ଓଆଇଆଇପିସିଆରଏ ଆନ୍ତଃବିଭାଗୀୟ କାର୍ଯ୍ୟାନ୍ୱୟନର ସମୀକ୍ଷା ବୈଠକ...
ଟ୍ୟାଙ୍କ ଉନ୍ନତି ସହ କୃଷି ଓ ମତ୍ସ୍ୟଚାଷକୁ ଯୋଡ଼ିବା ଉପରେ ଗୁରୁତ୍ୱ
ଜଳସେଚନ ଭିତ୍ତିଭୂମିର ସୁଦୃଢ଼ୀକରଣ ସହ କୃଷି, ଉଦ୍ୟାନ କୃଷି ଓ ମତ୍ସ୍ୟଚାଷର ସମନ୍ୱିତ ବିକାଶ ନିମନ୍ତେ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ ପାଇଁ ଜଳବାୟୁ ସହନଶୀଳ କୃଷି (ଓଆଇଆଇପିସିଆରଏ)ର ସମୀକ୍ଷା ବୈଠକ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଧବ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ଗିରିଶ ଏସ୍. ଏନ୍ ଉପସ୍ଥିତ ଥିଲେ।
ଓଆଇପିସିଆରଏର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଏଥିରେ ଜଳ ସମ୍ପଦ ବିଭାଗ ସହ କୃଷି ଓ କୃଷକ ସଶକ୍ତିକରଣ, ଉଦ୍ୟାନକୃଷି, ମତ୍ସ୍ୟଚାଷ, ଏପିକଲ୍ ଏବଂ ଜଳସେଚନ ଓ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ଡେଭଲପମେଣ୍ଟ ଆଣ୍ଡ ମ୍ୟାନେଜମେଣ୍ଟ ସୋସାଇଟି ଭଳି ବିଭିନ୍ନ ଅଂଶୀଦାର ସଂସ୍ଥା ଏକାଠି କାର୍ଯ୍ୟ କରିଥାନ୍ତି।
ବୈଠକରେ ପ୍ରକଳ୍ପର ସାମଗ୍ରିକ ସ୍ଥିତି, ଆର୍ଥିକ ଉପାଦାନ ଓ ବିଭିନ୍ନ ବିଭାଗ ଅଧୀନରେ ଚାଲିଥିବା କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା।
ଜଳସେଚନ ସୁବିଧାକୁ କୃଷି ଉତ୍ପାଦନ ଓ ଜୀବିକା ସହ ଯୋଡ଼ିବା ପାଇଁ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜଳସେଚିତ ଅଞ୍ଚଳରେ ଡାଲି ଉତ୍ପାଦନ ବୃଦ୍ଧି ପଦକ୍ଷେପର କାର୍ଯ୍ୟାନ୍ୱୟନ ନେଇ ମଧ୍ୟ ଆଲୋଚନା ହୋଇଥିଲା।
କ୍ଷୁଦ୍ର ଜଳସେଚନ ଓ ଓସିସିଏଲ୍ ଅଧୀନରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଓ ଟାଙ୍କ ଉନ୍ନତିକରଣ ଓ ଟ୍ୟାଙ୍କଗୁଡ଼ିକର ଡିଜିଟାଲ ମ୍ୟାପିଂ କାର୍ଯ୍ୟର ସ୍ଥିତି ସମୀକ୍ଷା କରାଯାଇଥିଲା।
ଟାଙ୍କଗୁଡ଼ିକର ଉନ୍ନତିକରଣକୁ କେବଳ ଜଳ ସଂରକ୍ଷଣରେ ସୀମିତ ନରଖି, ଟାଙ୍କ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କୃଷି ଓ ମତ୍ସ୍ୟଚାଷକୁ ଏକାଠି ବିକଶିତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଟାଙ୍କର ଜଳକୁ ଆଧାର କରି ମାଛ ଚାଷ ସହ ପାର୍ଶ୍ୱବର୍ତ୍ତୀ ଜମିରେ ଉପଯୋଗୀ ଫସଲ ଚାଷକୁ ପ୍ରୋତ୍ସାହନ ଦେଇ ଏକୀକୃତ ଜୀବିକା ମଡେଲ୍ ବିକଶିତ କରିବା ନେଇ ଆଲୋଚନା ହୋଇଥିଲା।
ଏଥିସହ ଜିସିଏଫ୍ ପ୍ରକଳ୍ପର ପରବର୍ତ୍ତୀ କାର୍ଯ୍ୟାନ୍ୱୟନ ସମ୍ପର୍କିତ ବିଷୟ ମଧ୍ୟ ସମୀକ୍ଷା କରାଯାଇଥିଲା। ପ୍ରକଳ୍ପର ନିରବଚ୍ଛିନ୍ନ କାର୍ଯ୍ୟାନ୍ୱୟନ ଓ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା।
ଏହି ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ,
ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ,
ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ,
ଓଆଇପିସିଆରଏ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ସବିତା ମଲ୍ଲିକ,
ଇଞ୍ଜିନିୟର-ଇନ୍-ଚିଫ୍-କମ୍-ସ୍ୱତନ୍ତ୍ର ଶାସନ ସଚିବ ଈଂ ବିଘ୍ନରାଜ ପୁରୋହିତଙ୍କ ସମେତ ସମ୍ପୃକ୍ତ ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।