ଇନ୍ଦ୍ରାବତୀ ନଦୀ: ଇନ୍ଦ୍ରାଣୀଙ୍କ ଅଭିଶାପରୁ ଉତ୍ପତ୍ତି

ଓଡ଼ିଶାର କଳାହାଣ୍ଡି ଓ ନବରଙ୍ଗପୁର ଜିଲାର ଜୀବନରେଖା କୁହାଯାଉଥିବା ନଦୀ ହେଉଛି ଇନ୍ଦ୍ରାବତୀ। କଳାହାଣ୍ଡି ଜିଲାର ମର୍ଦ୍ଦିଗୁଡ଼ା ଗ୍ରାମର ଅଧିବାସୀ 'ମାତା ଇନ୍ଦ୍ରାବତୀ' ଭାବରେ ଏହି ନଦୀକୁ ପୂଜା କରିଥାନ୍ତି। ଏହି ନଦୀର ଉତ୍ପତ୍ତି ଖୁବ୍ ଆଶ୍ଚର୍ଯ୍ୟଜନକ ଭାବରେ ହୋଇଛି। ଦଣ୍ଡକାରଣ୍ୟର ପୂର୍ବଘାଟ ପର୍ବତମାଳାର ମର୍ଦ୍ଦିଗୁଡ଼ା ନାମକ ଏକ ଗ୍ରାମର ଉପକଣ୍ଠରେ ଥିବା ତେନ୍ତୁଳିଖୁଣ୍ଟିର ଏକ ଆମ୍ବଗଛ ମୂଳରୁ, ତିନୋଟି କ୍ଷୁଦ୍ର ସ୍ରୋତ ବାହାରି, ତଳକୁ ଆସି ଏକତ୍ର ହୋଇ ଏକ ନଦୀରେ ପରିଣତ ହୋଇଛନ୍ତି।
କଳାହାଣ୍ଡି ଓ ନବରଙ୍ଗପୁର ଜିଲା ଅତିକ୍ରମ କରି, ଏହି ନଦୀ ପଶ୍ଚିମାଭିଭୁଖୀ ହୋଇ, ଜଗଦଲପୁରଠାରେ ଛତିଶଗଡ଼ରେ ପ୍ରବେଶ କରିଛି। ଛତିଶଗଡ଼ରେ କିଛି ଦୂର ପ୍ରବାହିତ ହେବାପରେ, ଦକ୍ଷିଣାଭିମୁଖୀ ହୋଇ ମହାରାଷ୍ଟ୍ର, ଛତିଶଗଡ଼ ଓ ତେଲେଙ୍ଗାନାର ସୀମାରେ ଥିବା ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ଯାଇ ଛତିଶଗଡ଼ ପ୍ରଦେଶର ବିଜାପୁର ଜିଲାର ଭଦ୍ରକାଳୀଠାରେ ଗୋଦାବରୀ ନଦୀରେ ମିଳିତ ହୋଇଛି। ଦୀର୍ଘ ପାଞ୍ଚଶହରୁ ଅଧିକ କିଲୋମିଟର ପ୍ରବାହିତ ଏହି ନଦୀରେ ଅନେକ ଜଳପ୍ରକଳ୍ପ ନିର୍ମିତ ହୋଇ ଜଳବିଦ୍ୟୁତ୍ ଉତ୍ପାଦନରେ ସହାୟକ ହୋଇଛି। ପ୍ରତ୍ୟେକ ନଦୀର ଦିବ୍ୟଜନ୍ମ ପରି, ଇନ୍ଦ୍ରାବତୀର ଜନ୍ମଜାତକ ମଧ୍ୟ ଅତ୍ୟନ୍ତ ରହସ୍ୟାଚ୍ଛନ୍ନ।
ଏକଦା ଇନ୍ଦ୍ର ଓ ଇନ୍ଦ୍ରାଣୀ ଭ୍ରମଣ କରିବା ସମୟରେ, ପୃଥ୍ୱୀଲୋକରେ ଚମ୍ପା ଓ ଚନ୍ଦନରେ ସୁରଭିତ ଏକ ବନଭୂମି ଦେଖି ସେଠାରେ ବିହାର କରିବାକୁ ଆସିଲେ। ବନଭୂମିଟି ତାଙ୍କୁ ଏତେ ଭଲ ଲାଗିଲା, ଯେ ସେଠାରେ ସେମାନେ କିଛିଦିନ ରହି ବୁଲାବୁଲି କଲେ। ଏହିପରି ବୁଲୁବୁଲୁ ଇନ୍ଦ୍ର ସୁନାବେଡ଼ା ନାମକ ଏକ ଛୋଟ ଗ୍ରାମ ଭିତରକୁ ଚାଲିଗଲେ। ସେଠାରେ ସେ ଉଦନ୍ତୀ ନାମକ ଏକ କନ୍ୟାଙ୍କୁ ଦେଖିଲେ। ପ୍ରଥମ ଦେଖାରେ ସେମାନେ ପରସ୍ପରର ପ୍ରେମରେ ପଡ଼ିଗଲେ ଏବଂ ଇନ୍ଦ୍ର ସେଠାରେ ରହିଗଲେ। ଇନ୍ଦ୍ରାଣୀ ଇନ୍ଦ୍ରଙ୍କୁ ଖୋଜି ଖୋଜି ବ୍ୟସ୍ତ ହୋଇ ରୋଦନ କରିବାରୁ, ଗ୍ରାମବାସୀମାନେ ଇନ୍ଦ୍ରାଣୀଙ୍କୁ ଇନ୍ଦ୍ର ଓ ଉଦନ୍ତୀ କଥା ଜଣାଇଦେଲେ। ଇନ୍ଦ୍ରାଣୀ ସେଠାରେ ପହଞ୍ଚି ଇନ୍ଦ୍ରଙ୍କୁ ସ୍ୱର୍ଗକୁ ଫେରିଯିବାକୁ କହିବାରୁ ଇନ୍ଦ୍ର ରାଜି ହେଲେ ନାହିଁ। ଏଥିରେ କୁପିତ ହୋଇ ଇନ୍ଦ୍ରାଣୀ ଜଳକଣା ହୋଇ ସେଠାରେ ରହିବାକୁ ଇନ୍ଦ୍ରଙ୍କୁ ଅଭିଶାପ ଦେଲେ ଏବଂ ଇନ୍ଦ୍ରଙ୍କ ସହିତ କେବେ ମିଳିତ ନ ହେବାପାଇଁ ଉଦନ୍ତୀଙ୍କୁ ଅଭିଶାପ ଦେଲେ। ଫଳରେ ଇନ୍ଦ୍ର ଓ ଉଦନ୍ତୀ ଦୁଇଟି ସ୍ୱତନ୍ତ୍ର ଧାରା ହୋଇ ସେଠାରେ ବହିଲେ। ବହୁ ପଥ ଅତିକ୍ରମ କରି, ଏହି ଦୁଇ ଧାରା ଅନ୍ୟ ପାର୍ବତ୍ୟ ଜଳଧାର ସହିତ ମିଶି ଏକ ନଦୀ ସୃଷ୍ଟି କଲେ। ତାହାର ନାମ ହେଲା ଇନ୍ଦ୍ରାବତୀ। ଏହି ନଦୀକୁ ଯେପରି କଳାହାଣ୍ଡିର ଜୀବନରେଖା କୁହାଯାଏ, ଠିକ୍ ସେହିପରି ବସ୍ତରର ଜୀବନରେଖା ମଧ୍ୟ କୁହାଯାଏ। ଚାରିଟି ପ୍ରଦେଶକୁ ଏହାର ଜଳ ପ୍ଳାବିତ କରି କୃଷି ଜଳସେଚନର ଶ୍ରେଷ୍ଠ ମାଧ୍ୟମ ହୋଇଛି।