ୟୁପିଆଇ ବ୍ୟବହାରକାରୀଙ୍କ ପାଇଁ କୌଣସି ଶୁଳ୍କ ନାହିଁ

ବ୍ୟବସାୟୀମାନଙ୍କ ପାଇଁ ବିନା ଶୁଳ୍କରେ ଜାରି ରହିବ ଅଧିକାଂଶ କାରବାର...

Aug 9, 2026 - 09:53
 3
ୟୁପିଆଇ ବ୍ୟବହାରକାରୀଙ୍କ ପାଇଁ କୌଣସି ଶୁଳ୍କ ନାହିଁ

ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ୟୁପିଆଇର ଦୀର୍ଘକାଳୀନ ସ୍ଥାୟୀତ୍ୱ ସୁନିଶ୍ଚିତ କରିବ ପିଏସ୍‍ଏସ୍‍ ଆଇନର ସଂଶୋଧନ

ବର୍ତ୍ତମାନ ଭଳି ଆଗକୁ ମଧ୍ୟ ଗ୍ରାହକମାନଙ୍କ ଲାଗି ୟୁପିଆଇ କାରବାର ସମ୍ପୂର୍ଣ୍ଣ ମାଗଣା ରହିବ। 

ସଂସଦରେ କର ପ୍ରଣାଳୀ ଏବଂ ଅନ୍ୟାନ୍ୟ ନିୟମ (ସଂଶୋଧନ) ବିଲ୍, ୨୦୨୬ ପାରିତ ହେବା ପରେ ୟୁପିଆଇ କାରବାର ଶୁଳ୍କଯୁକ୍ତ ହୋଇଯିବ ବୋଲି ଯେଉଁ ପ୍ରଚାର ଚାଲିଛି ତାହାକୁ ଖଣ୍ଡନ କରିଛନ୍ତି ଅର୍ଥ ମନ୍ତ୍ରଣାଳୟ। 

ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ଏ ବିଷୟକୁ ସ୍ପଷ୍ଟ କରାଯାଇଛି। ଏଥିରେ କୁହାଯାଇଛି: 

ବ୍ୟବହାରକାରୀଙ୍କ ପାଇଁ କୌଣସି ଶୁଳ୍କ ନାହିଁ: ଦେୟ ପଇଠ କରୁଥିବା ଗ୍ରାହକମାନଙ୍କୁ କୌଣସି କାରବାର ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ବ୍ୟକ୍ତ-ବ୍ୟକ୍ତି ଭିତରେ ସବୁ କାରବାର ସମ୍ପୂର୍ଣ୍ଣ ମାଗଣା: ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସମସ୍ତ କାରବାର ପୂର୍ବପରି ମାଗଣା ରହିବ।

ବ୍ୟବସାୟୀଙ୍କ ପାଇଁ ଲାଗୁ ହେବ ନାମମାତ୍ର ଏମଡିଆର୍‍ ଶୁଳ୍କ : ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ, ଯଦି ଭବିଷ୍ୟତରେ କାରବାର ଲାଗି କୌଣସି ଏମଡିଆର୍‍ ଶୁଳ୍କ ଲାଗୁ କରାଯାଏ, ତେବେ ତାହା କେବଳ ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ କେତେକ ସୀମିତ ବ୍ୟବସାୟୀ କାରବାର ଲାଗୁ ହେବ। ଏହାପୁଣି ଡେବିଟ ବା କ୍ରେଡିଟ କାର୍ଡ କାରବାରଠାରୁ କମ୍‍ ରହିବ।  

????ୟୁପିଆଇରେ ବ୍ୟବସାୟୀଙ୍କ ପାଇଁ ଅଧିକାଂଶ କାରବାର ସମ୍ପୂର୍ଣ୍ଣ ମାଗଣା ରହିବ। ଯଦି ଏମଡିଆର୍‍ ଶୁଳ୍କ ଲାଗୁ ହୁଏ, ତାହା କେବଳ ସୀମା-ଆଧାରିତ ହେବ ଏବଂ ସମସ୍ତଙ୍କ ଉପରେ ସାଧାରଣ ଭାବେ ଲାଗୁ ହେବ ନାହିଁ।

ସଂସଦରେ କର ପ୍ରଣାଳୀ ଏବଂ ଅନ୍ୟାନ୍ୟ ନିୟମ (ସଂଶୋଧନ) ବିଲ୍, ୨୦୨୬ ପାରିତ ହେବାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ। ଏଥିରେ କୁହାଯାଇଛି ଯେ, ଏହି ସଂଶୋଧନରେ ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ ସିଷ୍ଟମ୍ସ ଆକ୍ଟ,-୨୦୦୭ ର ଧାରା ୧୦ (କ)ରେ ସଂଶୋଧନର ପ୍ରସ୍ତାବ ଦିଆଯାଇଛି। ହେଲେ ଏହି ସଂଶୋଧନ ସମ୍ବନ୍ଧିତ ନିଷ୍ପତ୍ତି ଏନପିସିଆଇ ଅଧୀନରେ ଥିବା “ୟୁପିଆଇ ଏବଂ ସେବା ଷ୍ଟିଅରିଂ କମିଟି” ହିଁ ନିଷ୍ପତ୍ତି ନେବ।

ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ ସିଷ୍ଟମ୍ସ ଆକ୍ଟ ରେ କାହିଁକି ସଂଶୋଧନ କରାଯାଉଛି?

ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ ସିଷ୍ଟମ୍ସ ଆଇନରେ ହୋଇଥିବା ସଂଶୋଧନକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି, ଯାହାକୁ କେତେକ ସାଧାରଣ ବ୍ୟବହାରକାରୀଙ୍କ ଉପରେ ଶୁଳ୍କ ଲଗାଇବାର ପଦକ୍ଷେପ ଭାବରେ ଭୁଲ୍ ବୁଝିଛନ୍ତି। 

ବାସ୍ତବରେ, ଏହି ସଂଶୋଧନ ହେଉଛି ଏକ ସହାୟକ ପ୍ରାବଧାନ ଯାହା ୟୁପିଆଇର ଦୀର୍ଘକାଳୀନ ସ୍ଥାୟିତ୍ୱ, ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ଏବଂ ନୂତନ ବିପଦରୁ ସୁରକ୍ଷା ନିଶ୍ଚିତ କରିବା ପାଇଁ ପ୍ରସ୍ତୁତ କରାଯାଇଛି।

????ୟୁପିଆଇର ଅଭିବୃଦ୍ଧି: କାରବାରର ପରିମାଣ ଜ୍ୟାମିତିକ ହାରରେ ବୃଦ୍ଧି ପାଉଥିବାରୁ, ସାଇବର ସୁରକ୍ଷା, ଜାଲିଆତି ରୋକିବା ଏବଂ ଭିତ୍ତିଭୂମିରେ ନିରନ୍ତର ଏବଂ ବୃହତ ଉନ୍ନତିର ଆବଶ୍ୟକତା ରହିଛି।

????ବଜାରର ପ୍ରସାର: ଅଧିକ ସଂଖ୍ୟକ କମ୍ପାନୀକୁ ସେମାନଙ୍କର କାର୍ଯ୍ୟକଳାପ ପ୍ରସାରିତ କରିବାକୁ ଉତ୍ସାହିତ କରି ପ୍ରତିଯୋଗିତା ବୃଦ୍ଧି କରିବା ଆବଶ୍ୟକ, ଯାହା ପାଇଁ ଏକ ସ୍ୱୟଂ-ସହାୟକ ଆୟ ମଡେଲ୍ ଦରକାର।

????ସ୍ୱୟଂ-ସ୍ଥାୟିତ୍ୱ: କେବଳ ସବସିଡି ଉପରେ ନିର୍ଭରଶୀଳତା ପରବର୍ତ୍ତୀ ଅଭିବୃଦ୍ଧି ପାଇଁ ସମ୍ଭବ ନୁହେଁ। ୟୁପିଆଇ ସୁଦୃଢ଼, ସର୍ବବ୍ୟାପୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବା ନିଶ୍ଚିତ କରିବାକୁ ଏକ ସନ୍ତୁଳିତ ଢାଞ୍ଚା ଆବଶ୍ୟକ।

ଭ୍ରାନ୍ତ ଧାରଣା ଏବଂ ମିଥ୍ୟା ସମ୍ବାଦର ସ୍ପଷ୍ଟୀକରଣ

କେତେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ବାହ୍ୟ ପ୍ରଭାବ ଯୋଗୁଁ ନୀତିଗତ ପରିବର୍ତ୍ତନ ହେଉଛି। ଏହା ସମ୍ପୂର୍ଣ୍ଣ ଆଧାରହୀନ, ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭ୍ରାନ୍ତିକର। 

ଯଦି ବାହ୍ୟ ଚାପ ଏକ କାରଣ ହୋଇଥାନ୍ତା, ତେବେ ସରକାର ୨୦୧୬ ରେ ୟୁପିଆଇ ଆରମ୍ଭ କରିନଥାନ୍ତେ କିମ୍ବା ଜାନୁଆରୀ ୨୦୨୦ରୁ ବ୍ୟବସାୟୀ ଏବଂ ନାଗରିକ ଉଭୟଙ୍କ ପାଇଁ ଏହାକୁ ମାଗଣା କରିନଥାନ୍ତେ ଏବଂ ଏହାକୁ ବିଶ୍ୱର ସବୁଠାରୁ ବଡ଼ ରିଅଲ-ଟାଇମ୍ ଇଣ୍ଟର-ଓପରେବଲ୍ ପେମେଣ୍ଟ ସିଷ୍ଟମ୍‌ରେ ପରିଣତ କରିନଥାନ୍ତେ।

ତେଣୁ, ଭାରତର ଡିଜିଟାଲ୍ ପେମେଣ୍ଟ ଭିତ୍ତିଭୂମି ଯେପରି ସ୍ଥାୟୀ, ପ୍ରତିଯୋଗିତାମୂଳକ, ନବସୃଜନକାରୀ ଏବଂ ଦେଶର ଦ୍ରୁତ ପ୍ରସାରିତ ଡିଜିଟାଲ୍ ଅର୍ଥବ୍ୟବସ୍ଥାକୁ ସେବା ଯୋଗାଇବାରେ ସକ୍ଷମ ରହିବ, ସରକାରଙ୍କ ସେହି ବୃହତ ଉଦ୍ଦେଶ୍ୟ ଆଧାରରେ ଏହି ସଂଶୋଧନକୁ ଦେଖାଯିବା ଉଚିତ୍।

ସତ୍ୟ ଅତି ସରଳ: ୟୁପିଆଇ ହେଉଛି ଭାରତର ନିଜସ୍ୱ ନବସୃଜନ, ଏବଂ ସରକାର ନାଗରିକମାନଙ୍କ ପାଇଁ ଏହାକୁ ମାଗଣାରେ ରଖିବା ସହ ଆଗାମୀ ଦଶନ୍ଧି ଗୁଡ଼ିକ ପାଇଁ ଏହାର ସ୍ଥାୟିତ୍ୱ ନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ।

ଅଭିବୃଦ୍ଧିର ପରବର୍ତ୍ତୀ ଲହରୀ

ଭାରତ ଏବେ ଡିଜିଟାଲ୍ ପେମେଣ୍ଟ ଅଭିବୃଦ୍ଧିର ପରବର୍ତ୍ତୀ ଲହରିର ଦ୍ୱାରଦେଶରେ ଛିଡ଼ା ହୋଇଛି।

ୟୁପିଆଇକୁ ଗ୍ରାମାଞ୍ଚଳ ଏବଂ ସହରତଳିକୁ ଅଧିକ ପ୍ରସାରିତ କରିବା ଏବଂ ପ୍ରତିଯୋଗିତା ଜାରି ରଖିବା ପାଇଁ, ୟୁପିଆଇ ପରିସଂସ୍ଥା ସ୍ୱୟଂ-ସଂରକ୍ଷଣକ୍ଷମଏବଂ ସୁଲଭ ହେବା ଆବଶ୍ୟକ। 

ପିଏସ୍‍ଏସ୍‍ ଆଇନରେ ହୋଇଥିବା ସଂଶୋଧନ ହେଉଛି ଏକ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ, ଯାହା ନିଶ୍ଚିତ କରେ ଯେ ୟୁପିଆଇ ଏକ ସୁରକ୍ଷିତ, ସୁଲଭ, ସର୍ବବ୍ୟାପୀ ଏବଂ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ପେମେଣ୍ଟ ସିଷ୍ଟମ୍ ଭାବରେ ସମୃଦ୍ଧ ହେବା ଜାରି ରଖିବ।

ଭାରତ ସରକାର ପୁନର୍ବାର ସ୍ପଷ୍ଟ କରିଛନ୍ତି:

????ୟୁପିଆଇ ନାଗରିକମାନଙ୍କ ପାଇଁ ମାଗଣା ରହିବ।

????ନାଗରିକଙ୍କ ଦୈନନ୍ଦିନ କାରବାର ଉପରେ କୌଣସି ଶୁଳ୍କ ଲାଗିବ ନାହିଁ।

????ଭବିଷ୍ୟତର କୌଣସି ବି ଏମ୍‍ଡିଆର ନାମମାତ୍ର ହେବ, ଏବଂ କେବଳ ସୀମିତ ସଂଖ୍ୟକ ବ୍ୟବସାୟୀ କାରବାର ଉପରେ ଲାଗୁ ହେବ।

????ୟୁପିଆଇ ଭାରତର ପ୍ରମୁଖ ଡିଜିଟାଲ୍ ନବସୃଜନ ଭାବରେ ଜାରି ରହିବ ଏବଂ ବିଶ୍ୱସ୍ତରରେ ପ୍ରସାରିତ ହେବ।

୨୦୧୬-୧୭ ରେ ଆରମ୍ଭ ହୋଇଥିବା ୟୁନିଫାଇଡ୍ ପେମେଣ୍ଟସ ଇଣ୍ଟରଫେସ୍ ( ୟୁପିଆଇ) ଭାରତର ଡିଜିଟାଲ୍ ଅର୍ଥବ୍ୟବସ୍ଥାକୁ ବିଶ୍ୱର ଅନ୍ୟତମ ଅନ୍ତର୍ଭୁକ୍ତୀକରଣ ଏବଂ ଗତିଶୀଳ ପେମେଣ୍ଟ ପରିସଂସ୍ଥାରେ ପରିଣତ କରିଛି। ରିଅଲ-ଟାଇମ୍, ଇଣ୍ଟର-ଓପରେବଲ୍ ପେମେଣ୍ଟରେ ଏକ ସାହସିକ ପରୀକ୍ଷଣ ଭାବରେ ଯାହା ଆରମ୍ଭ ହୋଇଥିଲା, ତାହା ଏବେ ଏକ ବିଶ୍ୱସ୍ତରୀୟ ମାନଦଣ୍ଡ ପାଲଟିଛି। ଏହାଦ୍ୱାରା ପ୍ରତିମାସରେ ଶହ ଶହ କୋଟି କାରବାର ପ୍ରକ୍ରିୟାକରଣ କରୁଛି ଏବଂ ଦୈନନ୍ଦିନ ଜୀବନର ଗଭୀରତାକୁ ସ୍ପର୍ଶ କରିଛି।

ୟୁପିଆଇ ବିଶ୍ୱର ସବୁଠାରୁ ବଡ଼ ରିଅଲ-ଟାଇମ୍ ପେମେଣ୍ଟ ସିଷ୍ଟମରେ ପରିଣତ ହୋଇଛି, ଯାହା କେବଳ ଜୁଲାଇ ୨୦୨୬ ରେ ₹୨୯.୯ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨,୩୬୬ କୋଟି କାରବାର ସମ୍ପାଦନ କରିଛି। 

ୟୁପିଆଇ ଏବେ ୧୧ଟି ବିଦେଶୀ ଦେଶରେ ମଧ୍ୟ କାର୍ଯ୍ୟକ୍ଷମ ଅଛି, ଏବଂ ଅନ୍ୟ ଅନେକ ଦେଶ ଏଥିରେ ଆଗ୍ରହ ପ୍ରକାଶ କରିଛନ୍ତି।

ୟୁପିଆଇ ହେଉଛି ଭାରତୀୟଙ୍କ ଦ୍ୱାରା, ଭାରତୀୟଙ୍କ ପାଇଁ ନିର୍ମିତ ଏକ ଜାତୀୟ ସଫଳତା। ସରକାର ଗୋଟିଏ ଦଶନ୍ଧି ଧରି ଏହାକୁ ପ୍ରୋତ୍ସାହିତ, ଅର୍ଥପ୍ରଦାନ ଏବଂ ବୃଦ୍ଧି କରିଛନ୍ତି, ଏବଂ ଆଗକୁ ମଧ୍ୟ ଜାରି ରଖିବେ। 

ନାଗରିକମାନଙ୍କୁ କେବଳ ଅର୍ଥ ମନ୍ତ୍ରଣାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଏନ୍‍ସିପିଆଇର ଅଫିସିଆଲ୍ ସୂଚନା ଉପରେ ନିର୍ଭର କରିବାକୁ ଏବଂ ଅଜଣା କିମ୍ବା ଯାଞ୍ଚ ହୋଇନଥିବା ମେସେଜ୍ ସେୟାର ନକରିବାକୁ ଅନୁରୋଧ କରିଛନ୍ତି ଭାରତ ସରକାର।