ଅପରିଚିତା ମହିଳାଙ୍କୁ ‘ଡାର୍ଲିଙ୍ଗ୍‌’ ଡାକିବା ଅପରାଧ

କୋଲ୍‌କାତା: କୌଣସି ଅପରିଚିତା ମହିଳାଙ୍କୁ ‘ଡାର୍ଲିଙ୍ଗ୍‌’ ବୋଲି ସମ୍ବୋଧନ କରିବା ଅପରାଧ ବୋଲି ଶୁକ୍ରବାର ଦିନ କୋଲ୍‌କାତା ହାଇକୋର୍ଟ କହିଛନ୍ତି। ନିମ୍ନ ଅଦାଲତଙ୍କଦ୍ବାରା ୩ ମାସ କାରାଦଣ୍ଡାଦେଶ ପାଇଥିବା ଜନକ ରାମ୍‌ଙ୍କ ଅଭିଯୋଗ ଶୁଣାଣି ବେଳେ ବିଚାରପତି ଜୟ ସେନଗୁପ୍ତାଙ୍କ ଖଣ୍ଡପୀଠ କହିଲେ ଯେ, ଧାରା ୩୫୪ଏ(୧)(ଘ) ଅନୁସାରେ, ‘ଡାର୍ଲିଙ୍ଗ୍‌’ ହେଉଛି ଅପରାଧିକ ଏବଂ ଯୌନ ଅଭିସନ୍ଧି ଥିବା ଶବ୍ଦ।ପୋର୍ଟ ବ୍ଲେୟାର୍‌ସ୍ଥିତ ସର୍କିଟ ବେଞ୍ଚ୍‌ରେ କାଲ୍‌କାଟା ହାଇକୋର୍ଟର ବିଚାରପତି ଏହି ଆବେଦନର ଶୁଣାଣି କରୁଥିଲେ। ସୂଚନାଯୋଗ୍ୟ, ଆଣ୍ଡାମାନର ମାୟାବନ୍ଦର ଥାନା ଅଞ୍ଚଳରେ ୨୦୧୫ ଅକ୍ଟୋବର ୨୧ ତାରିଖ ଦିନ ଏକ ପୁଲିସ ଟିମ୍‌ ଚଢ଼ଉ କରିବାକୁ ଯାଇଥିବା ବେଳେ ଅଭିଯୁକ୍ତ ଜଣେ ମହିଳା ହେଡ୍‌ କନେଷ୍ଟବଳଙ୍କୁ କହିଥିଲେ, ‘କ୍ୟା ଡାର୍ଲିଙ୍ଗ୍‌ ଚାଲାନ୍‌ କର୍‌ନେ ଆୟି ହୈ କ୍ୟା’।ଉତ୍ସବମୁଖର ରାତିରେ କର୍ତ୍ତବ୍ୟରତ ଜଣେ ମହିଳା କନେଷ୍ଟବଳଙ୍କୁ ନିଶାସକ୍ତ ଅବସ୍ଥାରେ ଥିବା ଅଭିଯୁକ୍ତଙ୍କର ଏହି ମନ୍ତବ୍ୟକୁ ଅଦାଲତ ରୁଚିହୀନ ଓ କାମନା ପରିପ୍ରକାଶ ବୋଲି କହିଲେ। ନିମ୍ନ ଅଦାଲତ ଦେଇଥିବା ଦଣ୍ଡାଦେଶ ଯଥାର୍ଥ ବୋଲି କହିବା ସହିତ ହାଇକୋର୍ଟ ସଜା ଅବଧି ୩ ମାସରୁ ୧ ମାସକୁ ହ୍ରାସ କରିଛନ୍ତି।ଆଗରୁ ୨୦୨୩ ଏପ୍ରିଲ୍‌ରେ ଜଣେ ଜୁଡିସିଆଲ୍‌ ମା‌ଜିଷ୍ଟ୍ରେଟ୍‌ ଓ ପରେ ୨୦୨୩ ନଭେମ୍ବରରେ ଜଣେ ଜିଲ୍ଲା ଜଜ୍‌ ମଧ୍ୟ ରାମ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାକୁ ଚାଲେଞ୍ଜ୍‌ କରି ସେ ହାଇକୋର୍ଟରେ ଅଭିଯୋଗ କରିଥିଲେ।କିନ୍ତୁ, ‘ଡାର୍ଲିଙ୍ଗ୍‌’ କହିଲେ ବୋଲି ଜଣେ ବ୍ୟକ୍ତିଙ୍କୁ ମାସେ ଜେଲ୍‌ ପଠାଇବା ଟିକେ କଠୋର ହୋଇଯାଉଛି ବରଂ ତାଙ୍କୁ ଚେତାବନୀ ଦେଇ ଛାଡ଼ିଦେବା ଉଚିତ ଥିଲା ବୋଲି ପଶ୍ଚିମବଙ୍ଗର ପୂର୍ବତନ ଆଡ୍‌ଭୋକେଟ୍‌ ଜେନେରାଲ୍‌ ବିମଳ ଚାଟାର୍ଜୀ କହିଛନ୍ତି।

ଅପରିଚିତା ମହିଳାଙ୍କୁ ‘ଡାର୍ଲିଙ୍ଗ୍‌’ ଡାକିବା ଅପରାଧ