ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା

Apr 22, 2026 - 22:14
 8
ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା

ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଓ ପରାମର୍ଶ

ସକ୍, -୯୯.୦୪.୧୦୧୭

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କରାଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ୍.ଏନ୍. ରାଜ୍ୟରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ସମୀକ୍ଷା କରିଥିଲେ । ବୈଠକରେ ଗ୍ରାମାଞ୍ଚଳରେ ନିର୍ମାଣାଧୂନ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଏବଂ ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ଏବଂ ସେଗୁଡ଼ିକର କାର୍ଯ୍ୟକାରିତା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ରାଜ୍ୟର ପ୍ରତିଟି ଗ୍ରାମୀଣ ପରିବାରକୁ ପାଇପ୍ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି ଏବଂ ଏ ଦିଗରେ ହୋଇଥିବା ଅଗ୍ରଗତିକୁ ବିଭାଗୀୟ ସଚିବ ଅନୁଧ୍ୟାନ କରିବା ସହ ବାକି ରହିଥ‌ିବା କାର୍ଯ୍ୟଗୁଡ଼ିକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ଏ ସଂପର୍କିତ ବୈଠକ ପରଠାରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କେତେ ତ୍ବରାନ୍ବିତ ହୋଇଛି, ସେ ସଂପର୍କରେ ସମୀକ୍ଷା କରାଯାଇଥିଲା ।

ବୈଠକରେ ସୂଚନା ଅନୁସାରେ ରାଜ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପ, ଏକକ ଗ୍ରାମ୍ୟ ପ୍ରକଳ୍ପ (ସିଙ୍ଗଲ୍ ଭିଲେଜ୍ ପ୍ରୋଜେକ୍ଟସ୍) ଏବଂ ସୌର ଶକ୍ତି ଚାଳିତ ପ୍ରକଳ୍ପଗୁଡ଼ିକ ମାଧ୍ଯମରେ ଜଳ ଯୋଗାଣ କାର୍ଯ୍ୟ ଜାରି ରହିଛି । ରାଜ୍ୟରେ ୨୦୭ ଟି ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଥ‌ିବା ବେଳେ ସେଥ୍ରୁ ଅଦ୍ୟାବଧୂ ୩୦ ଟି ସଂପୂର୍ଣ ହୋଇଛି ଏବଂ ୫୫ଟି ମେଗା ପ୍ରକଳ୍ପ ୯୦% ରୁ ଅଧିକ ସରିଛି । ଆଗାମୀ ୨୦୨୭ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ମେଗା ପାନୀୟ ଜଳ ପ୍ରକଳ୍ପ ଶେଷ ହେବ ଏବଂ ଏହା ଦ୍ବାରା ମୋଟ ୩୨, ୨୩୩ ଟି ଗ୍ରାମକୁ ପାନୀୟ ଜଳ ସୁବିଧା ମିଳିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

୧୯,୦୧୭ ଏକକ ଗ୍ରାମ ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ୧୮୪୧୧ ପ୍ରକଳ୍ପ ଏବଂ ୮୫୯୯ ସୌର ଚାଳିତ ପାଇପ୍ ଯୋଗାଣ ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ୬୧୪୬ ଟି ପ୍ରକଳ୍ପ ସଂପୂର୍ଣ ହୋଇଛି ଏବଂ ଅବଶିଷ୍ଟ ପ୍ରକଳ୍ପ ଆଗାମୀ ଜୁନ୍ ୨୦୨୬ ସୁଦ୍ଧା ସରିବା ପାଇଁ ଲକ୍ଷ୍ୟ ରହିଛି । ଏସବୁର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ଏବଂ ଅଳ୍ପ କେତେକ ସମସ୍ୟାର ସମାଧାନ ହେବା ପରେ ପାନୀୟ ଜଳ ଯୋଗାଣ ସମ୍ଭବ ହେବ । ଗତ ୨ ବର୍ଷ ମଧ୍ୟରେ ୨୮,୭୫୦ଟି ନଳ କୂପ ସ୍ଥାପନ କରାଯାଇଥିବା ନେଇ ବୈଠକରେ ସୂଚନା ଦିଆଯାଇଥିଲା ।

ଭାରତ ସରକାରଙ୍କ "ଜଳ ଜୀବନ ମିଶନ" ୨.୦ ଯୋଜନା ( "ହର ଘର ଜଳ") ରେ ବିଭିନ୍ନ ବ୍ଲକ, ପଞ୍ଚାୟତ ଓ ଗ୍ରାମ ଏବଂ ପ୍ରତି ଘରକୁ ଜଳ ଯୋଗାଣ ସଂପର୍କରେ ସମୀକ୍ଷା କରାଯାଇଥିଲା । ଏହି ମିଶନର ଦ୍ଵିତୀୟ ପର୍ଯ୍ୟାୟ ପାଇଁ କେନ୍ଦ୍ର ସରକାରଙ୍କ ସହ ହୋଇଥିବା ବୁଝାମଣା ଏବଂ ରାଜ୍ୟ କ୍ୟାବିନେଟ୍‌ଙ୍କ ଦ୍ବାରା ଅନୁମୋଦିତ ନୂତନ ରକ୍ଷଣାବେକ୍ଷଣ ନୀତି ଅନୁସାରେ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।

ଗ୍ରୀଷ୍ମ ମୁକାବିଲା ପାଇଁ ସମସ୍ତ ପାଇପ୍ ଯୋଗେ ପାନୀୟ ଜଳ ପ୍ରକଳ୍ପ, ସୌର ଚାଳିତ ପ୍ରକଳ୍ପ ଓ ନଳକୂପ ଗୁଡ଼କର ରକ୍ଷଣାବେକ୍ଷଣ କରାଯାଉଥିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଗ୍ରୀଷ୍ମ ଋତୁରେ ଲୋକମାନେ ଯେପରି ପାନୀୟ ଜଳର ସମସ୍ୟା ଭୋଗିବେ ନାହିଁ, ସେଥ‌ିପାଇଁ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ସ୍ବତନ୍ତ୍ର ଦୃଷ୍ଟି ଦେବା ଏବଂ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସଚିବ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ୪୪୫ ଟି ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଣ ଓ ୬୦୪୨ ଜଳଛତ୍ର ବ୍ୟବସ୍ଥା କରାଯାଇଛି । ସବ୍‌ଡିଭିଜନ ମାନଙ୍କରେ ନିୟନ୍ତଣ କକ୍ଷ କାର୍ଯ୍ୟ କରୁଛି । ପାନୀୟ ଜଳ ସଂପର୍କିତ ଅଭିଯୋଗଗୁଡ଼ିବ ଡ଼ିକ ତ୍ବରିତ ସମାଧାନ କରାଯାଉଛି ।

ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ ରହୁଥ‌ିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିୟମିତ ତଦାରଖ ଓ ଯୋଗାଯୋଗ ରଖିବାକୁ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀମାନଙ୍କୁ ବୈଠକରେ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ବିଭିନ୍ନ ବିଭାଗ ଯଥା ଗ୍ରାମ୍ୟ ଉନ୍ନୟନ, ଜଳ ସଂପଦ, ପୂର୍ବ, ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶକ୍ତି ବିଭାଗ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସଂପର୍କିତ ବିଭିନ୍ନ ସମସ୍ୟା ଓ ସେସବୁର ସମାଧାନ ପାଇଁ ନିୟମିତ ଯୋଗାଯୋଗ ଓ ସମୀକ୍ଷା ଉପରେ ଗୁରୁତ୍ବ ଦିଆଯାଇଥିଲା । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ ରହୁଥ‌ିବା ପ୍ରତିବନ୍ଧକଗୁଡ଼ିକୁ ଶୀଘ୍ର ଦୂର କରି ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ଓ ସାରିବା ଉପରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।