ରାଜ୍ୟ ସୁଭଦ୍ରା ମେଳାରେ ଯୋଗ ଦେବେ ଦେଶର ୧୧ ଟି ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ...
ନଭେମ୍ବର ପହିଲାରୁ ୧୨ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳା ଇଡ଼କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ ।
ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସ୍ଥାନୀୟ ମିଶନ ଶକ୍ତି ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ନାରୀମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ନିଜ ସାମର୍ଥ୍ୟ, ସୃଜନଶୀଳତା ଓ ଉଦ୍ୟୋଗୀତାର ପରିଚୟ ଦେଉଛନ୍ତି।
ଏହି ଅପ୍ରତିମ ନାରୀ ଶକ୍ତିକୁ ସମ୍ମାନ ଜଣାଇ ମିଶନ ଶକ୍ତି ବିଭାଗ ଆୟୋଜନ କରୁଛି "ସୁଭଦ୍ରା ଶକ୍ତି ମେଳା-୨୦୨୫”। ଆସନ୍ତା ୧ ରୁ ୧୨ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରର ୟୁନିଟ୍–୩ ସ୍ଥିତ ଇଡ଼କୋ ପ୍ରଦର୍ଶନୀ ପଡିଆରେ ସୁଭଦ୍ରା ଶକ୍ତି ମେଳା, ୨୦୨୫-୨୬ ଅନୁଷ୍ଠିତ ହେବ।
ଏହି ମେଳାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ୩୦୦ରୁ ଉର୍ଦ୍ଧ୍ଵ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଭାଗନେଇ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ପ୍ରଦର୍ଶନ ଓ ବିପଣନ କରିବେ।
ଏହି ମେଳାରେ ୫୦ଟି ଖାଦ୍ୟ ଷ୍ଟଲର ବ୍ୟବସ୍ଥା ରହିଛି।
ଦେଶର ୧୧ଟି ଅନ୍ୟାନ୍ୟ ରାଜ୍ୟ ଯଥା ପଞ୍ଜାବ, ଝାଡଖଣ୍ଡ, ଆନ୍ଧ୍ର ପ୍ରଦେଶ, ବିହାର, ଆସାମ, ପଶ୍ଚିମ ବଙ୍ଗ, ଛତିଶଗଡ, ଗୁଜୁରାଟ, ତେଲେଙ୍ଗାନା, ମଧ୍ୟ ପ୍ରଦେଶ ଏବଂ ଗୋଆରୁ ନିମନ୍ତ୍ରିତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସେମାନଙ୍କ ରାଜ୍ୟର ଉତ୍କୃଷ୍ଟ ଉତ୍ପାଦ ପ୍ରଦର୍ଶନ କରିବେ।
ଏହି ମେଳା କେବଳ କ୍ରୟ ବିକ୍ରୟର ମଞ୍ଚ ନୁହେଁ, ବରଂ ନାରୀମାନଙ୍କର ଆତ୍ମବିଶ୍ଵାସ, ସଫଳତା ଓ ସାମାଜିକ ସଶକ୍ତିକରଣର ଏକ ଉଜ୍ଜ୍ଵଳ ପ୍ରତୀକ।
ଏହି ମେଳାରେ ବିବିଧ ହସ୍ତତନ୍ତ, ହସ୍ତଶିଳ୍ପ, ଖାଦ୍ୟ ଓ ଅଣ କାଷ୍ଠ ଜଙ୍ଗଲ ଉତ୍ପାଦ ପ୍ରଦର୍ଶିତ ହେବ।
ପରିଦର୍ଶକ ଅତିଥିମାନେ ଏଠାରେ ଲୁଗାପଟା, ଖାଦ୍ୟଶସ୍ୟ, ଗୃହ ସାଜସଜ୍ଜା ଓ ଘରକରଣା ଜିନିଷର ଅପୂର୍ବ ସମ୍ଭାର କିଣିପାରିବେ।
ଏହା ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ, ଯେଉଁଠାରେ ସେମାନେ ନିଜର ଉତ୍ପାଦକୁ ବିଶାଳ ବଜାରରେ ପ୍ରଦର୍ଶନ କରି ନୂତନ ଗ୍ରାହକ ଓ ସମ୍ଭାବନାର ଦ୍ଵାର ଖୋଲିବେ।
୧୨ ଦିନର ଧରି ଚାଲିବାକୁ ଥିବା ଏହି ମେଳାରେ ଦର୍ଶକମାନେ ଅନୁଭବ କରିବେ ଓଡ଼ିଶାର ସଂସ୍କୃତି, ନାରୀ ଶକ୍ତି ଓ ପାରମ୍ପାରିକ ସ୍ଵାଦର ଅନୁପମ ସଂଗମ।
ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ, ଯେଉଁଥିରେ ଦେଖିବାକୁ ମିଳିବ ଓଡିଶୀ ନୃତ୍ୟ, ଛଉ, ଗୀତି ନାଟ୍ୟ, ମଲଖମ୍ବ, ଗୋଟିପୁଅ, ରଣପା, ସମ୍ବଲପୁରୀ ନୃତ୍ୟ, ପୁରୀର ଯୋଡି ଶଙ୍ଖ ନୃତ୍ୟ, ବିହୁ, ସଂଗୀତ ସନ୍ଧ୍ୟା ଏବଂ ପାଲା ଇତ୍ୟାଦି।
ପ୍ରଥମଥର ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତତନ୍ତ ଓ ପୋଷାକର ଫ୍ୟାଶନ୍ ସୋ ଆୟୋଜିତ ହେବାକୁ ଯାଉଥିବା ବେଳେ, ଦର୍ଶକ ମାନେ ୫୦ଟି ସ୍ଵତନ୍ତ୍ର ଖାଦ୍ୟ ଷ୍ଟଲରେ ମିଲେଟ୍ ଭିତ୍ତିକ ସ୍ଵାସ୍ଥ୍ୟକର ଖାଦ୍ୟ ସହିତ ବିବିଧ ପାରମ୍ପରିକ ଓଡ଼ିଆ ଖାଦ୍ୟ ଉପଭୋଗ କରିପାରିବେ।
ଏହି ମେଳା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ନିଜର ଉତ୍ପାଦକୁ ବୃହତ ବଜାର ସହିତ ସଂଯୋଗ କରି ଆୟ ବୃଦ୍ଧି ଓ ଆତ୍ମନିର୍ଭରତା ଅର୍ଜନ କରିବେ। ଏହା ସେମାନଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିବା ସହ “ଲକ୍ଷପତି ଦିଦି” ହେବା ସ୍ଵପ୍ନକୁ ସାକାର କରିବ।
ମିଶନ ଶକ୍ତିର ଏହି ପଦକ୍ଷେପ “ବିକଶିତ ଓଡ଼ିଶା ୨୦୩୬” ଓ “ବିକଶିତ ଭାରତ ୨୦୪୭”ର ସ୍ଵପ୍ନକୁ ଆହୁରି ସୁଦୃଢ କରିବ।
ଦିବା ୧୧ରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ଦର୍ଶକମାନେ ସପରିବାର ପଦାର୍ପଣ କରି ଓଡ଼ିଶାର ନାରୀ ଶକ୍ତିର ସୃଜନଶୀଳତା, ହସ୍ତଶିଳ୍ପ ଓ ସଂସ୍କୃତିର ଏହି ଅନୁପମ ସମାହାରକୁ ସଫଳ କରିବା ପାଇଁ ମିଶନ ଶକ୍ତି ବିଭାଗ ତରଫରୁ ଶ୍ରୀମତୀ ପରିଡା ଆମନ୍ତ୍ରଣ କରିଥିଲେ ।
ଏହି ଅବସରରେ ବିଭାଗୀୟ ଶାସନ ସଚିବ ଶ୍ରୀ ଗିରିଶ ଏସ.ଏନ, ନିର୍ଦ୍ଦେଶକା ଡଃ ମୋନିକା ପ୍ରିୟଦର୍ଶିନୀ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।