BIMSTEC ଜାତୀୟ ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ...

Jul 16, 2026 - 17:17
 14
BIMSTEC ଜାତୀୟ ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ...

ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ବାଧା ସୃଷ୍ଟି ହେବା ଭଳି ଅର୍ଥନୈତିକ ଆହ୍ୱାନର ମୁକାବିଲା କରିବା ପାଇଁ ବିମ୍‌ଷ୍ଟେକ୍ (BIMSTEC) ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଘନିଷ୍ଠ ସହଯୋଗ ଆବଶ୍ୟକ। 

ନୂଆଦିଲ୍ଲୀରେ ଅନୁଷ୍ଠିତ ବିମ୍‌ଷ୍ଟେକ୍ ଜାତୀୟ ନିରାପତ୍ତା ପ୍ରମୁଖମାନଙ୍କ ପଞ୍ଚମ ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବିଶ୍ୱସ୍ତରୀୟ ଯୋଗାଣ ବ୍ୟବସ୍ଥାରେ ବାଧା ଯୋଗୁଁ ସମସ୍ତ ସଦସ୍ୟ ଦେଶ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। 

ଏହି ସମସ୍ୟାର ସମାଧାନ ପାଇଁ ବିମ୍‌ଷ୍ଟେକ୍ ରାଷ୍ଟ୍ରଗୁଡ଼ିକୁ ପରସ୍ପର ସହ ମିଶି କାର୍ଯ୍ୟ କରିବାକୁ ଏବଂ ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। 

ସେ କହିଛନ୍ତି ଯେ, ବିମ୍‌ଷ୍ଟେକ୍ ଅଞ୍ଚଳ ଭାରତ ମହାସାଗରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଏବଂ ଗତିଶୀଳ ଅଞ୍ଚଳକୁ ଏକାଠି କରିଥାଏ, ଯାହାର ମିଳିତ ଜିଡିପି (GDP) ପ୍ରାୟ ୫ ଟ୍ରିଲିୟନ ଆମେରିକୀୟ ଡଲାର।

ଏହାଛଡ଼ା, ନୂତନ ନିରାପତ୍ତା ଆହ୍ୱାନର ମୁକାବିଲା ଏବଂ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଅଧିକ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। 

ସନ୍ତ୍ରାସବାଦ, ଅନ୍ତଃରାଷ୍ଟ୍ରୀୟ ସଂଗଠିତ ଅପରାଧ, ସାଇବର ବିପଦ ଏବଂ ସାମୁଦ୍ରିକ ନିରାପତ୍ତା ଆହ୍ୱାନର ମୁକାବିଲା କରିବାରେ ସଦସ୍ୟ ଦେଶଗୁଡ଼ିକ ବହୁତ ଅଗ୍ରଗତି କରିଛନ୍ତି। 

ଶ୍ରୀ ଡୋଭାଲ ଆହୁରି ମଧ୍ୟ କହିଛନ୍ତି ଯେ, ବିମ୍‌ଷ୍ଟେକ୍ ଦେଶଗୁଡ଼ିକ ଏକାଠି ହୋଇ ସବୁ ପ୍ରକାରର ନୂତନ ଏବଂ ଉଦୀୟମାନ ବିପଦର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ ଅଛନ୍ତି।