ଏନ୍‌ଗାରେ ଅତର୍କିତ ଆକ୍ରମଣ ; ଗୁଳି ମାଡ଼ରେ ୬୪ ମୃତ

ସିଡ୍‌ନି : ପାପୁଆ ନିୟୁ ଗିନିର ସୁଦୂର ପାହାଡ଼ୀ ପ୍ରଦେଶ ଏନ୍‌ଗାରେ ଅତର୍କିତ ଆକ୍ରମଣ ସମୟରେ ଗୁଳି ମାଡ଼ରେ ଅନ୍ୟୂନ ୬୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ହୋଇଛି । ଗତ ସପ୍ତାହାନ୍ତ ଏନ୍‌ଗା ପ୍ରଦେଶରେ ଘଟିଥିବା ଜନଜାତି ସଂଘର୍ଷ ସମୟରେ ଗୁଳିକାଣ୍ଡ ଘଟିବା ଯୋଗୁଁ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହୋଇଛି । କିନ୍ତୁ, ଠିକ୍‌ କେଉଁ ଦିନ ବା କେତେବେଳେ ସଂଘର୍ଷ ଘଟିଥିଲା, ସେ ବିଷୟରେ କୌଣସି ସୂଚନା ମିଳିନାହିଁ। ସୂଚନାଯୋଗ୍ୟ, ପାହାଡ଼ୀ ଅଞ୍ଚଳରେ ଦୀର୍ଘ ଦିନରୁ ସଂଘର୍ଷ ଚାଲି ଆସୁଥିଲେ ବି ଗତ କିଛି ବର୍ଷ ହେବ ଏକକାଳୀନ ଏତେ ସଂଖ୍ୟକ ଲୋକ ନିହତ ହୋଇ ନ ଥିଲେ।ରୟାଲ୍‌ ପାପୁଆ ନିୟୁ ଗିନି କନ୍‌ଷ୍ଟାବୁଲାରି ଆକ୍‌ଟିଙ୍ଗ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ଜର୍ଜ କାକାସ୍‌ କହିଛନ୍ତି, ଏନ୍‌ଗା ତଥା ସମଗ୍ର ପାହାଡ଼ୀ ଇଲାକାରେ ମୁଁ ଏଯାବତ୍‌ ଦେଖିଥିବା ନରସଂହାର ମଧ୍ୟରୁ ଏହା ସବୁଠୁ ଅଧିକ। ଏନ୍‌ଗାକୁ ବହୁ ପରିମାଣର ବେଆଇନ ଆଗ୍ନେୟାସ୍ତ୍ର ଆସୁଥିବାରୁ ସଂଘର୍ଷ ଅତି ଭୟାନକ ହେଉଛି। ମୁଖ୍ୟତଃ ଧନ ଓ ଜମିବାଡ଼ି କାରଣରୁ ଏଭଳି ସଂଘର୍ଷ ଘଟୁଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ଏନ୍‌ଗାରେ ଅତର୍କିତ ଆକ୍ରମଣ ; ଗୁଳି ମାଡ଼ରେ ୬୪ ମୃତ