ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ର ସ୍ବତନ୍ତ୍ର ଅଭିଯାନ
ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗର ମାର୍ଗଦର୍ଶନରେ ନ୍ୟାୟ ବିଭାଗ, ବିଚାରାଧୀନ ମାମଲାଗୁଡ଼ିକର ସମାଧାନ ଏବଂ କାର୍ଯ୍ୟାଳୟ ପରିସରର ସଫାସୁତୁରା ଉପରେ ଧ୍ୟାନ ଦେବା ପାଇଁ ସ୍ବତନ୍ତ୍ର ଅଭିଯାନ ୫.୦ ଆରମ୍ଭ କରୁଛି। ଏହି ଅଭିଯାନ ଦୁଇଟି ପର୍ଯ୍ୟାୟରେ ପରିଚାଳିତ ହେବ। ପ୍ରଥମ ପର୍ଯ୍ୟାୟ ୧୫ ସେପ୍ଟେମ୍ବର ୨୦୨୫ରୁ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲିବ। ନ୍ୟାୟ ବିଭାଗର ବିଭିନ୍ନ ବିଚାରାଧୀନ ମାମଲା (ଯେପରିକି ସାଂସଦମାନଙ୍କ ସୁପାରିଶ, ସଂସଦୀୟ ପ୍ରତିଶ୍ରୁତି, ରାଜ୍ୟ ସରକାରଙ୍କ ସୁପାରିଶ, ଆନ୍ତଃ-ମନ୍ତ୍ରାଳୟ ସୁପାରିଶ, ସାଧାରଣ ଅଭିଯୋଗ, ଇତ୍ୟାଦି) ଚିହ୍ନଟ କରାଯିବ। ଏହି ପର୍ଯ୍ୟାୟ ମଧ୍ୟରେ, ସଫାସୁତୁରା ଏବଂ ଉନ୍ନତି ଆବଶ୍ୟକ କରୁଥିବା କ୍ଷେତ୍ରଗୁଡ଼ିକୁ ମଧ୍ୟ ଚିହ୍ନଟ କରାଯିବ।
ଦ୍ବିତୀୟ ପର୍ଯ୍ୟାୟ ୨ ଅକ୍ଟୋବର ୨୦୨୫ ରୁ ୩୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟରେ ସମସ୍ତ ବିଚାରାଧୀନ ମାମଲା ଚିହ୍ନଟ କରାଯିବ ଏବଂ କ୍ଷେତ୍ରଗୁଡ଼ିକୁ ସଫା କରାଯିବ। ନ୍ୟାୟ ବିଭାଗ ବିଚାରାଧୀନ ମାମଲାଗୁଡ଼ିକର ସମୟସୀମା ମଧ୍ୟରେ ସମାଧାନ ପାଇଁ ପ୍ରତିବଦ୍ଧ। ବିଭାଗ ସ୍ବତନ୍ତ୍ର ଅଭିଯାନ ୫.୦ ର ଅଗ୍ରଗତି ଉପରେ ନଜର ରଖିବ ଏବଂ ସ୍ବତନ୍ତ୍ର ଅଭିଯାନ ୫.୦ର ଉଦ୍ଦେଶ୍ୟରେ ସେପ୍ଟେମ୍ବର ୧୬,୨୦୨୫ ରେ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ବାରା ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଅଭିଯାନ ୫.୦ ପାଇଁ ଏକ ୱେବ୍ ପୋର୍ଟାଲରେ ପ୍ରତିଦିନ ରିପୋର୍ଟ ଅପଲୋଡ୍ କରିବ।
ଇତି ମଧ୍ୟରେ ନ୍ୟାୟ ବିଭାଗ ସ୍ବତନ୍ତ୍ର ଅଭିଯାନ ୫.୦ ର ସଫଳତା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେଉଛି। ନ୍ୟାୟ ବିଭାଗର ସାମଗ୍ରିକ କାର୍ଯ୍ୟକାରିତା ମଧ୍ୟରେ ଆବଶ୍ୟକୀୟ ପଦକ୍ଷେପ ନେବା ସହିତ, ଜାତୀୟ ନ୍ୟାୟିକ ଏକାଡେମୀ (ଏନଜେଏ), ଭୋପାଳ ଏବଂ ଭାରତୀୟ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ମଧ୍ଯ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଏହି ଅଭିଯାନର ସଫଳତା ସୁନିଶ୍ଚିତ କରିବା ପାଇଁ, ନ୍ୟାୟ ବିଭାଗର ଅଧିକାରୀ/କର୍ମଚାରୀମାନଙ୍କୁ ସେପ୍ଟେମ୍ବର ୯, ୨୦୨୫ ରେ ଅଭିଯାନ ବିଷୟରେ ସୂଚନା ଦିଆଯାଇଥିଲା। ଏହା ବ୍ୟତୀତ, ଅଭିଯାନ ଅବଧୂ ମଧ୍ୟରେ ପ୍ରତ୍ୟେକ ଦିନ ଗୋଟିଏ ଘଣ୍ଟା ଅଭିଯାନ ସହିତ ଜଡିତ ବିଷୟଗୁଡ଼ିକ ଉପରେ ଧ୍ୟାନ ଦେବା ପାଇଁ ନିର୍ଦ୍ଦିଷ୍ଟ କରାଯାଇଛି।