ବକୁଳ ଅମାବାସ୍ୟା ଵା ବଉଳ ଅମାବାସ୍ୟା ର ପ୍ରଚ୍ଛଦପଟ କାହାଣୀ...

Dec 19, 2025 - 16:43
 24
ବକୁଳ ଅମାବାସ୍ୟା ଵା ବଉଳ ଅମାବାସ୍ୟା ର ପ୍ରଚ୍ଛଦପଟ କାହାଣୀ...

ବକୁଳ ଅମାବାସ୍ୟା ଵା ବଉଳ ଅମାବାସ୍ୟା ର ପ୍ରଚ୍ଛଦପଟ କାହାଣୀ...

         

ହିନ୍ଦୁ ପରମ୍ପରାରେ ଆମ୍ବ ଓ ଆମ୍ବ ଡାଳର ବହୁତ ମହତ୍ୱ ଅଛି l ଆମ୍ବଡାଳୁଆ ଓ ପଇଡ଼ କଳସ ବା ଘଟସ୍ଥାପନ ଉପଲକ୍ଷେ ଏକ ଅପରିହାର୍ଯ୍ୟ ବସ୍ତୁ l ବିଭିନ୍ନ ମେଳାସ୍ଥଳୀ ଓ ସ୍ୱାଗତ ତୋରଣକୁ ଆମ୍ବ ଡାଳଦ୍ୱାରା ସଜା ଯାଇଥାଏ l 

ଦୋଳଯାତ ବେଳେ ପ୍ରଭୁ ଶ୍ରୀଦୋଳଗୋବିନ୍ଦଙ୍କ ଶ୍ରୀହସ୍ତରେ ଆମ୍ବ କଷି ଲଗା ଆମ୍ବଡାଳ ଶୋଭା ପାଏ l ପୁଣି ଫଳମାନଙ୍କ ରାଜା ହେଉଛି ଆମ୍ବ l ଆମ୍ବର ଅନ୍ୟ ନାମ ଆମ୍ର, ଚୂତ,ସହକାର,ରସାଳ l ସ୍ତ୍ରୀ ଲୋକେ ଓ କୁମାରୀ ଝିଅମାନେ ବଉଳ ବସି ବନ୍ଧୁତ୍ୱ ବାନ୍ଧିବା ପରମ୍ପରା ରହିଛି l ଆମ୍ବ ଏକ ଅତ୍ୟନ୍ତ ପବିତ୍ର ବୃକ୍ଷ ଲ

ବିଭିନ୍ନ ମାଙ୍ଗଳିକ କାର୍ଯ୍ୟମାନଙ୍କରେ ଆମ୍ବପତ୍ର ବ୍ୟବହାର ହେତୁ ଏହା ଅନ୍ୟାନ୍ୟ ବୃକ୍ଷ ଯଥା ତୁଳସୀ, ବେଲ ଅଁଳା, ଅଶ୍ୱସ୍ତ,ବର,ପଳାଶ,କଦଳୀ ଇତ୍ୟାଦି ଭଳି ପୂଜନୀୟ l 

ବୃକ୍ଷପୂଜା ପରମ୍ପରାରେ ଆମ୍ବ ଗଛକୁ ପୂଜା କରିବାର ପର୍ବ ହେଉଛି ବଉଳ ଵା ବକୁଳ ଲାଗି ଅମାବାସ୍ୟା l ଏହାର ଅନ୍ୟ ନାମ ବୋଉଳ ଅମାବାସ୍ୟା l ପୌଷ ମାସର ଅମାବାସ୍ୟା ବକୁଳ ଅମାବାସ୍ୟା ନାମରେ ଖ୍ୟାତ l

ଏହି ଅମାବାସ୍ୟା ବେଳକୁ ଶୀତର ପ୍ରକୋପ କମି ଆସିଥାଏ,ଆମ୍ବ ଗଛରେ ବଉଳ ଅଙ୍କୁରିତ ହୋଇ ଋତୁରାଜ ବସନ୍ତକୁ ସ୍ୱାଗତ କରୁ ଥାଏ l 

ଏ ବେଳ ପ୍ରକୃତିକୁ ଲକ୍ଷ୍ୟକରି ପାର୍ବତୀ କାବ୍ୟରେ କବିବର ରାଧାନାଥ ରାୟ ଲେଖିଛନ୍ତି :-

ଅତି ମନୋହର କାଳ ଶୀତଋତୁ 

ବକୁଳଅମାବାସ୍ୟା ଦିନ ଚୁତତରୁ ବା ଆମ୍ବ ଗଛକୁ ପୂଜା କରାଯାଏ l ଭୋଗ ସାମଗ୍ରୀ ଭାବେ ଗଇଁଠା ପିଠା ଏବଂ ବଉଳକୁ ବ୍ୟବହାରକରାଯାଏ 

ଆମ୍ବ ମୂଳେ ପୂଜାଲଗାଇ ଗଇଁଠାପିଠାକୁ ବୃକ୍ଷ ଉପରେ ନିକ୍ଷେପ କରା ଯାଇଥାଏ l ଗଇଁଠା ଗଛରୁ ଯେଉଁ ଭଳି ପଡ଼େ ସେହି ଭଳି ଆମ୍ବ ଫଳି ଗଛରୁ ପତିତ ହେବା ନିମନ୍ତେ କାମନା କରା ଯାଏ l ଲୋକକଥା ରହିଛି " ଆମ୍ବ ବଉଳ ଜ୍ୟୋତିଷ ପାଞ୍ଜି,ଅଧା ମିଛ ଅଧା କାଞ୍ଜି"l ଅର୍ଥ ଆମ୍ବଗଛରେ ଧରିଥିବା ବଉଳ ହିସାବରେ ଆମ୍ବ ଫଳିବା ଉପରେ ଆଶଙ୍କା ଥାଏ ଯେମିତି ଜ୍ୟୋତିଷ ପାଞ୍ଜି ଅଧା ସତ ଅଧା ମିଛ l ତେଣୁ ବଉଳ ପୂଜାରେ ଆମ୍ବ ଠିକଭାବେ ଫଳିବା ପାଇଁ କାମନା କରାଯାଏ ଲ

ବକୁଳ ଅମାବାସ୍ୟା ଠାରୁ ଆମ୍ବ ଅଙ୍କୁର ଧାରଣ କରି ଫାଲଗୁନମାସ ବେଳକୁ ଏହା ପୂର୍ଣ୍ଣ କୁସୁମିତ ହୋଇଥାଏ l 

ଭକ୍ତକବି ମଧୁସୂଦନଙ୍କ ଭାଷାରେ:-

         ଆମ୍ବ ବଉଳଇ ଫଗୁଣ ମାସେ 

         ଦିଗ ଚହଟଇ ତାର ସୁବାସେ 

ବକୁଳ ଅମାବାସ୍ୟାରେ କୌଣସି ଦେବା ଦେବୀଙ୍କୁ ପୂଜା କରା ନ ଯାଇ ଆମ୍ବ ଗଛ ଓ ବଉଳକୁ ପୂଜା କରାଯାଏ l ଏ ପୂଜାରେ କୌଣସି ପୁରୋହିତଙ୍କ ଆବଶ୍ୟକତା ନ ଥାଏ l ବଉଳ ପୂଜା କରି ଆମ୍ବ ଗଛକୁ ପ୍ରାର୍ଥନା କରିବା ସହ ଏ ପୂଜାରେ ବସନ୍ତ ଋତୁକୁ ସ୍ୱାଗତ କରାଯାଏ l ହେଲେ ଶୀତ ପୁରା ଛାଡ଼ି ନଥାଏ l ଶୀତକୁ ବିଦାୟ ଦିଆଯାଏ ଅଗିରା ପୁର୍ଣିମାରେ ଅଗି ଜାଳି l 

ଏଣୁ ଲୋକକଥା ଅଛି :-

ଆମ୍ବ ଗଛେ ବଉଳ ଲୋ ଲିମ୍ବ ଗଛେ ଫୁଲ l

ଅଗି ଜଳେ ଶୀତକାଳେ ବାଜିଉଠେ ଢୋଲ ଲଲ

ଏଥିରେ କୌଣସି ଦେବା ଦେବୀଙ୍କ ପୂଜା କରା ନ ଯାଉଥିଲେ ମଧ୍ୟ ଭୋଗକୁ ଭଗବାନଙ୍କୁ ସମର୍ପଣ କରାଯାଏ l ଶ୍ରୀମନ୍ଦିରରେ ମଧ୍ୟ ବକୁଳଲାଗି ନୀତି ପାଳିତ ହୋଇଥାଏ l ଜି ଗ୍ରୋମ୍ସ 1805 ରେ ପୁରୀ କଲେକଟର ଥିଲେ l ସେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ତେତିଶ ଗୋଟି ଯାତ୍ରା ବିଧାନ କରିଥିଲେ l ଏହି ଯାତ୍ରା ଭିତରେ ବକୁଳ ଲାଗି ଅନ୍ୟତମ l ବାମଦେବ ସଂହିତାରେ ମଧ୍ୟ ମହାପ୍ରଭୁଙ୍କ ବକୁଳ ଲାଗି ବିଷୟରେ ସୂଚନା ରହିଛି |

     

ଏହି ଅନୁସାରେ ବିଶ୍ୱାସ ରହିଛି ପ୍ରଭୁ ଅଚ୍ୟୁତଙ୍କୁ ଚ୍ୟୁତ ଅଙ୍କୁର ଅର୍ପଣର ନୀତି ପାଳିତ ହେଉଥିବା ବେଳେ ଯେଉଁ ମନୁଷ୍ୟ ମହାପ୍ରଭୁଙ୍କୁ ଦର୍ଶନ କରେ ସେ ଯୋଗୀ ମାନଙ୍କ ପାଇଁ ଦୁର୍ଲଭ ବୈକୁଣ୍ଠ ପ୍ରାପ୍ତ ହୋଇଥାଏ l ଋତୁରାଜ ବସନ୍ତ ଭଗବାନଙ୍କ ଅତି ପ୍ରିୟ l ଶ୍ରୀମଦ୍ଭଗବତ ଗୀତାରେ ସ୍ୱୟଂ ଭଗବାନ କହିଛନ୍ତ ,"ଋତୁନାଂ କୁସୁମାକରଃ "l ବଉଳ କଢ଼ ବାସ୍ନା ବସନ୍ତକୁ ଆହ୍ୱାନ ଦେଇଥାଏ l ବକୁଳଲାଗି ଅମାବାସ୍ୟା ପ୍ରକୃତି ପୂଜାର ନିଦର୍ଶନ l ବଉଳର ବାସ୍ନା ଏହି ସମୟରେ ଜନ ମାନସକୁ ମନ୍ତ୍ର ମୁଗ୍ଧ କରିଥାଏ l ବଉଳ ପୂଜା କରି,ବଉଳ ଯେ ଦିନେ ରସାଳ ଫଳ ସୃଷ୍ଟି କରିବ ଏହି ଭାବନାରେ ଜନ ଗଣ ଉନ୍ମାଦିତ ହୋଇ ଥାନ୍ତି l

ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଲା, ଏ ବକୁଳଲାଗି ଅମାବାସ୍ୟା ଦିନ ଭଗବାନ ଗ୍ରହଣ କରିଥିବା ଦଶ ଅବତାର ମଧ୍ୟରୁ ତୃତୀୟ ଅବତାର,ଶ୍ରୀବରାହ ଵା ଶୂକର ଅବତାର ଗ୍ରହଣ କରିଥିଲେ l ପ୍ରଭୁ ବରାହ ସୃଷ୍ଟି କର୍ତ୍ତା ପିତାମହ ବ୍ରହ୍ମାଙ୍କ ନାକ ପୁଡ଼ାରୁ ଜାତ ହୋଇ ପ୍ରତାପୀ ରାକ୍ଷସ, ହିରଣ୍ୟାକ୍ଷକୁ ବଦ୍ଧ କରି ଦନ୍ତ୍ୟ ଅଗ୍ରରେ ଧାରଣ କରି ରସାତଳରେ ନିମଗ୍ନ ପୃଥିବୀକୁ ଉଦ୍ଧାର କରିଥିଲେ |

        

ଯାଜପୁରର ବୈତରଣୀ ନଦୀ ତଟରେ ଭଗବାନ ଯଜ୍ଞ ବରାହ ବା ବରାହ ନାଥଙ୍କ ମନ୍ଦିର ରହିଛି l ଯାଜପୁରର ଏହି ପୀଠରେ ଭଗବାନ ବରାହଙ୍କ ଜନ୍ମ ଉତ୍ସବ ସମାରୋହରେ ବକୁଳ ଅମାବାସ୍ୟା ଦିନ ପାଳିତ ହୋଇ ଥାଏ ଲ

ଏଠାରେ ବେଦପତି ବ୍ରହ୍ମା କରିଥିବା ଯଜ୍ଞରୁ ଦେବୀ ବିରଜା ଆବିର୍ଭୁତା ହୋଇ ଥିଲେ l କିନ୍ତୁ ପ୍ରଥମରେ ବରାହ ଭଗବାନ ଆବିର୍ଭୁତ ହୋଇଥିଲେ l ଏଣୁ ତାଙ୍କୁ ଯଜ୍ଞ ବରାହ କୁହାଯାଏ l

ଆମ୍ବ ଗଛରେ ବଉଳ ପଲ୍ଲବିତ ହେଲେ ବଉଳ ଖାଇ କାମଦେବ ଦୂତ ବସନ୍ତ ବିଳାସୀ କୋକିଳ ମାନେ ନିଜ କଣ୍ଠ ପରିଷ୍କାର କରି ପଞ୍ଚମ ତାନର ଅଭ୍ୟାସ ଆରମ୍ଭ କରିଦିଅନ୍ତି l କୋକିଳ ମାନେ ଉଚ୍ଚ ତାନରେ ଗୀତଗାଇ ଯୁବତୀ କୋକିଳାକୁ ଆକର୍ଷିତ କରିବାକୁ ପ୍ରସ୍ତୁତ ହୁଅନ୍ତି l ପଲ୍ଲୀକବି ନନ୍ଦ କିଶୋର ବଳ ଏହାକୁ ମନୋଜ୍ଞ ଭାଷାରେ ବର୍ଣ୍ଣନା କରିଛନ୍ତି |

ପୁଣି ଆମ୍ବ ବଉଳ ଓ ଆମ୍ର କୁଞ୍ଜରେ କୋକିଳର ପଞ୍ଚମ ତାନରେ ଗୀତକୁ ଲକ୍ଷ୍ୟ କରି, ଭକ୍ତକବି ମଧୁସୂଦନ ରାଓ କହିଛନ୍ତି :-            

ଓଡ଼ିଆର କୌଣସି ପର୍ବ ତା'ର ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଛାଡ଼ି ହୁଏନାହିଁ l ଶ୍ରୀମନ୍ଦିରରେ ବି ବକୁଳ ଲାଗି ନୀତି ଅନୁଷ୍ଠିତ ହୋଇ ଥାଏ l ନୀତି ଅବସରରେ ମହାପ୍ରଭୁଙ୍କୁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ବଉଳ ଗଇଁଠା ଲାଗି କରାଯାଏ l ତାଟରେ ଆମ୍ବ ବଉଳର ଗଇଁଠା ମହାପ୍ରଭୁଙ୍କ ଠାରେ ଲାଗି କରା ହୁଏ 

ପରମ୍ପରା ଅନୁଯାୟୀ ଏହି ଦିନର ଆଳତି ବଢ଼ିବାପରେ ଶ୍ରୀଜୀଉଙ୍କୁ ଆଜ୍ଞାମାଳ ଲାଗି କରା ଯାଇଥାଏ l ବଲ୍ଲଭ ଭୋଗ ନୀତି ଶେଷ ହେବା ପରେ ସକାଳ ଧୂପ ନୀତି ଆରମ୍ଭ ହୁଏ l ସକାଳ ଧୂପ ଉଠିଲା ପରେ ରୋଷ ଘରୁ ବଉଳ ଗଇଁଠା ତାଟ ଶ୍ରୀଛାମୁକୁ ଆସି ପ୍ରସାଦ ଲାଗି ନୀତି ବଢ଼ି ଥାଏ l ଷୋଡ଼ଶ ଉପଚାରପରେ ଟେରା ଫିଟାଯାଇ ଆଳତି କରା ଯାଇଥାଏ l ତାଟ ଭିତରେ ଥାଇ ତିନି ବାଡ଼ରେ ବନ୍ଦାପନା ନୀତି ଅନୁଷ୍ଠିତ ହୁଏ । ଏହା ପରେ ଦକ୍ଷିଣ ଘରୁ ଶ୍ରୀନାରାୟଣ ରତ୍ନସିଂହାସନ ବିଜେ କରନ୍ତି l ଶ୍ରୀ ଜୀଉଙ୍କୁ ଲାଗି ଆଜ୍ଞା ମାଳ ପାଇବା ପରେ ଶ୍ରୀନାରାୟଣ ସାଗରବିଜେ ପାଇଁ ପାଲିଙ୍କିରେ ବିଜେ କରିଥାନ୍ତି l 

ଏହା ପରେ ଅନ୍ୟ ଦୈନନ୍ଦିନ ନୀତି ବିଧାନମୁତାବକ ପାଳିତ ହୋଇ ଥାଏ l ଶ୍ରୀନାରାୟଣ ସାଗର ବିଜେ ନୀତି ସାରି ପୁନର୍ବାର ଦକ୍ଷିଣଘର ବିଜେ କରନ୍ତି l ଏହିଠାରେ ବକୁଳ ଲାଗି ନୀତି ସମ୍ପୂର୍ଣ୍ଣ ହୋଇଥାଏ 

ଧନ୍ୟ ଏହି ଋତୁ ଆବର୍ତ୍ତନର ଲୀଳା l ବକୁଳ ଲାଗି ଅମାବାସ୍ୟାର ପବିତ୍ର ତିଥିରେ ଆସନ୍ତୁ ସେହି ଲୀଳା ମୟ ବିଶ୍ୱ ସ୍ରଷ୍ଟା,ବିଶ୍ୱକର୍ତ୍ତା ପ୍ରଭୁଙ୍କୁ ପ୍ରାର୍ଥନା କରିବା ସମସ୍ତଙ୍କ ଜୀବନରେ ମଧୁମୟ ମଧୁର ବସନ୍ତର ଆଗମନ ହେଉ l 

ସମସ୍ତଙ୍କ ପ୍ରାଣ ନବ ଉନ୍ମାଦନା ଓ ନବ ପୁଲକରେ ପଲ୍ଲବିତ ହେଉ l ଦୋଳ ଗୋବିନ୍ଦଙ୍କ ମଧୁର ବଂଶୀର ମୂର୍ଚ୍ଛନା ସବୁରି ହୃଦୟ ତନ୍ତ୍ରୀରେ ଗୁଞ୍ଜରିତ ହେଉ l