ସପ୍ତମ ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ ଶେଷ 17 ରେ ବାଚସ୍ପତି...
ସପ୍ତମ ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ ଶେଷ 17 ରେ ବାଚସ୍ପତି...
ଏହି ମହୋତ୍ସବ ରଖି ଯାଇଛି ଅନେକ ବିଶେଷତ୍ୱ...
ଚଳିତ ଥର ପୁସ୍ତକ ମହୋତ୍ସବର ମୁଖ୍ୟ ପଥକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସାରସ୍ୱତ ସାଧିକା ମା' ରମାଦେବୀ, ଭିତର ପ୍ରବେଶ ପଥକୁ ସନ୍ଥ କବି ଭୀମଭୋଇ, ମୁଖ୍ୟ ମଞ୍ଚକୁ କବି ରମାକାନ୍ତ ରଥ ଓ ଭିତର ମଞ୍ଚକୁ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ ମଞ୍ଚ ନାମରେ ନାମିତ କରାଯାଇଥିଲା।
ଏଥିସହ ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସ୍ରଷ୍ଟାମାନଙ୍କର କାଳଜୟୀ କବିତା ଓ ଉପନ୍ୟାସର ଫଟୋଚିତ୍ରକୁ ସ୍ଥାନିତ କରାଯିବା ସହ ବରପୁତ୍ର ମାନଙ୍କ ଜୀବନୀ ସମ୍ବନ୍ଧୀୟ ବିବରଣୀର ଫଟୋଚିତ୍ରକୁ ମଧ୍ୟ ମହୋତ୍ସବର ପ୍ରମୁଖ ସ୍ଥାନମାନଙ୍କରେ ସ୍ଥାନିତ କରାଯାଇଥିଲା।
ଓଡ଼ିଶାର ମହିଳା ସ୍ୱାଧୀନତା ସଂଗ୍ରାମୀ ଓ ଲୌହମାନବ ସର୍ଦ୍ଦାର ପଟେଲଙ୍କ ଜୀବନୀ (ସର୍ଦ୍ଦାର @୧୫୦) କୁ ନେଇ ଦୁଇଟି ଥିମ୍ ପାଭିଲିୟନ ନିର୍ମାଣ କରାଯାଇଥିଲା। ପାଭିଲିୟନରେ ଓଡ଼ିଶାର ବିଶିଷ୍ଟ ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋଚିତ୍ର ସହ ସର୍ଦ୍ଦାର ପଟେଲଙ୍କ ଜୀବନୀକୁ ଚିତ୍ରକଳା ମାଧ୍ୟମରେ ଖୁବ ସୁନ୍ଦର ଭାବେ ପ୍ରଦର୍ଶିତ କରା ଯାଇଥିଲା |
ପୁସ୍ତକ ମହୋତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ପ୍ରକାଶନ ସଂସ୍ଥା ପକ୍ଷରୁ କବି ରମାକାନ୍ତ ରଥ ମଞ୍ଚ ଓ ବାଜି ରାଉତ ମଞ୍ଚରେ ସାହିତ୍ୟ ଆଲୋଚନା ଚକ୍ର ଓ କବିତା ପାଠ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏଥିସହ ଚଳିତ ବର୍ଷ ପୁସ୍ତକ ମହୋତ୍ସବରେ ବିଭିନ୍ନ ପ୍ରକାଶନ ସଂସ୍ଥା ପକ୍ଷରୁ ୧୦୦ରୁ ଉର୍ଦ୍ଧ୍ୱ ପୁସ୍ତକ ଉନ୍ମୋଚିତ ହୋଇଥିଲା।
ଶୀତୁଆ ସନ୍ଧ୍ୟାରେ ବହି କିଣିବା ସହ କଫି ପିଇବା ପାଇଁ କୋରାପୁଟ କଫି ଷ୍ଟଲରେ ପାଠକମାନଙ୍କର ବେଶ୍ ଭିଡ଼ ଦେଖିବାକୁ ମିଳିଥିଲା। କଫି ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ଫୁଡ଼ ଷ୍ଟଲରେ ମିଲେଟ ଦ୍ୱାରା ପ୍ରସ୍ତୁତ ଖାଦ୍ୟକୁ ସମସ୍ତେ ବେଶ୍ ପସନ୍ଦ କରିଥିଲେ।
ଏଥିସହ ପୁସ୍ତକ ମହୋତ୍ସବର ଆକର୍ଷଣର କେନ୍ଦ୍ର ସାଜିଥିଲା ସେଲ୍ଫି ପଏଣ୍ଟ। ମହାକବି ସାରଳା ଦାସଙ୍କ ଠାରୁ ନେଇ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, କବି ରମାକାନ୍ତଙ୍କ ରଚିତ ଶ୍ରୀରାଧା, କାଳଜୟୀ କବିତା ଚିଲିକା, ଉପନ୍ୟାସ ଯାଜ୍ଞସେନୀ, ପୁସ୍ତକ ନର କିନ୍ନର, ଯନ୍ତ୍ରାରୂଢ଼, ବୈଦେହୀଶ ବିଳାସ, ବୁକର ପୁରସ୍କାର ପ୍ରାପ୍ତ ପୁସ୍ତକ ଦ ସେଭେନ ମୁନ୍ସ ଅଫ୍ ମାଲି ଅଲମେଡ଼ା ଆଦିର ଫଟୋଚିତ୍ରକୁ ସେଲ୍ଫି ପଏଣ୍ଟରେ ସ୍ଥାନିତ କରାଯାଇଛି। ସେଲ୍ଫି ପଏଣ୍ଟରେ ପାଠକମାନେ ଫଟୋ ଉଠାଇ "ପୃଷ୍ଠା ଖୋଲନ୍ତୁ, ସ୍ୱପ୍ନକୁ ଜାଗ୍ରତ କରନ୍ତୁ" ହ୍ୟାଚ୍ଟ୍ୟାଗ ବ୍ୟବହାର କରି ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ।
ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଷ୍ଟଡ଼ି ଟୁରରେ ପୁସ୍ତକ ମହୋତ୍ସବ ବୁଲିବାକୁ ଆସୁଥିଲେ
ଏଥିସହ ଧାର୍ମିକ ଓ ଗବେଷଣାତ୍ମକ ପୁସ୍ତକ କିଣିବା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ଷ୍ଟଲ, ଗୀତା ପ୍ରେସ୍, ଗୋରଖପୁର, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଷ୍ଟଲ ଗୁଡ଼ିକ ପାଠକମାନଙ୍କର ପ୍ରଥମ ପସନ୍ଦ ରହିଥିଲା।
ପୁରସ୍କାର ପ୍ରାପ୍ତ ସାହିତ୍ୟ ପୁସ୍ତକ, କ୍ଲାସିକ ଇଂରାଜୀ ଉପନ୍ୟାସ, ଅନୁଦିତ ସାହିତ୍ୟ ଓ ଆକାଡେମିକ ପାଠ୍ୟ ପୁସ୍ତକ ଏବଂ ଗ୍ରାଫିକ ଉପନ୍ୟାସ ଯୁବପାଠକଙ୍କ ମନ ମୋହିଥିଲା।
ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସ୍ରଷ୍ଟା ଫକୀର ମୋହନ, ରାଧାନାଥ ରାୟ, ଗୋପବନ୍ଧୁ ଦାସ, ମଧୁସୂଦନ ଦାସଙ୍କ ସମେତ ଯୁବ ଲେଖକ ଏବଂ ବିଦେଶୀ ଲେଖକ ଷ୍ଟିଫେନ୍ କିଙ୍ଗ, କଲିନ୍ ହୁଭର, ଜିଲିଆନ୍ ଫ୍ଲିନ, ଲିଆନ ମୋରିଆର୍ଟି, ଜନ ଗ୍ରୀସମ୍ ଭିକ୍ଟୋରିଆ ଏବେୟାର୍ଡ଼ଙ୍କ ଲିଖିତ ପୁସ୍ତକକୁ ପାଠକମାନେ ବେଶ ପସନ୍ଦ କରିଥିଲେ। ଜାପାନ ଦେଶର ପ୍ରସିଦ୍ଧ ଲେଖକ ଓସାମା ତେକୁକା, ଜୁନ୍ଜି ଇଟୋ, ମାସାଶି କିଶିମୋଟୋଙ୍କ ଲିଖିତ ଗ୍ରାଫିକ ଉପନ୍ୟାସ ଆକର୍ଷଣର କେନ୍ଦ୍ର ରହିଥିଲା।
ଚଳିତ ବର୍ଷ ପୁସ୍ତକ ମହୋତ୍ସବରେ ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ପକ୍ଷରୁ ଏକ ଲାଇଭ୍ ସ୍କେଚିଙ୍ଗ କାଉଣ୍ଟର ନିର୍ମାଣ କରାଯାଇଥିଲା।
ପ୍ରତିଦିନ ସନ୍ଧ୍ୟାରେ ମହାବିଦ୍ୟାଳୟର ୮ଜଣ ଛାତ୍ର ଏଠାରେ ରହି ପାଠକମାନଙ୍କର ଲାଇଭ ସ୍କେଚିଙ୍ଗ କରୁଥିଲେ।
ବିତ୍ତୀୟ ସାକ୍ଷରତା, ଜନଗଣନା ଓ ସାଇବର ସଚେତନତା ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ଼, ଜନ ସଚେତନତା ଏବଂ ଟେଲିକମ୍ ବିଭାଗ ପକ୍ଷରୁ ପୁସ୍ତକ ମହୋତ୍ସବରେ ଷ୍ଟଲ ନିର୍ମାଣ କରାଯାଇଥିଲା।
ଚଳିତ ବର୍ଷ ପୁସ୍ତକ ମହୋତ୍ସବ ପଡ଼ିଆରେ ଦର୍ଶକମାନେ ଦେଖିଥିଲେ ଯନ୍ତ୍ର ଚାଳିତ ରୋବର୍ଟ, ଯାହା ଫଟୋ ଉଠାଇବା ସହ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟ କରିପାରୁଥିଲା
ଏଥିସହ ଡିସେମ୍ବର ୯ ତାରିଖ ଦିନ ଟି-୨୦ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ର ଲାଇଭ ଷ୍ଟ୍ରିମିଙ୍ଗକୁ ଏଲଇଡ଼ି ପରଦାରେ ପ୍ରଦର୍ଶିତ କରାଯାଇଥିଲା।
ପୁସ୍ତକ ମହୋତ୍ସବ ପରିଦର୍ଶନରେ ମନ୍ତ୍ରୀ, ବିଧାୟକ ଓ ବିଶିଷ୍ଟ ବ୍ୟକ୍ତିବିଶେଷ*
ମାନ୍ୟବର ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ପୁସ୍ତକ ମହୋତ୍ସବର ଉଦ୍ଘାଟନ କରିବା ସହ ମହୋତ୍ସବରୁ ବହି କିଣିଥିଲେ। ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ,
ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ
ଓଡ଼ିଶା ବିଧାନସଭା ପାଠାଗାର ସବ-କମିଟିର ଅଧ୍ୟକ୍ଷ ତଥା ବିଧାୟକ କୋରେଇ ଶ୍ରୀ ଆକାଶ ଦାସ ନାୟକ,
ସଦସ୍ୟ ବିଧାୟକ ଜୟଦେବ ଶ୍ରୀ ନବ କିଶୋର ମଲ୍ଲିକ,
ବିଧାୟକ ପାଟକୁରା ଶ୍ରୀ ଅରବିନ୍ଦ ମହାପାତ୍ର
ବିଶିଷ୍ଟ ସାହିତ୍ୟିକା ଶ୍ରୀମତୀ ପ୍ରତିଭା ରାୟ,
ବିଶିଷ୍ଟ ସାହିତ୍ୟିକ ଶ୍ରୀ ଦେବଦାସ ଛୋଟରାୟ,
ଶ୍ରୀ ଚନ୍ଦ୍ରଭାନୁ ଶତପଥୀ
ଉଦଯାପନୀ ସନ୍ଧ୍ୟାରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ,
କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକା ଶ୍ରୀମତୀ ଯଶୋଧରା ମିଶ୍ର ପୁସ୍ତକ ମହୋତ୍ସବରେ ଯୋଗଦେଇଥିଲେ।
ପୁସ୍ତକ ମହୋତ୍ସବକୁ ନେଇ ସେମାନେ ଯାହା କୁହନ୍ତି:
ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ* -"ପୁସ୍ତକ ହେଉଛି ଜ୍ଞାନର ଭଣ୍ଡାର। ଏହା ଆମର ଚିନ୍ତା-ଚେତନା, ଭାବ-ଭାବନାକୁ ପରିପୁଷ୍ଟ କରିଥାଏ"।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ* - "ବହିର ବିକଳ୍ପ ନାହିଁ। ଆମର ପ୍ରାଚୀନ ଭାଷା ଓ ସାହିତ୍ୟକୁ ଋଦ୍ଧିମନ୍ତ କରିବା ଆମର ଦାୟିତ୍ୱ"।
ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ* - "ବହି ସାମାନ୍ୟ କାଗଜରେ ସମ୍ବଳିତ କେତେକ ପୃଷ୍ଠାର ସମାହାର ନୁହେଁ, ବହି ଗୋଟିଏ ଉଚ୍ଛ୍ବାସ, ଗୋଟିଏ ଉନ୍ମାଦ, ବହି ଗୋଟିଏ ଅନୁଭବ ଏବଂ ଆଗାମୀ ଭବିଷ୍ୟତକୁ ଲେଖୁଥିବା ଉପାଦାନ"।
ଜ୍ଞାନପୀଠ ପୁରସ୍କାର ବିଜେତା ଡ଼. ପ୍ରତିଭା ରାୟ* - "ଆଜିର ବସ୍ତୁବାଦୀ ଦୁନିଆରେ ପୁସ୍ତକ ହେଉଛି ଚେତନାର ମାର୍ଗଦର୍ଶକ। ପୁସ୍ତକକୁ ଉପହାରରେ ଦିଅନ୍ତୁ, ପୁସ୍ତକକୁ ଅଗ୍ରାଧିକାର ଦିଅନ୍ତୁ"।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଶ୍ରୀମତୀ ଯଶୋଧରା ମିଶ୍ର* -" ପୁସ୍ତକ ଆମ ସମାଜର ଦର୍ପଣ। ପୁସ୍ତକ ବିନା ବିକଶିତ ସମାଜର ପରିକଳ୍ପନା କରି ହେବ ନାହିଁ"।