ଫିଫା ବିଶ୍ୱ କପ ରେ ବଢ଼ିପାରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା...

Jul 14, 2026 - 10:52
Jul 14, 2026 - 11:07
 5
ଫିଫା ବିଶ୍ୱ କପ ରେ ବଢ଼ିପାରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା...

ଫିଫା ବିଶ୍ୱକପ୍‌କୁ ଆହୁରି ବ୍ୟାପକ କରିବା ଦିଗରେ ବଡ଼ ପଦକ୍ଷେପ ନେଇପାରେ ବିଶ୍ୱ ଫୁଟବଲ୍‌ର ସର୍ବୋଚ୍ଚ ସଂସ୍ଥା। 

୨୦୩୦ ମସିହାରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍‌ର ଶତବାର୍ଷିକୀ ସଂସ୍କରଣରେ ଅଂଶଗ୍ରହଣକାରୀ ଦଳ ସଂଖ୍ୟାକୁ ବର୍ତ୍ତମାନର ୪୮ରୁ ବଢ଼ାଇ ୬୪ କରିବା ପ୍ରସ୍ତାବକୁ ଫିଫା ଗୁରୁତ୍ୱର ସହ ବିଚାର କରୁଛି। 

ଏହି ସୂଚନା ଫିଫା ସଭାପତି ଜିଆନି ଇନଫାଣ୍ଟିନୋ ଦେଇଛନ୍ତି।

ପ୍ରସ୍ତାବକୁ ଅନୁମୋଦନ ମିଳିଲେ ବିଶ୍ୱକପ୍‌ରେ ଅଧିକ ଦେଶ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। 

ଏହା ଭାରତୀୟ ଫୁଟବଲ୍‌ ଦଳ ପାଇଁ ମଧ୍ୟ ଐତିହାସିକ ସମ୍ଭାବନା ସୃଷ୍ଟି କରିପାରେ। 

ତେବେ ବିଶ୍ୱକପ୍‌ରେ ସ୍ଥାନ ସୁନିଶ୍ଚିତ କରିବା ପାଇଁ ଭାରତକୁ ଏସିଆ ଯୋଗ୍ୟତା ପର୍ଯ୍ୟାୟରେ ଶ୍ରେଷ୍ଠ ଦଳମାନଙ୍କ ମଧ୍ୟରେ ରହି ସଫଳତାର ସହ ଯୋଗ୍ୟତା ଅର୍ଜନ କରିବାକୁ ହେବ।

ଇନଫାଣ୍ଟିନୋ କହିଛନ୍ତି, ବିଶ୍ୱକପ୍‌କୁ କେବଳ ୟୁରୋପ୍‌ କିମ୍ବା ଦକ୍ଷିଣ ଆମେରିକାର କିଛି ଦେଶ ମଧ୍ୟରେ ସୀମିତ ରଖିବା ଫିଫାର ଉଦ୍ଦେଶ୍ୟ ନୁହେଁ। ବରଂ ଛୋଟ ଓ ବିକାଶଶୀଳ ଫୁଟବଲ୍‌ ଦେଶଗୁଡ଼ିକୁ ମଧ୍ୟ ବିଶ୍ୱକପ୍‌ ମଞ୍ଚରେ ସୁଯୋଗ ଦେବାକୁ ଫିଫା ଚାହୁଁଛି। 

୨୦୨୬ ବିଶ୍ୱକପ୍‌ ସମାପ୍ତ ହେବା ପରେ ୬୪ ଦଳ ବିଶିଷ୍ଟ ବିଶ୍ୱକପ୍‌ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯିବ।

କିପରି ହୋଇପାରେ ୬୪ ଦଳର ବିଶ୍ୱକପ୍‌?

ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ମୋଟ ୬୪ଟି ଦଳକୁ ୧୬ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। 

ପ୍ରତ୍ୟେକ ଗ୍ରୁପ୍‌ରେ ୪ଟି ଲେଖାଏଁ ଦଳ ରହିବେ। 

ଗ୍ରୁପ୍‌ର ଶ୍ରେଷ୍ଠ ଦୁଇଟି ଦଳ ସିଧାସଳଖ ଭାବେ ରାଉଣ୍ଡ ଅଫ୍‌ ୩୨କୁ ପ୍ରବେଶ କରିବେ। 

ଏହି ବ୍ୟବସ୍ଥା ଫଳରେ ତୃତୀୟ ସ୍ଥାନରେ ଥିବା ଦଳମାନଙ୍କ ମଧ୍ୟରୁ ଯୋଗ୍ୟତା ନିର୍ଣ୍ଣୟ କରିବାର ଜଟିଳ ପ୍ରକ୍ରିୟା ଆବଶ୍ୟକ ପଡ଼ିବ ନାହିଁ।

ମ୍ୟାଚ୍‌ ବଢ଼ିବ, ବଢ଼ିପାରେ ବିବାଦ

୬୪ ଦଳ ଅଂଶଗ୍ରହଣ କଲେ ବିଶ୍ୱକପ୍‌ରେ ମୋଟ ମ୍ୟାଚ୍‌ ସଂଖ୍ୟା ୧୨୮କୁ ବୃଦ୍ଧି ପାଇବ। 

ଏହା ଖେଳାଳିଙ୍କ ଉପରେ ଅଧିକ କାର୍ଯ୍ୟଭାର ସୃଷ୍ଟି କରିବା ସହ ୟୁଏଫଏ, ବିଭିନ୍ନ ଘରୋଇ ଲିଗ୍‌ ଓ ଖେଳାଳି ସଂଘମାନଙ୍କ ପକ୍ଷରୁ ଆପତ୍ତି ମଧ୍ୟ ବଢ଼ିପାରେ। 

ତଥାପି ଫିଫାର ବିଶ୍ୱାସ, ଅଧିକ ଦେଶକୁ ସୁଯୋଗ ଦେବା ଦ୍ୱାରା ବିଶ୍ୱ ଫୁଟବଲ୍‌ର ବିକାଶକୁ ନୂଆ ଗତି ମିଳିବ।

ଉଲ୍ଲେଖଯୋଗ୍ୟ, ୨୦୩୦ ଫିଫା ବିଶ୍ୱକପ୍‌ର ମୁଖ୍ୟ ଆୟୋଜକ ଭାବେ ସ୍ପେନ୍‌, ପର୍ତ୍ତୁଗାଲ ଓ ମୋରୋକ୍କୋ ରହିବେ। 

ସେହିପରି ବିଶ୍ୱକପ୍‌ର ଶତବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଉରୁଗୁଏ, ଆର୍ଜେଣ୍ଟିନା ଓ ପାରାଗୁଏରେ ଉଦ୍‌ଘାଟନୀ ମ୍ୟାଚ୍‌ ଆୟୋଜନ କରାଯିବ।