ପ୍ରଥମ ଦିନରେ ଭଲ ଆୟ କରିପାରେ ଶାହିଦ-କ୍ରିତିଙ୍କ ଫିଲ୍ମ ‘ତେରୀ ବାତୋ ମେଁ ଏସା ଉଲଝା ଜିଆ’

ମୁମ୍ବାଇ: ଶାହିଦ କପୁର ଏବଂ କ୍ରିତି ସାନନଙ୍କ ବହୁ ପ୍ରତୀକ୍ଷିତ ରୋମାଣ୍ଟିକ କମେଡି ‘ତେରୀ ବାତୋ ମେଁ ଏସା ଉଲଝା ଜିଆ’ କୁ ନେଇ ଅନେକ କଥା ସାମ୍ନାକୁ ଆସୁଛି । ପ୍ରଶଂସକମାନେ ଏହି ଦୁଇ ତାରକାଙ୍କ ଅନସ୍କ୍ରିନ କେମେଷ୍ଟ୍ରୀ ଦେଖିବାକୁ ଚାତକ ପରି ଚାହିଁ ବସିଛନ୍ତି । ଏହାରିଭିତରେ ଫିଲ୍ମଟି ରିଲିଜ ହେବା ପୂର୍ବରୁ ଜବରଦସ୍ତ ଆଡଭାନ୍ସ ବୁକିଂ ମଧ୍ୟ କରାଯାଉଛି | ଶାହିଦ କପୁର ଏବଂ କ୍ରିତି ସାନନଙ୍କ ଯୋଡି ପ୍ରଥମ ଥର ପାଇଁ ‘ତେରୀ ବାତୋ ମେଁ ଏସା ଉଲଝା ଜିଆ’ରେ ଦେଖିବାକୁ ମିଳିବ | ଫିଲ୍ମଟିର ଗୀତ ଏବଂ ପୋଷ୍ଟରରେ ଉଭୟଙ୍କ ଯୋଡି ଚମତ୍କାର ଦେଖାଯାଉଛି | ଏହା ସହିତ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରର ରିଲିଜ ତାରିଖକୁ ଅପେକ୍ଷା କରିଛନ୍ତି | ସେପଟେ ‘ତେରୀ ବାତୋ ମେଁ ଏସା ଉଲଝା ଜିଆ’ ପାଇଁ ଆରମ୍ଭ ହୋଇଛି ଆଡଭାନ୍ସ ବୁକିଂ । ରିପୋର୍ଟ ଅନୁଯାୟୀ, ଫିଲ୍ମର ୪ ହଜାର ୭୫୮ଟିକେଟ୍ ଏଯାବତ୍ ବିକ୍ରି ହୋଇସାରିଛି । ମୋଟ ୧୩.୨୬ ଲକ୍ଷ ଟଙ୍କା ସଂଗ୍ରହ ହୋଇଛି | ଚଳଚ୍ଚିତ୍ରର ଆଡଭାନ୍ସ ବୁକିଂକୁ ଦେଖି ଆକଳନ କରାଯାଉଛି ଯେ, ‘ ତେରୀ ବାତୋ ମେଁ ଏସା ଉଲଝା ଜିଆ’ ପ୍ରଥମ ଦିନରେ ଭଲ ଆୟ କରିପାରେ । ଏହି ଚଳଚ୍ଚିତ୍ରଟି ଫେବୃଆରୀ ୯ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ | ଶାହିଦ କପୁର ଏବଂ କ୍ରିତି ସାନନଙ୍କ ସହ ଧର୍ମେନ୍ଦ୍ର, ଡିମ୍ପଲ କାପାଡିଆ, ରାକେଶ ବେଦୀଙ୍କ ଏବଂ ଅନ୍ୟାନ୍ୟ ଲୋକପ୍ରିୟ କଳାକାର ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଅମିତ ଯୋଶୀ ଏବଂ ଆରାଧନା ସାହା ଏହି ଚଳଚ୍ଚିତ୍ରର ଲେଖକ ଏବଂ ନିର୍ଦ୍ଦେଶକ ଅଟନ୍ତି ।

Feb 6, 2024 - 19:27
 12
ପ୍ରଥମ ଦିନରେ ଭଲ ଆୟ କରିପାରେ ଶାହିଦ-କ୍ରିତିଙ୍କ ଫିଲ୍ମ ‘ତେରୀ ବାତୋ ମେଁ ଏସା ଉଲଝା ଜିଆ’