ଡିଡି ଓଡ଼ିଆରେ ସ୍ବାଧୀନତା ଦିବସରେ ଉଦ୍‌ଘାଟନୀ ବୁଲେଟିନ୍‌ ପ୍ରସାରଣ

Aug 17, 2025 - 10:11
 19
ଡିଡି ଓଡ଼ିଆରେ ସ୍ବାଧୀନତା ଦିବସରେ ଉଦ୍‌ଘାଟନୀ ବୁଲେଟିନ୍‌ ପ୍ରସାରଣ

ସ୍ବାଧୀନତା ଦିବସର ଐତିହାସିକ ଅବସରରେ, ଆଞ୍ଚଳିକ ସମାଚାର ୟୁନିଟ୍ (ଆରଏନୟୁ), ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ବର ଏହାର ପ୍ରଥମ ସମ୍ବଲପୁରୀ ଭାଷା ସମାଚାର ବୁଲେଟିନ୍‌ ଶୁଭାରମ୍ଭ କରିଛି । ପ୍ରଥମ ବୁଲେଟିନ୍ ସକାଳ 11 ଟାରେ ଡିଡି ଓଡ଼ିଆରେ ପ୍ରସାରିତ ହୋଇଥିଲା ଏବଂ ଡିଡି ନ୍ୟୁଜ୍ ଓଡ଼ିଆର ସରକାରୀ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଲାଇଭ୍-ଷ୍ଟ୍ରିମିଂ କରାଯାଇଥିଲା ।

ଉଦଘାଟନୀ ବୁଲେଟିନ୍ ସମଗ୍ର ଭାରତ ଏବଂ ଓଡ଼ିଶାରେ ସ୍ବାଧୀନତା ଦିବସ‌ ପାଳନ ଉପରେ ଆଲୋକପାତ କରିଥିଲା। ଏହା ସହିତ ପଶ୍ଚିମ ଓଡ଼ିଶାର କାର୍ଯ୍ୟକ୍ରମଗୁଡ଼ିକ ଉପରେ ବିଶେଷ କଭରେଜ୍ କରାଯାଇଥିଲା

ଏହି ଶୁଭାରମ୍ଭକୁ ପାଳନ କରିବା ପାଇଁ, ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ବରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଦୂରଦର୍ଶନ ଭୁବନେଶ୍ବରର ଉପ-ମହାନିର୍ଦ୍ଦେଶକ (ଇ) ଶ୍ରୀ ନରସିଂହ ଜେଠୀ ଅଧ୍ଯକ୍ଷତା କରିଥିଲେ। ଦୂରଦର୍ଶନ ଭୁବନେଶ୍ବର, ଆକାଶବାଣୀ, କଟକ ଏବଂ ପ୍ରେସ୍ ଇନଫର୍ମେଶନ୍ ବ୍ୟୁରୋ (ପିଆଇବି) ଭୁବନେଶ୍ବରର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀ ମିହିର ମେହେର ଏବଂ ଶ୍ରୀ ଅଶୋକ ପାଣିଗ୍ରାହୀଙ୍କ ସମେତ ଓଡ଼ିଶାର ସମ୍ବଲପୁରୀ ଭାଷାଭାଷୀ ଅଞ୍ଚଳର ପ୍ରମୁଖ ଅତିଥିମାନେ ମଧ୍ୟ ଏହି ଅବସରରେ ଯୋଗ ଦେଇଥିଲେ।

ଶ୍ରୀ ଜେଠୀ ତାଙ୍କ ଭାଷଣରେ କହିଥିଲେ ଯେ "ସମ୍ବଲପୁରୀ ନ୍ୟୁଜ୍ ବୁଲେଟିନ୍ ଆରମ୍ଭ କରିବା ଏକ ଗର୍ବ ଏବଂ ଖୁସିର ମୁହୂର୍ତ୍ତ । ଏହି ବୁଲେଟିନ୍‌ ଓଡ଼ିଶାର ଏକ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳର ଆବଶ୍ୟକତାକୁ ପୂରଣ କରିବ।"

ଶ୍ରୀ ମିହିର ମେହେର ଏହାକୁ ଏକ "ଐତିହାସିକ ଦିନ" ବୋଲି କହିଥିଲେ ଏବଂ ବୁଲେଟିନକୁ ବାସ୍ତବତାରେ ପରିଣତ କରିବାରେ ସମ୍ପୂକୁ ଦଳର ପ୍ରୟାସକୁ ପ୍ରଶଂସା କରିଥିଲେ। ଶ୍ରୀ ଅଶୋକ ପାଣିଗ୍ରାହୀ ମଧ୍ୟ ଏହି ଶୁଭାରମ୍ଭର ପ୍ରଶଂସା କରିଥିଲେ ଏବଂ ସମ୍ବଲପୁରୀ ଭାଷାଭାଷୀ ଅଞ୍ଚଳ ଉପରେ ଆଧାରିତ ବିଷୟବସ୍ତୁକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ।