ଓଡିଶା ପାଇଁ ଗର୍ବ ଢେଙ୍କାନାଳ ଆମ୍ବ, ଯାହା ଏବେ ଲଣ୍ଡନ ରେ...
ଲଣ୍ଡନବାସୀ ଚାଖିବେ ଓଡ଼ିଶା ଆମ୍ବ।
ସୁଆଦିଆ ଆମ୍ରପଲ୍ଲୀ ଆମ୍ବର ମଜା ନେବେ ବ୍ରିଟିଶ୍ ନାଗରିକ।
ଚଳିତ ବର୍ଷ ଢେଙ୍କାନାଳରୁ ସିଧା ଲଣ୍ଡନକୁ ପଠାଯାଇଛି ୧ ଟନ୍ ପ୍ରିମିୟମ୍ ଆମ୍ରପଲ୍ଲୀ ଆମ୍ବ।
ଢେଙ୍କାନାଳ ସଦର ଓ ଓଡ଼ାପଡ଼ା ବ୍ଲକର ବିଭିନ୍ନ ଚାଷୀଙ୍କ ଠାରୁ ଏହି ଆମ୍ବ ସବୁ ସଂଗ୍ରହ କରାଯାଇଥିଲା। ପରେ କିଛି ତାଲିମପ୍ରାପ୍ତ ମହିଳା ଓ ପୁରୁଷଙ୍କୁ ନେଇ ଆମ୍ବ ସବୁକୁ ଧୋଇ ପୋଛି ସ୍ବତନ୍ତ୍ର ଭାବେ ବକ୍ସ ପ୍ୟାକିଂ କରାଯାଇଥିଲା।
କେନ୍ଦ୍ର ସରକାରଙ୍କ ଆପେଡା ଓ ରାଜ୍ୟ ସରକାରଙ୍କ ଉଦ୍ୟାନ ଓ କୃଷି ବିଭାଗ ତଥା ସ୍ଥାନୀୟ ସପ୍ତଶଯ୍ୟା କୃଷି ଉତ୍ପାଦକ ସଂସ୍ଥାର ମିଳିତ ସହଯୋଗରେ ଏହି ରପ୍ତାନୀ କରାଯାଇଛି।
ସ୍ଥାନୀୟ ମାର୍କେଟ୍ ଅପେକ୍ଷା ଆମ୍ବ ବିଦେଶ ରପ୍ତାନୀ କ୍ଷେତ୍ରରେ ଚାଷୀ ବେଶ୍ ଦୁଇ ପଇସା ଅଧିକା ରୋଜଗାର କରିବାରେ ସକ୍ଷମ ହେଉଛନ୍ତି।*
ଲୋକାଲ ମାର୍କେଟ୍ ରେ ଏହି ଆମ୍ରପଲ୍ଲୀ ଆମ୍ବକୁ ଚାଷୀ ୪୦ରୁ ୫୦ ଟଙ୍କାରେ ବିକ୍ରି କରୁଥିବା ବେଳେ ବିଦେଶ ମାର୍କେଟକୁ ୭୦ରୁ ୮୦ ଟଙ୍କା ରେ ଦିଆଯାଉଛି। ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଚାଷୀ।
ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ଆମ୍ରପଲ୍ଲୀ ଆମ୍ବ ଲଣ୍ଡନକୁ ରପ୍ତାନୀ ହୋଇଥିବା ବେଳେ ଆଗକୁ ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ୟୁଏଇ ଭଳି ଅନ୍ୟ ଦେଶକୁ ମଧ୍ୟ ରପ୍ତାନୀ ପାଇଁ ଅର୍ଡର ମିଳିଥିବା ଜଣାପଡ଼ିଛି।
ଏବର୍ଷ କେବଳ ଢେଙ୍କାନାଳରୁ ଦୁଇଶହ ଟନ୍ ଆମ୍ବ ବିଦେଶକୁ ରପ୍ତାନୀ ନେଇ ଲକ୍ଷ୍ୟ ରଖାଯାଇଛି।