ପେଟିଏମ୍‌ ସମ୍ପର୍କରେ ପେଟିଏମ୍‌ ନିର୍ମାତାଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ପେଟିଏମ୍‌ ପେମେଣ୍ଟ୍‌ସ ବ୍ୟାଙ୍କ ବିରୋଧରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଚଳିତ ବର୍ଷ ଫେବ୍ରୁଆରି ୨୯ ପରଠାରୁ ଏହି ବ୍ୟାଙ୍କ କୌଣସି ଗ୍ରାହକଙ୍କଠାରୁ ଜମା ସଂଗ୍ରହ କରିପାରିବ ନାହିଁ କିମ୍ବା ଋଣ କାରବାର ମଧ୍ୟ କରିପାରିବ ନାହିଁ। କୌଣସି ଟପ୍-ଅପ୍ ସୁବିଧା ବି ଦେଇପାରିବ ନାହିଁ। ୱାଲେଟ୍‌ ଓ ଫାସ୍‌ଟ୍ୟାଗ୍‌ ଭଳି ଲିଙ୍କ୍‌ ହୋଇଥିବା ପ୍ରିପେଡ୍ ଇନଷ୍ଟ୍ରୁମେଣ୍ଟରେ କାରବାର କରିପାରିବନି। ଏବେ ଏନେଇ ଗ୍ରାହକଙ୍କୁ ଆଶ୍ବସ୍ତି କରାଇବା ପରି ଏକ ସୂଚନା ଦେଇଛନ୍ତି ପେଟିଏମ୍‌ର ନିର୍ମାତା ତଥା ସିଇଓ ବିଜୟ ଶଙ୍କର ଶର୍ମା। ସେ କହିଛନ୍ତି କି ଫେବ୍ରୁଆରି ୨୯ ପରେ ମଧ୍ୟ ଆପ୍‌ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ବ୍ୟବହାରକାରୀମାନେ ଯେଉଁଭଳି ଭାବେ ପେଟିଏମ୍‌ ଆପ୍‌ ବ୍ୟବହାର କରୁଥିଲେ ସେହିପରି ଆଗକୁ ବି କରିପାରିବେ। ଏହାଛଡ଼‌ା ସିଇଓ ବ୍ୟବହାରକାରୀଙ୍କୁ ସେମାନଙ୍କର ଅତୁଟ ସମର୍ଥନ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ଲେଖିଛନ୍ତି, ‘‘ଆପଣଙ୍କ ପ୍ରିୟ ଆପ୍‌ ଚାଲୁଛି। ଫେବ୍ରୁଆରି ୨୯ ପରେ ମଧ୍ୟ ପୂର୍ବ ପରି ଚାଲିବ।’’ କମ୍ପାନି ଆହୁରି ବି କହିଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କଙ୍କ ନିର୍ଦ୍ଦେଶ ବ୍ୟବହାରକାରୀଙ୍କ ସେଭିଂ ଆକାଉଣ୍ଟ୍‌,ୱାଲେଟ୍‌, ଫାଷ୍ଟାଗ୍‌, ଏନ୍‌ସିଏମ୍‌ସି ଆକାଉଣ୍ଟ୍‌କୁ ପ୍ରଭାବିତ କରିପାରିବ ନାହିଁ।

ପେଟିଏମ୍‌ ସମ୍ପର୍କରେ ପେଟିଏମ୍‌  ନିର୍ମାତାଙ୍କ ବଡ଼ ଘୋଷଣା