ଜିଲ୍ଲାପାଳମାନଙ୍କ ସହିତ ବୈଠକରେ ବିଭିନ୍ନ ବିଭାଗୀୟ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା...

Sep 17, 2026 - 21:39
 3
ଜିଲ୍ଲାପାଳମାନଙ୍କ ସହିତ ବୈଠକରେ ବିଭିନ୍ନ ବିଭାଗୀୟ  ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସଂପର୍କରେ                                                                ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା...

ସହରାଂଚଳ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ଆଲୋଚନା

ସ୍ୱାସ୍ଥ୍ୟସେବା, ବାୟୋମେଡିକାଲ୍ ବର୍ଜ୍ୟ ପରିଚାଳନାକୁ ଗୁରୁତ୍ୱ

ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ଏବଂ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟ ଅଗ୍ରଗତି ସମୀକ୍ଷା

ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । 

ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀଙ୍କ ସମେତ ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । 

ବୈଠକରେ ସମସ୍ତ ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

ବୈଠକରେ ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିଭାଗୀୟ ପ୍ରମୁଖ ଯୋଜନା ଓ ପ୍ରକଳ୍ପର ଅଗ୍ରଗତି, ଜମି ସମ୍ବନ୍ଧୀୟ ସମସ୍ୟା, ଅନୁମୋଦନ, କାର୍ଯ୍ୟାନ୍ୱୟନରେ ରହୁଥିବା ସମସ୍ୟା ଏବଂ ଆବଶ୍ୟକ ଜିଲ୍ଲାସ୍ତରୀୟ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସବିଶେଷ ସମୀକ୍ଷା କରାଯାଇଥିଲା । 

ଗୃହ ଓ ନଗର ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା , ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଏମ୍ଏସ୍ଏମ୍ଇ ବିଭାଗର ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇଥିଲା ।

ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଳଯୋଗାଣ ଓ ବିଭିନ୍ନ ପ୍ରକଳ୍ପଗୁଡ଼ିକରେ ଜମି ସମ୍ବନ୍ଧୀୟ ସମସ୍ୟା ଦୂର କରିବା ଉପରେ ଆଲୋଚନା ହୋଇଥିଲା । 

ଖୋର୍ଦ୍ଧା, ସମ୍ବଲପୁର ଓ କଟକ ଜିଲ୍ଲାର ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଜମି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳମାନଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । 

ଏଥିସହ କ୍ରେଡିଟ୍ ରିପେମେଣ୍ଟ ଗ୍ୟାରେଣ୍ଟି ସବ୍-ସ୍କିମ୍ ଅଧୀନରେ ଛୋଟ ସହରାଞ୍ଚଳ ସଂସ୍ଥାଗୁଡ଼ିକୁ ବଜାରଭିତ୍ତିକ ଅର୍ଥ ସଂଗ୍ରହର ସୁଯୋଗ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ଜ୍ୟ ପରିଚାଳନା ନିୟମର ଜିଲ୍ଲାସ୍ତରୀୟ ଅନୁପାଳନର ସମୀକ୍ଷା କରାଯାଇଥିଲା । 

ଶ୍ରମ ଓ ଇଏସ୍ଆଇ ବିଭାଗ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍ପିଟାଲ୍ ପାଇଁ ଜମିର ସୁବ୍ୟବସ୍ଥା, ଶିଶୁ ଶ୍ରମ ନିରାକରଣ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ, ଶ୍ରମ ନିରୀକ୍ଷଣ କମିଟି ଏବଂ ରାସାୟନିକ ଦୁର୍ଘଟଣା ପାଇଁ ଜିଲ୍ଲା ଓ ସ୍ଥାନୀୟ ସଙ୍କଟ ପରିଚାଳନା ଗୋଷ୍ଠୀର ନିୟମିତ ବୈଠକ ଓ ମକ୍ ଡ୍ରିଲ୍ ଉପରେ ଆଲୋଚନା ହୋଇଥିଲା । 

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପୋଷଣ ମାସ-୨୦୨୬, ‘ସୁପୋଷିତ ଓଡ଼ିଶା’ ମିଶନ, ଡିଜିଟାଲ୍ ନିରୀକ୍ଷଣ ଫର୍ମ ଆଦି ବିଭିନ୍ନ ପ୍ରସଙ୍ଗ ସମୀକ୍ଷା କରାଯାଇଥିଲା । 

ପୋଷଣ ମାସ ସମୟରେ ଶିଶୁମାନଙ୍କ ଅପପୋଷଣ ଚିହ୍ନଟ ଓ ରେଫରାଲ୍, ଗର୍ଭବତୀ ମହିଳାଙ୍କ ପଞ୍ଜୀକରଣ, ପିତାମାନଙ୍କ ଅଂଶଗ୍ରହଣ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ପୋଷଣ ସେବାର ପହଞ୍ଚ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା । 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବାୟୋମେଡିକାଲ୍ ବର୍ଜ୍ୟ ପରିଚାଳନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଜମି, ଆୟୁଷ ମେଡିକାଲ୍ କଲେଜ୍, ‘ଆମ ହସ୍ପିଟାଲ୍’ କାର୍ଯ୍ୟ ଏବଂ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାଭିତ୍ତିକ ଅଗ୍ରଗତି ଆଲୋଚନା ହୋଇଥିଲା ।   

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ‘ସୃଜନିକା’ କ୍ରାଫ୍ଟ କ୍ଲଷ୍ଟର, ପ୍ରମୁଖ କ୍ରାଫ୍ଟ କ୍ଲଷ୍ଟର, ହସ୍ତଶିଳ୍ପ, ହସ୍ତତନ୍ତ, ରେଶମ ଓ ବୟନ କ୍ଷେତ୍ରର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । 

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ର ଅଗ୍ରଗତି ସମୀକ୍ଷା କରାଯାଇଥିଲା । ଜିଲ୍ଲାଭିତ୍ତିକ ଜମି ଆବଣ୍ଟନ, ପ୍ରକଳ୍ପ ଡିପିଆର୍ ଏବଂ ବିଭିନ୍ନ କାର୍ଯ୍ୟାନ୍ୱୟନ ବାଧା ଦୂର କରିବା ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏଗ୍ରିଷ୍ଟାକ୍ ଅଧୀନରେ କୃଷକ ପଞ୍ଜୀକରଣ ଏବଂ ଖରିଫ-୨୦୨୬ ଡିଜିଟାଲ୍ କ୍ରପ୍ ସର୍ଭେର ଅଗ୍ରଗତି ସମୀକ୍ଷା କରାଯାଇଥିଲା । 

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଆବାସିକ ହଷ୍ଟେଲ୍ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ସହ ଛାତ୍ରଛାତ୍ରୀଙ୍କ ଆପାର୍ ଆଇଡି ସୃଷ୍ଟି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । 

ଏମ୍ଏସ୍ଏମ୍ଇ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହେବା, ଏମ୍ଏସ୍ଏମ୍ଇ ପାର୍କ, ଓଡ଼ିଶା ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଏବଂ କ୍ରେଡିଟ୍ ସୁବିଧା ସମ୍ପର୍କରେ ଅଗ୍ରଗତି ସମୀକ୍ଷା ହୋଇଥିଲା । ରାଜ୍ୟରେ ୩୦ଟି ଜିଲ୍ଲାରେ ୩୦ଟି ଏମ୍ଏସ୍ଏମ୍ଇ ପାର୍କ ବିକଶିତ କରିବାର ଯୋଜନା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।  

ବୈଠକରେ ସମସ୍ତ ଜିଲ୍ଲାପାଳଙ୍କୁ ନିଜ ନିଜ ଜିଲ୍ଲାରେ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରଖି ଜମି ଅଧିଗ୍ରହଣ, ପ୍ରକଳ୍ପ ଅନୁମୋଦନ, ନିର୍ମାଣ ଓ କାର୍ଯ୍ୟାନ୍ୱୟନ ସମ୍ପର୍କିତ ସମସ୍ୟାଗୁଡ଼ିକର ସମୟସୀମା ମଧ୍ୟରେ ସମାଧାନ କରିବା ସହ ନିୟମିତ ଭାବେ ପ୍ରଗତିର ସମୀକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । 

ଜିଲ୍ଲାସ୍ତରୀୟ ନିରୀକ୍ଷଣ ଓ ବିଭାଗୀୟ ସମନ୍ୱୟ ମାଧ୍ୟମରେ ଅନୁମୋଦିତ ପ୍ରକଳ୍ପ ଓ ଯୋଜନାଗୁଡ଼ିକର ଲାଭ ଲୋକଙ୍କ ନିକଟରେ ଯେପରି ଶୀଘ୍ର ପହଞ୍ଚି ପାରିବ, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଥିଲେ ।