ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା...

Sep 18, 2026 - 21:26
 3
ନଶାମୁକ୍ତ ଭାରତ ଅଭିଯାନ”  ଅଗ୍ରଗତି ସଂପର୍କରେ                                                                                                             ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା...

ନିଶା ବିରୋଧୀ ଅଭିଯାନକୁ ଜୋରଦାର କରିବାକୁ ଗୁରୁତ୍ୱ

ପୁନର୍ବାସ ଓ ବିକଳ୍ପ ଜୀବିକା ଉପରେ ପରାମର୍ଶ

ଓଡ଼ିଶାରେ “ନଶାମୁକ୍ତ ଭାରତ ଅଭିଯାନ”(ଏନ୍‌ଏମ୍‌ବିଏ), ନିଶାଦ୍ରବ୍ୟର ଚାହିଦା ହ୍ରାସ, ନିଶାଦ୍ରବ୍ୟର ଅବୈଧ କାରବାର ବିରୋଧରେ ପ୍ରବର୍ତ୍ତନ, ପୁନର୍ବାସ ଏବଂ ଜନସଚେତନତା କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସମୀକ୍ଷା କରିଛନ୍ତି । 

ସମୀକ୍ଷା ବୈଠକରେ ନିଶା ନିବାରଣ, ସଚେତନତା, ଆଇନଗତ ପ୍ରବର୍ତ୍ତନ, ଚିକିତ୍ସା, ପୁନର୍ବାସ ଏବଂ ସାମାଜିକ ପୁନଃ ସଂଯୋଜନ କ୍ଷେତ୍ରରେ ବିଭିନ୍ନ ବିଭାଗ, ଓଡ଼ିଶା ପୋଲିସ, ଜିଲ୍ଲା ପ୍ରଶାସନ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଟାକ୍ସ ଫୋର୍ସ –ସିଆଇଡି-କ୍ରାଇମ୍ ବ୍ରାଞ୍ଚ ତରଫରୁ ଆହୂତ ଏହି ବୈଠକରେ ଗୃହ, ଶିଳ୍ପ ଓ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ବୃନ୍ଦା ଡି, ଏସଟିଏଫ୍ ଆଇଜି ଶ୍ରୀ ହିମାଂଶୁ ଲାଲ, ଡିଆଇଜି ଶ୍ରୀ କେ.ଭି.ସିଂ ଙ୍କ ସମେତ ବିଭାଗୀୟ ଶାଖାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ବୈଠକରେ ଗତ ଜୁନ୍ ୨୦୨୬ ରେ ଅନୁଷ୍ଠିତ ୭ମ ରାଜ୍ୟ ନାର୍କୋ-କୋର୍ଡିନେସନ ବୈଠକ ପରଠାରୁ ନିଶା ଦ୍ରବ୍ୟ କାରବାର ପ୍ରତି ଚଢଉ ଜୋରଦାର କରାଯାଇ ଉଲ୍କେଖନୀୟ ସଫଳତା ହାସଲ କରାଯାଇଥିବା ସଂପର୍କରେ ଏସଟିଏଫ୍ ଆଇଜି ତଥ୍ୟ ପ୍ରଦାନ କରିବା ସହ ଏହି କାର୍ଯ୍ୟ ଜାରି ରହିଥିବା ସଂପର୍କରେ ସୂଚନା ଦେଇଥିଲେ ।   

ନିଶାଦ୍ରବ୍ୟ, ମସ୍ତିଷ୍କ ଓ ସ୍ନାୟୁତନ୍ତ୍ରକୁ ଗଭୀର ପ୍ରଭାବ ପକାଉଥିବା ପଦାର୍ଥର ଅବୈଧ କାରବାର ନିବାରଣ ଆଇନ(ପିଆଇଟିଏନଡିପିଏସ) ରେ ରୁଜୁ ହୋଇଥିବା ମାମଲାଗୁଡ଼ିକର ସ୍ଥିତି ସଂପର୍କରେ ଆଲୋଚନା କରାଯାଇଥିଲା ।  

ନିଶା କାରବାର କ୍ଷେତ୍ରରେ ହଟସ୍ପଟ୍ ଚିହ୍ନଟ ହୋଇଥିବା ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ,ଗଜପତି , ବୌଦ୍ଧ ଆଦି ୬ଟି ଜିଲ୍ଲାର ବିଭିନ୍ନ ବ୍ଲକ, ଗ୍ରାମ ପଞ୍ଚାୟତ ଓ ଗ୍ରାମଗୁଡ଼ିକରେ ଚଢଉ ଏବଂ ସଚେତନତା ବୃଦ୍ଧି କରାଯାଇଛି ।  

ପଂଚାୟତ ଜନ ପ୍ରତିନିଧି, ଜଙ୍ଗଲ ବିଭାଗ ଏବଂ ରାଜସ୍ୱ ବିଭାଗ ଅଧିକାରୀ ମାନଙ୍କ ସହଯୋଗରେ ବିକଳ୍ପ ଜୀବିକାର୍ଜନ ପନ୍ଥା ଆପଣେଇବାକୁ ପରାମର୍ଶ ଓ ସଚେତନ କରାଯାଉଛି । ଗଂଜେଇ ଚାଷ ଅଂଚଳଗୁଡିକୁ ତୀକ୍ଷ୍ନ ନଜର ରଖାଯାଇ ଆଗାମୀ ନଭେମ୍ବରରେ ଚଢଉକୁ ବ୍ୟାପକ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । 

ନିଶାଦ୍ରବ୍ୟର ଅବୈଧ କାରବାର ରୋକିବା ପାଇଁ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଓ ଅପରାଧ ଶାଖା ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ନିଶା କାରବାର ସହ ଜଡ଼ିତ ଆନ୍ତଃରାଜ୍ୟ ଗୋଷ୍ଠୀଗୁଡ଼ିକ ବିରୋଧରେ ଚଢ଼ଉ ଓ ଆଇନଗତ ପଦକ୍ଷେପ ନିଆଯାଉଛି । 

ନିଶାଦ୍ରବ୍ୟ ସମ୍ପର୍କିତ ମାମଲାର ତଦନ୍ତ, ନିରୀକ୍ଷଣ ଓ ଆଇନଗତ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରାଯାଉଛି । ମାମଲାଗୁଡ଼ିକର ତଦନ୍ତର ଗୁଣବତ୍ତା ବୃଦ୍ଧି ପାଇଁ ନୂତନ ଯାଞ୍ଚ ତାଲିକା ଏବଂ ରେଞ୍ଜସ୍ତରୀୟ କାର୍ଯ୍ୟଦଳ ଗଠନ କରାଯାଇଛି । 

ନିଶା ଅବୈଧ କାରବାର ରୋକିବା ପାଇଁ ଅନ୍ୟ ରାଜ୍ୟଗୁଡ଼ିକ ସହ ତଥ୍ୟ ଆଦାନପ୍ରଦାନ ଓ ସମନ୍ୱୟକୁ ସୁଦୃଢ଼ କରାଯାଉଛି । ୧୦ ସେପ୍ଟେମ୍ବର ୨୦୨୬ରେ ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ସହ ଆନ୍ତଃରାଜ୍ୟ ଭିଡିଓ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । 

ଜିଲ୍ଲାସ୍ତରରେ ମଧ୍ୟ ନାର୍କୋଟିକ୍ସ କୋର୍ଡିନେସନ୍ କମିଟି ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି । ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ଆଗାମୀ ଦିନରେ ସଚେତନତା, ନିଶା ନିରୋଧ, ପ୍ରାରମ୍ଭିକ ଚିହ୍ନଟ, ପରାମର୍ଶ, ରେଫରାଲ୍‌, ପୁନର୍ବାସ ଓ ଆଇନଗତ ପ୍ରବର୍ତ୍ତନକୁ ଅଧିକ ସୁଦୃଢ଼ କରାଯିବ । 

ଶିକ୍ଷାନୁଷ୍ଠାନ, ଯୁବବର୍ଗ, ମହିଳା, ପଞ୍ଚାୟତିରାଜ ଅନୁଷ୍ଠାନ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଏନ୍‌ଜିଓ, ଏନ୍‌ଏସ୍‌ଏସ୍‌, ଏନ୍‌ସିସି ଓ ଅନ୍ୟାନ୍ୟ ସାମାଜିକ ଅଂଶୀଦାରଙ୍କ ସକ୍ରିୟ ସହଭାଗିତାରେ ନିଶା ବିରୋଧୀ ଅଭିଯାନକୁ ଅଧିକ ବ୍ୟାପକ କରାଯିବାର ଯୋଜନା ରହିଛି ।

ଓଡ଼ିଶାରେ ନିଶା ଚାହିଦା ହ୍ରାସ ପାଇଁ ଜାତୀୟ କାର୍ଯ୍ୟ ଯୋଜନା (ଏନ୍‌ଏପିଡିଡିଆର୍‌) ଏବଂ ରାଜ୍ୟର 'ଦିଶା – ନିଶା ଓ ମାଦକ ଦ୍ରବ୍ୟ ସେବନ ପ୍ରତି ହସ୍ତକ୍ଷେପ ସେବା ଯୋଜନା' ମାଧ୍ୟମରେ ନିଶା ଚାହିଦା ହ୍ରାସ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ବର୍ତ୍ତମାନ ରାଜ୍ୟରେ ନିଶାସକ୍ତଙ୍କୁ ନିଶା ସେବନରୁ ନିବୃତ୍ତ ପାଇଁ ୪୧ଟି ସମନ୍ୱିତ ପୁନର୍ବାସ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି । 

ଏହା ସହିତ ଆଶ୍ରୟ କେନ୍ଦ୍ର, ଗୋଷ୍ଠୀ ସମୁଦାୟଭିତ୍ତିକ ସହଭାଗୀ ହସ୍ତକ୍ଷେପ କାର୍ଯ୍ୟକ୍ରମ ଏବଂ ନିଶାମୁକ୍ତି କେନ୍ଦ୍ର ମଧ୍ୟ କାର୍ଯ୍ୟ କରୁଛି । ଏହା ବ୍ୟତୀତ ୧୦ଟି ଜିଲ୍ଲାରେ ୧୧ଟି ଦିଶା ପୁନର୍ବାସ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି ଏବଂ ଆହୁରି ୫ଟି କେନ୍ଦ୍ର ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ପ୍ରକ୍ରିୟା ଚାଲିଛି । 

ଅବଶିଷ୍ଟ ୧୬ଟି ଜିଲ୍ଲାକୁ ପର୍ଯ୍ୟାୟକ୍ରମେ ଏହି ବ୍ୟବସ୍ଥାରେ ସାମିଲ କରାଯିବ । ଏ ସଂପର୍କରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସଂପର୍କରେ ଉପସ୍ଥାପନ କରାଯାଇଥିଲା ।  

ଏହି ଅଭିଯାନରେ କିପରି ଅଧିକରୁ ଅଧିକ ଯୁବକ-ଯୁବତୀ ସାମିଲ ହୋଇ ସମସ୍ତଙ୍କ ନିକଟରେ ସଚେତନତା ବାର୍ତ୍ତା ପହଞ୍ଚି ପାରିବ, ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି । ସେଥିମଧ୍ୟରୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରାଥମିକତା ଭିତ୍ତିରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।  

ଯୁବବର୍ଗ, ମହିଳା, ପଞ୍ଚାୟତିରାଜ ଅନୁଷ୍ଠାନ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ସ୍ୱେଚ୍ଛାସେବୀ ସଂଗଠନ, ଏନ୍‌ଏସ୍‌ଏସ୍‌, ଏନ୍‌ସିସି ଏବଂ ବିଭିନ୍ନ ସାମାଜିକ ସଂଗଠନର ସହଭାଗିତା ମାଧ୍ୟମରେ ଅଭିଯାନକୁ ଅଧିକ ବ୍ୟାପକ କରାଯାଉଛି ।

ଗୋଷ୍ଠୀ ସମୁଦାୟସ୍ତରରେ ସଚେତନତା ବୃଦ୍ଧି ସହ ନିଶାସକ୍ତ ବ୍ୟକ୍ତିଙ୍କୁ ସମୟୋଚିତ ପରାମର୍ଶ, ଚିକିତ୍ସା ଓ ପୁନର୍ବାସ ସେବା ସହ ଯୋଡ଼ିବା ଏବଂ ସେମାନଙ୍କ ପାଇଁ ଦକ୍ଷତା ବିକାଶ ଓ ବିକଳ୍ପ ଜୀବିକାର ସୁଯୋଗ ସୃଷ୍ଟି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।   

ଦିଶା ପୁନର୍ବାସ କେନ୍ଦ୍ରଗୁଡ଼ିକରେ ନିଶାସକ୍ତରୁ ମୁକ୍ତି ପାଉଥିବା ବ୍ୟକ୍ତିମାନଙ୍କର ଦକ୍ଷତା ବିକାଶ, ବୃତ୍ତିଗତ ପ୍ରଶିକ୍ଷଣ, ପୁନର୍ବାସ ଏବଂ ସାମାଜିକ ପୁନଃସଂଯୋଜନ ଉପରେ ଗୁରୁତ୍ୱ ଦିଆଯାଉଛି । 

ଏହି କେନ୍ଦ୍ରଗୁଡ଼ିକରେ ସିଲେଇ ଓ ଟେଲରିଂ, ହସ୍ତଶିଳ୍ପ ଓ ଟୋକେଇ ପ୍ରସ୍ତୁତି, ଧୂପକାଠି ଉତ୍ପାଦନ ଏବଂ ଡିଜିଟାଲ୍ ସାକ୍ଷରତା ଓ କମ୍ପ୍ୟୁଟର ଦକ୍ଷତା ଭଳି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।                    

ଗଂଜେଇ ଚାଷ ବା ନିଶା କାରବାରରେ ଲିପ୍ତ ରହୁଥିବା ଲୋକଙ୍କ ପାଇଁ କୃଷି, ଉଦ୍ୟାନ କୃଷି, ଛେଳି ପାଳନ, କୁକୁଡ଼ା ପାଳନ, ମାଛ ଚାଷ, ବୃକ୍ଷରୋପଣ ଓ ବିଭିନ୍ନ ଦକ୍ଷତା ବିକାଶ ମାଧ୍ୟମରେ ବିକଳ୍ପ ଜୀବିକାର ସୁଯୋଗ ସୃଷ୍ଟି ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ ।