ପାକିସ୍ତାନୀ ଗ୍ୟାଙ୍ଗ୍‌ଷ୍ଟର୍‌ ଅମୀର ବଲାଜ ଙ୍କୁ ଗୁଳି କରି ହତ୍ୟା

ଲାହୋର: ଲାହୋର୍‌ ଅଣ୍ଡର୍‌ୱାର୍ଲଡ୍‌ ଦୁନିଆରେ ସୁପରିଚିତ ନାଁ ତଥା ଏକ ମାଲ୍‌ ପରିବହନ ନେଟ୍‌ୱାର୍କର ମାଲିକ ଅମୀର୍‌ ବଲାଜ ଟିପୁଙ୍କୁ ରବିବାର ଦିନ ଗୁଳି ମାରି ହତ୍ୟା କରାଯାଇଥିବା କଥା ସମ୍ବାଦପତ୍ରରେ ପ୍ରକାଶ ପାଇଛି। ସୂଚନା ଅନୁଯାଇ, ଲାହୋରର ଚୁଙ୍ଗ୍‌ ଅଞ୍ଚଳରେ ଏକ ବିବାହ ଅନୁଷ୍ଠାନରେ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳିଚଳାଇଥିଲେ। ଅମୀର ବଲାଜ ଟିପୁ ହେଉଛନ୍ତି, ଆରିଫ୍‌ ଅମୀର ଓରଫ୍‌ ଟିପୁ ଟ୍ରକ୍‌ୱାଲାଙ୍କ ପୁଅ। ୨୦୧୦ରେ ଅଲ୍ଲାମା ଇକ୍‌ବାଲ୍‌ ଏୟାର୍‌ପୋର୍ଟରେ ଆରିଫ୍ ମାରାତ୍ମକ ଆକ୍ରମଣର ସରବ୍ୟ ହୋଇ ଆହତ ହୋଇଥିଲେ। ପରେ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ରିପୋର୍ଟ ଅନୁଯାୟୀ , ଆକ୍ରମଣକାରୀମାନେ ବଲାଜ ଓ ଆଉ ୨ଜଣ ଅତିଥିଙ୍କ ଉପରକୁ ଗୁଳି ଚଳାଇ ସେମାନଙ୍କୁ ଆହତ କରିପକାଇଲେ। ଏହା ଦେଖି ବଲାଜଙ୍କ ସହିତ ଯାଇଥିବା ବ୍ୟକ୍ତିଗତ ଅଙ୍ଗରକ୍ଷୀମାନେ ପାଲଟା ଗୁଳି ଚଳାଇବାରୁ ଜଣେ ଆକ୍ରମଣକାରୀଙ୍କର ମୃତ୍ୟୁ ଘଟିଲା। ବଲାଜଙ୍କୁ ବଞ୍ଚାଇ ରଖିବାକୁ ସବୁପ୍ରକାର ଉଦ୍ୟମ କରାଯିବା ସତ୍ତ୍ବେ ଜିନ୍ନା ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଲା। ଆକ୍ରମଣର କାରଣ ଓ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ଲାଗି ପୁଲିସ ତଦନ୍ତ ଆରମ୍ଭ କରିଛି। ଏଯାବତ୍‌ ଏହି ଘଟଣା ନିମନ୍ତେ କାହାକୁ ଗିରଫ କରାଯାଇ ନାହିଁ।

ପାକିସ୍ତାନୀ ଗ୍ୟାଙ୍ଗ୍‌ଷ୍ଟର୍‌ ଅମୀର ବଲାଜ ଙ୍କୁ ଗୁଳି କରି ହତ୍ୟା