯ୍ୟକାରୀ ହେବା ଖୁବ୍ କଠିନ l 

ଗଙ୍ଗା ଧରାବତରଣ କରିବେ ସତ, କିନ୍ତୁ ତାଙ୍କର ପତନ ଧରିତ୍ରୀ ସହ୍ଯ କରି ପାରିବ ନାହିଁ* l 

ତାଙ୍କ ଧରାପାତ ସମ୍ଭାଳିବାପାଇଁ କେବଳ ଭୋଲାନାଥ ଶିବ ହିଁ ସମର୍ଥ l ତୁମେ ଯଦି ଭଗଵାନ ଶଙ୍କରଙ୍କୁ ଏପାଇଁ ରାଜି କରାଇପାରିବ ଗଙ୍ଗା ଅବଶ୍ୟ ଧରାବତରଣ କରିପାରିବେ ଏଥିରେ କୌଣସି ସନ୍ଦେହ ନାହିଁ l

ଭଗୀରଥ ଗୋଡ଼ର ବୁଢ଼ା ଆଙ୍ଗୁଠି ଉପରେ ଠିଆ ହୋଇ, କେବଳ ପବନ ଆହାରକରି ଶିବଙ୍କୁ ତୁଷ୍ଟ କରିବା ପାଇଁ ଉଗ୍ର ତପସ୍ୟା ଆରମ୍ଭ କଲେ l ବର୍ଷେ ବିତିଗଲା, ଦିନେ ଭଗଵାନ ଶିବ ଆବିର୍ଭୁତ ହୋଇ କହିଲେ, ହେ ନରଶ୍ରେଷ୍ଠ ! 

ତୁମ ଅଭିଳାଷ ଅଚିରେ ପୂର୍ଣ୍ଣହେବ l ସେହି ଶୈଳରାଜ ନନ୍ଦିନୀଙ୍କ ପତନକୁ ମୋ ମସ୍ତକରେ ଗ୍ରହଣକରିବି l ଏଥିରେ ଭଗୀରଥଙ୍କ ଆନନ୍ଦର ସୀମା ରହିଲାନାହିଁ l 

ଗଙ୍ଗାମାତାଙ୍କର ଧରା ଅବତରଣପାଇଁ ପ୍ରସ୍ତୁତହେଲେ l 

ଗଙ୍ଗାମାତା ଭାବିଲେ ମୁଁ ବିଶାଳ ରୂପ ଧାରଣ କରି ଭୟଙ୍କର ବେଗରେ ପତିତହେବି l ଶଙ୍କରଙ୍କୁ ଭସାଇ ନେଇ ଯାଇ ପାତାଳରେ ବିଶ୍ରାମକରିବି l 

ଭଗବାନ ଶିବ ଗଙ୍ଗାଙ୍କ ମନୋଭାବ ବୁଝି ପାରିଲେ ଓ ତାଙ୍କ ଗର୍ବ ଖର୍ବ କରି ଉଚିତ ଶିକ୍ଷା ଦେବା ପାଇଁ ସ୍ଥିର କଲେ l ଶିବ ରୁଦ୍ରମୂର୍ତ୍ତି ଧାରଣ କରି ତାଙ୍କ ଜଟାକୁ ବିସ୍ତାର କରିବାକୁ ଲାଗିଲେ l 

ଶିବଙ୍କ ବିସ୍ତାରିତ ଜଟାଜ୍ରୁଟ ସମସ୍ତ ବ୍ୟୋମମଣ୍ଡଳକୁ ବ୍ୟାପିଗଲା l ସେହିଦିନୁ ମହାଦେବଙ୍କ ନାମ ହେଲା *ବ୍ୟୋମକେଶ* l

ଗଙ୍ଗା ଭୟଙ୍କର ବେଗରେ ମହାଦେବଙ୍କ ଜଟାରେ ପଡ଼ି ଆଉ ବାହାରି ପାରିଲେ ନାହିଁ l କିଛି ଉପାୟ ନଦେଖି ଭଗୀରଥ ପୁଣି ତପସ୍ୟା କଲେ l 

ଶଙ୍କର ଗଙ୍ଗାଙ୍କୁ ଜଟାରୁ ମୁକ୍ତିଦେଇ ତାଙ୍କୁ ବିନ୍ଦୁସରୋବର ଆଡ଼କୁ ମୁହାଁଇ ଛାଡ଼ିଦେଲେ l 

ସାତଟି ସ୍ରୋତରେ ବିଭକ୍ତହୋଇ ସୂରନଦୀ ଗଙ୍ଗା ପ୍ରବାହିତ ହେଲେ l ପୂର୍ବରେ ହ୍ଲାଦିନି, ପାବନୀ, ନଳିନି । 

ପଶ୍ଚିମରେ ସିନ୍ଧୁ, ସୀତା, ସୁଚକ୍ଷୁ ଆଦି ଛଅଟି ସ୍ରୋତ ଏବଂ ସପ୍ତମ ସ୍ରୋତ ଅଳକାନନ୍ଦା ନାମରେ ଭଗୀରଥଙ୍କ ପଛେ ପଛେ କଳଧ୍ୱନୀ କରି ବହି ଚାଲିଲେ l 

ଭଗୀରଥ ଏକ ସୁନ୍ଦର ରଥରେ ଆଗେ ଆଗେ ଚାଲିଥିଲେ l 

ଏହି ମନୋରମଦୃଶ୍ୟ ଦେଖିବାକୁ ଦେବତା, ସିଦ୍ଧ ଯକ୍ଷ ଓ ଗନ୍ଧର୍ବ ମାନେ ତାଙ୍କ ବାହନ ଆରୋହଣ କରି ଆସି ପହଞ୍ଚି ଗଲେ l 

ବ୍ରହ୍ମା କହିଲେ, ରାଜା ତୁମେ ଭୁ ଲୋକକୁ ଗଙ୍ଗାକୁ ଆଣି ଅସାଧ୍ୟ ସାଧନ କରିଛ, ତୁମେ ଗଙ୍ଗାଙ୍କୁ ମର୍ତ୍ତ୍ୟକୁ ଆଣିଥିବା ହେତୁ ତୁମ ନାମାନୁସାରେ ତାଙ୍କର ଗୋଟିଏ ନାମ ହେବ ଭଗୀରଥି l 

ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ତ୍ରିଭୁବନରେ ପ୍ରବାହିତ ହେବା ଯୋଗୁଁ ପୁଣି ସେ ପ୍ରସିଦ୍ଧ ହେବେ *ତ୍ରିପଥଗା* ନାମରେ l

ଗଙ୍ଗାଦଶହରା ଦିନ ସମଗ୍ର ଭାରତବର୍ଷରେ ଗଙ୍ଗା ସ୍ନାନ, ଗଙ୍ଗାପୂଜନ ଏବଂ ଗଙ୍ଗା ଆରତୀ ଅନୁଷ୍ଠିତ ହୋଇଥାଏ l ଗଙ୍ଗା, ସ୍ୱୟଂ ବିଷ୍ଣୁଙ୍କ ଅଙ୍ଗ ସମ୍ଭୁତ l 

ତେଣୁ ଗଙ୍ଗା ହେଉଛନ୍ତି, ପତିତ ପାବନୀ, ପରମ ପାବନୀ ଓ କଳିମଳ ବିନାଶିନୀ l ଗଙ୍ଗା ଜଳରେ ସ୍ନାନ ତର୍ପଣ କଲେ ମନୁଷ୍ୟର ସମସ୍ତ ପାପରାଶି କ୍ଷୟ ହୋଇଥାଏ |