ସୁପ୍ରିମ କୋର୍ଟଙ୍କ ନିର୍ଦେଶନାମା ଜନସାଧାରଣଙ୍କ ଜୀବନ ଶୈଳୀର ସହାୟକ ପାଇଁ ମାର୍ଗଦର୍ଶକ...
ସୁପ୍ରିମ କୋର୍ଟଙ୍କ ନିର୍ଦେଶନାମା ଜନସାଧାରଣଙ୍କ ଜୀବନ ଶୈଳୀର ସହାୟକ ପାଇଁ ମାର୍ଗଦର୍ଶକ...
ଦେଶର ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଏବଂ ସଡ଼କ ଦୁର୍ଘଟଣା ଜନିତ ଚିକିତ୍ସା ବ୍ୟବସ୍ଥାରେ ଏକ ଐତିହାସିକ ସୁଧାର ଆଣିଛନ୍ତି ସୁପ୍ରିମକୋର୍ଟ ।
ସର୍ବୋଚ୍ଚ ଅଦାଲତ ନିଜ ରାୟରେ କହିଛନ୍ତି ଯେ, ଦୁର୍ଘଟଣା ପରବର୍ତ୍ତୀ ଜରୁରୀକାଳୀନ ଚିକିତ୍ସା ବା ‘ଟ୍ରମା କେୟାର’ ସମ୍ବିଧାନର ଧାରା ୨୧ (Article 21) ଅନୁଯାୟୀ ନାଗରିକଙ୍କ ମୌଳିକ ଜୀବନ ଜୀବିକା ରକ୍ଷା ଅଧିକାରର ଏକ ଅବିଚ୍ଛେଦ୍ୟ ଅଙ୍ଗ ।
ଏଥିସହ ସାରା ଦେଶରେ ଜରୁରୀକାଳୀନ ଭିତ୍ତିଭୂମିର କାୟାକଳ୍ପ ବଦଳାଇବା ପାଇଁ କୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।
ମାନ୍ୟବର ବିଚାରପତି ଜେ.କେ. ମାହେଶ୍ୱରୀ ଏବଂ ବିଚାରପତି ଏ.ଏସ. ଚାନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ:ଆସନ୍ତା ୩ ମାସ ମଧ୍ୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କର ସମସ୍ତ ଜରୁରୀକାଳୀନ ଏବଂ ଆମ୍ବୁଲାନ୍ସ ହେଲ୍ପଲାଇନ ନମ୍ବରକୁ ଏକୀକୃତ ହେଲ୍ପଲାଇନ ନମ୍ବର ‘112’ ସହ ସମ୍ପୂର୍ଣ୍ଣ ସଂଯୋଗ କରିବେ ।
କେନ୍ଦ୍ର ସରକାରଙ୍କ କ୍ୟାସଲେସ୍ ଚିକିତ୍ସା ଯୋଜନା ‘ପିଏମ ରାହାତ’ (PM RAHAT) କୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ କୋର୍ଟ କହିଛନ୍ତି ।
ଦୁର୍ଘଟଣା ସମୟରେ ସାହାଯ୍ୟ କରୁଥିବା ବ୍ୟକ୍ତି ବା ‘ଗୁଡ୍ ସମାରିଟାନ’ ମାନଙ୍କ ସୁରକ୍ଷା ଓ ଅଭିଯୋଗର ସମାଧାନ ପାଇଁ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
”ଜରୁରୀ ସମୟରେ ତତ୍ପରତା ଦେଖାଇବା ହିଁ ପ୍ରକୃତ ଔଷଧ ସଦୃଶ,” ବୋଲି ସୁପ୍ରିମକୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି ।
ସାଧାରଣତଃ ଦୁର୍ଘଟଣା ସମୟରେ ଆଇନଗତ ପ୍ରକ୍ରିୟା ଏବଂ ପୋଲିସ ଝାମେଲାର ଭୟ ଯୋଗୁଁ ପ୍ରତ୍ୟକ୍ଷଦର୍ଶୀମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦେଇଥାନ୍ତି ।
ଏହି ଭୟ ଦୂର କରିବା ପାଇଁ କୋର୍ଟ କହିଛନ୍ତି ଯେ, ୧ ମାସ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିଭିନ୍ନ ଭାଷାରେ ଗଣମାଧ୍ୟମ ଜରିଆରେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରନ୍ତୁ ।
ଏଥିରେ ‘ହେଲ୍ପଲାଇନ 112’ ଏବଂ ମୋଟର ଯାନ ଆକ୍ଟର ସେକସନ 134A ଅନୁଯାୟୀ ‘ଗୁଡ୍ ସମାରିଟାନ’ (ସାହାଯ୍ୟକାରୀ) ମାନଙ୍କୁ ମିଳୁଥିବା ଆଇନଗତ ସୁରକ୍ଷା ବିଷୟରେ ଲୋକଙ୍କୁ ଜଣାଯିବ ।
ସୁପ୍ରିମକୋର୍ଟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ୮ ସପ୍ତାହ ମଧ୍ୟରେ ଏକ ‘ଟ୍ରମା ରେଜିଷ୍ଟ୍ରି’ ପାଇଁ ମାନକ ଡାଟା ଫର୍ମାଟ୍ ପ୍ରସ୍ତୁତ କରିବାକୁ ଗାଇଡଲାଇନ ଜାରି କରିବାକୁ କହିଛନ୍ତି ।
‘ସେଭ୍ ଲାଇଫ୍ ଫାଉଣ୍ଡେସନ’ ପକ୍ଷରୁ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।
ଆସନ୍ତା ୪ ମାସ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।