ଏମ୍ସ ଭୁବନେଶ୍ୱର, ହସ୍ପିଟାଲ ପ୍ରଶାସନ ବିଭାଗ ପକ୍ଷରୁ ମେଡିକାଲ ଅକ୍ସିଜେନ ପରିଚାଳନା ଉପରେ ଏକ ଜାତୀୟ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ
ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ମେଡିକାଲ୍ ଅକ୍ସିଜେନ୍ର ସଫଳ ପରିଚାଳନା ତଥା ରୋଗୀ ସେବାରେ ଏହାର ସଫଳ ପ୍ରୟୋଗକୁ ଉନ୍ନତ କରିବା ନିମନ୍ତେ, ଏମ୍ସ ଭୁବନେଶ୍ୱର, ହସ୍ପିଟାଲ ପ୍ରଶାସନ ବିଭାଗ ପକ୍ଷରୁ ମେଡିକାଲ ଅକ୍ସିଜେନ ପରିଚାଳନା ଉପରେ ଏକ ଜାତୀୟ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ
ଆୟୋଜିତ ହୋଇଯାଇଛି।
ପ୍ରଶିକ୍ଷକମାନଙ୍କ ତାଲିମ ପରିଚାଳନା ନିମନ୍ତେ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠ ଏବଂ ହସ୍ପିଟାଲ ପ୍ରଶାସନ ବିଭାଗ, ଏମ୍ସ ନୂଆଦିଲ୍ଲୀର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଛି।
ସାରା ଦେଶରେ ମେଡିକାଲ ଅକ୍ସିଜେନ ପରିଚାଳନାକୁ ବ୍ୟବସ୍ଥିତ କରିବାରେ ଏହା ପ୍ରଥମ ପଦକ୍ଷେପ ଭାବେ ବିବେଚିତ ହେଉଛି। ଏହି କାର୍ଯ୍ୟକ୍ରମକୁ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଉଦ୍ଘାଟନ କରିଥିଲେ।
କୋଭିଡ୍-୧୯ ମହାମାରୀରୁ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଉପରେ ଆଲୋକପାତ କରିବା ସହିତ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ମେଡିକାଲ୍ ଗ୍ୟାସ୍ର ଗୁଣବତ୍ତା, ସୁରକ୍ଷା ଏବଂ ବ୍ୟବସ୍ଥିତ ଉପଯୋଗ ସୁନିଶ୍ଚିତ କରିବା ପାଇଁ ଅକ୍ସିଜେନ ପରିଚାଳନା ଏବଂ ବହୁମୁଖୀ ସେବାରେ ବ୍ୟାପକ ତାଲିମର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ, ଡ. ବିଶ୍ବାସ।
ଏହାକୁ ସୁନିଶ୍ଚିତ କରିବା ପାଇଁ ଅକ୍ସିଜେନ୍ ଷ୍ଟିୱାର୍ଡଶିପ ଏବଂ ମାନିଫୋଲ୍ଡ ସେବାରେ ବ୍ୟାପକ ତାଲିମର ଆବଶ୍ୟକତା ଉପରେ ସେ ଜୋର ଦେଇଥିଲେ।
ସ୍ୱାସ୍ଥ୍ୟ ସୁରକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀମତୀ ଭି. ହେକାଲି ଝିମୋମି ଭିଡିଓ ବାର୍ତ୍ତା ମାଧ୍ୟମରେ ସମାବେଶକୁ ସମ୍ବୋଧିତ କରି ଏହି କ୍ଷେତ୍ରରେ ଦକ୍ଷତା ବିକାଶର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଅକ୍ସିଜେନ ପିଏମୟୁ, ସ୍ୱାସ୍ଥ୍ୟ ସୁରକ୍ଷା ମନ୍ତ୍ରଣାଳୟର ବୈଷୟିକ ବିଶେଷଜ୍ଞ ଭାରତ ଭୂଷଣ ଦାହିଆ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।
ଏହି ତାଲିମରେ ହସ୍ପିଟାଲ ଆଡମିନିଷ୍ଟ୍ରେସନ, ଶିଶୁ ଚିକିତ୍ସା, ନିଓନାଟୋଲୋଜି ଏବଂ ଟ୍ରମା ଓ ଜରୁରୀକାଳୀନ ଚିକିତ୍ସା କ୍ଷେତ୍ରର ବିଶେଷଜ୍ଞମାନେ ଅଂଶଗ୍ରହଣକାରୀଙ୍କୁ ମେଡିକାଲ ଗ୍ୟାସ ସିଷ୍ଟମର ଯୋଜନା ଓ ଡିଜାଇନ, ନିୟନ୍ତ୍ରଣ ଫ୍ରେମୱାର୍କ ଏବଂ ଅକ୍ସିଜେନ୍ ଇକୋସିଷ୍ଟମ ବିକାଶ ବିଷୟରେ ତାଲିମ ପ୍ରଦାନ କରିଥିଲେ। ଏହା ସହିତ ପ୍ରାକ୍ଟିକାଲ ସ୍କିଲ ଟ୍ରେନିଂରେ ବୟସ୍କ, ଶିଶୁ ଏବଂ ନବଜାତକଙ୍କ ପାଇଁ ଅକ୍ସିଜେନ୍ ପରିଚାଳନା ସହିତ ଭେଣ୍ଟିଲେଟର ବ୍ୟବହାର ଉପରେ ତାଲିମ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଆସାମ, ଆଣ୍ଡାମାନ ଓ ନିକୋବାର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ସମେତ ଏମ୍ସ ଭୁବନେଶ୍ୱର, ଏମ୍ସ ଦେଓଘର, ଏମ୍ସ ରାୟପୁର, ଏମ୍ସ ପାଟଣା ଏବଂ ଏମ୍ସ ଗୌହାଟୀ ଆଦିରୁ ୭୪ ଜଣ ପ୍ରତିନିଧି ସାମିଲ ହୋଇଥିଲେ।