ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦର ଦ୍ୱିତୀୟ ବୈଠକ...

Sep 20, 2026 - 08:35
 3
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ                                                                                                                                         ରାଜ୍ୟ ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦର ଦ୍ୱିତୀୟ ବୈଠକ...

ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ ।  

ରାଜ୍ୟର ପାରମ୍ପରିକ ଖାଦ୍ୟ ଓ ରନ୍ଧନ ପରମ୍ପରାକୁ ପର୍ଯ୍ୟଟନ ସହ ଯୋଡ଼ିବା ଦିଗରେ ଆଲୋଚନା 

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ(ଏସଟିପିସି) ର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । 

ବୈଠକରେ ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ, ଜମି ଉପଲବ୍ଧତା, କାର୍ଯ୍ୟକାରୀ ହେଉଥିବା ପର୍ଯ୍ୟଟନ ପ୍ରକଳ୍ପର ଅଗ୍ରଗତି ଏବଂ ପର୍ଯ୍ୟଟନ ଶିଳ୍ପ ପାଇଁ ନିବେଶ ପରିବେଶକୁ ସୁଗମ କରିବା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।  

ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଏନ.ବି.ଏସ୍ ରାଜପୁତ, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲଓ୍ୱନ୍ତ ସିଂଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ପରିଷଦର ପ୍ରଥମ ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର କାର୍ଯ୍ୟାନ୍ୱୟନ ନେଇ ଅଗ୍ରଗତି ସମୀକ୍ଷା କରାଯାଇଥିଲା । ପର୍ଯ୍ୟଟନ ପ୍ରକଳ୍ପ ପାଇଁ ସରକାରୀ ଜମି ଆବଣ୍ଟନ, ଓଡ଼ିଆ ଖାଦ୍ୟ ରେସ୍ତୋରାଁ ପ୍ରତିଷ୍ଠା, ପର୍ଯ୍ୟଟନ ଜମି ବ୍ୟାଙ୍କ ଯୋଜନା ଏବଂ ବିଭିନ୍ନ ପର୍ଯ୍ୟଟନସ୍ଥଳର ବିକାଶ ସମ୍ପର୍କିତ ପୂର୍ବ ନିଷ୍ପତ୍ତିର ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା ।   

ପର୍ଯ୍ୟଟନ କ୍ଷେତ୍ରରେ ଆବାସିକ ଓ ଅନ୍ୟାନ୍ୟ ସୁବିଧା ଭିତ୍ତିଭୂମିର ବିକାଶ ପାଇଁ ପର୍ଯ୍ୟଟନ ଜମି ବ୍ୟାଙ୍କ ଯୋଜନା ଉପରେ ବିସ୍ତୃତ ଆଲୋଚନା ହୋଇଛି । 

ଜମି ଚିହ୍ନଟ, ଜମିର ଉପଯୋଗିତା ନିର୍ଦ୍ଧାରଣ, ଜମି ଆବଣ୍ଟନ ଓ ପରବର୍ତ୍ତୀ ପରିଚାଳନା ପାଇଁ ସୁସ୍ପଷ୍ଟ ବ୍ୟବସ୍ଥା ସହ ଜିଆଇଏସ୍‌ ଆଧାରିତ ଜମି ମାନଚିତ୍ର ଓ ଡିଜିଟାଲ୍‌ ନିରୀକ୍ଷଣ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । 

ବିଭିନ୍ନ ଅନୁମୋଦିତ ପର୍ଯ୍ୟଟନ ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ ହୋଇଥିବା ବିଳମ୍ବ ଏବଂ ସମୟସୀମା ବୃଦ୍ଧି ସମ୍ପର୍କିତ ପ୍ରସ୍ତାବ ଉପରେ ପରିଷଦରେ ବିଚାର କରାଯାଇଛି । 

ରାଜ୍ୟର ବିଭିନ୍ନ ନୂତନ ସହର ଓ ପର୍ଯ୍ୟଟନସ୍ଥଳରେ ଓଡ଼ିଆ ଖାଦ୍ୟ ରେସ୍ତୋରାଁ ସ୍ଥାପନ କରିବା ସମ୍ପର୍କିତ ପ୍ରସ୍ତାବ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟର ପାରମ୍ପରିକ ଖାଦ୍ୟ ଓ ରନ୍ଧନ ପରମ୍ପରାକୁ ପର୍ଯ୍ୟଟନ ସହ ଯୋଡ଼ିବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ ଭାବେ ବିଚାର କରାଯାଇଛି । 

ପୁରୁଣା ପର୍ଯ୍ୟଟନ ନୀତି ଅଧୀନରେ ଅନୁମୋଦିତ କିନ୍ତୁ ପ୍ରୋତ୍ସାହନ ସୁବିଧା ପାଇବାରେ ବିଭିନ୍ନ କାରଣରୁ ବଞ୍ଚିତ ହୋଇଥିବା ପର୍ଯ୍ୟଟନ ଏକକଗୁଡ଼ିକ ପାଇଁ ଏକକାଳୀନ ସମାଧାନ ଯୋଜନା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ।   

ପର୍ଯ୍ୟଟନ ପ୍ରକଳ୍ପଗୁଡ଼ିକରେ ଅନାବଶ୍ୟକ ପ୍ରକ୍ରିୟାଗତ ବିଳମ୍ବ ହ୍ରାସ କରିବା, ଜମି ଓ ଅନୁମତି ସମ୍ପର୍କିତ ବାଧା ଦୂର କରିବା ଏବଂ ନିବେଶକମାନଙ୍କ ପାଇଁ ପ୍ରକ୍ରିୟାକୁ ଅଧିକ ସରଳ ଓ ସମୟବଦ୍ଧ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । 

ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ସମସ୍ତ ପ୍ରକାଶ ସୁବ୍ୟବସ୍ଥା କରିବାକୁ ଆବଶ୍ୟକ ପଦକ୍ଷେପ ନେବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଥିଲେ ।