ବନପାଳ, ବନରକ୍ଷୀ ଓ ଅବକାରୀ କନଷ୍ଟେବଳ ପଦବୀ ପାଇଁ ଶାରୀରିକ ପରୀକ୍ଷାର ପ୍ରସ୍ତୁତି...
ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ପରୀକ୍ଷାର ସ୍ୱଚ୍ଛତା, ନିରପେକ୍ଷତା ଓ ପ୍ରାର୍ଥୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବନପାଳ, ବନରକ୍ଷୀ ଓ ଅବକାରୀ କନଷ୍ଟେବଳ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା-୨୦୨୫ (ଦ୍ୱିତୀୟ) ଅନ୍ତର୍ଗତ ଶାରୀରିକ ମାନଦଣ୍ଡ ମାପ ଓ ଶାରୀରିକ ଦକ୍ଷତା ପରୀକ୍ଷା ଆୟୋଜନ ନିମନ୍ତେ ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ବିଭିନ୍ନ ବିଭାଗର ସଚିବ, ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗର ଅଧ୍ୟକ୍ଷ ଉପସ୍ଥିତ ଥିବାବେଳେ, ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାଷୀ ମାଧ୍ୟମରେ ଯୋଗଦେଇଥିଲେ।
ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC) ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ବିବରଣୀ ଉପସ୍ଥାପନ କରାଯାଇଥିଲା ।
ଆସନ୍ତା ୧୨ ଅକ୍ଟୋବରରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଶାରୀରିକ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମୋଟ ୪,୬୮୩ ଜଣ ଯୋଗ୍ୟ ପ୍ରାର୍ଥୀ ଏଥିରେ ଅଂଶଗ୍ରହଣ କରିବେ ।
ପରୀକ୍ଷା ପ୍ରକ୍ରିୟାକୁ ସ୍ୱଚ୍ଛ, ନିରପେକ୍ଷ, ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ ।
ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି, ପାନୀୟ ଜଳ, ଖାଦ୍ୟ, ଶୌଚାଳୟ, ସୁରକ୍ଷା ବ୍ୟବସ୍ଥା ଓ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବା ସହ ପ୍ରତ୍ୟେକ ପ୍ରାର୍ଥୀଙ୍କ ଶାରୀରିକ ପରୀକ୍ଷାର ଭିଡିଓଗ୍ରାଫି ଏବଂ ଆବଶ୍ୟକ ରେକର୍ଡ ସଠିକ୍ ଭାବେ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ବିଶେଷକରି ପ୍ରାର୍ଥୀମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଡାକ୍ତରୀ ଦଳ, ପ୍ରାଥମିକ ଚିକିତ୍ସା ଓ ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ (ଏଏଲଏସ) ସୁବିଧାଯୁକ୍ତ ଆମ୍ବୁଲାନ୍ସ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସମ୍ପୃକ୍ତ ଜିଲ୍ଲାପାଳମାନେ ନିଜ ଜିଲ୍ଲାର ପ୍ରସ୍ତୁତି ନିୟମିତ ସମୀକ୍ଷା କରିବା ସହ ପରୀକ୍ଷା ପରିଚାଳନାରେ ସମସ୍ତ ନିର୍ଦ୍ଧାରିତ ନିୟମାବଳୀ ପାଳନ ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦିଆଯାଇଛି ।