ବଙ୍ଗଳାର ନୂଆ ‘ସୁଲତାନ’ (ଶୁଭେନ୍ଦୁ ଅଧିକାରୀ) ଙ୍କ ବ୍ୟକ୍ତିଗତ ଜୀବନର ଅକୁହା କାହାଣୀ...
ବଙ୍ଗଳାର ନୂଆ ‘ସୁଲତାନ’ (ଶୁଭେନ୍ଦୁ ଅଧିକାରୀ) ଙ୍କ ବ୍ୟକ୍ତିଗତ ଜୀବନର ଅକୁହା କାହାଣୀ...
କୋଲକାତା, ପଶ୍ଚିମବଙ୍ଗ ରାଜନୀତିର ଶିଖରରେ ଆଜି ଜଣେ ଏମିତି ଯୋଦ୍ଧାର ରାଜତିଳକ ହୋଇଛି; ଯିଏ ନିଜର ରାଜନୈତିକ ଯାତ୍ରା ବୁଥ୍ ସ୍ତରରୁ ଆରମ୍ଭ କରି ଆଜି ମୁଖ୍ୟମନ୍ତ୍ରୀ ପଦ ପର୍ଯ୍ୟନ୍ତ ପହଞ୍ଚିଛନ୍ତି । ସେ ହେଉଛନ୍ତି ଶୁଭେନ୍ଦୁ ଅଧିକାରୀ ।
ଆଜି ବଙ୍ଗଳାର ଘରେ ଘରେ ଶୁଭେନ୍ଦୁଙ୍କ ନାଁ ଗୁଞ୍ଜରିତ ହେଉଛି ।
ଲୋକେ ତାଙ୍କ ରାଜନୈତିକ ଚାଣକ୍ୟ ନୀତିର ପ୍ରଶଂସା ତ କରନ୍ତି, କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକଙ୍କ ମନରେ କୌତୂହଳ ରହିଛି ।
କୁମାର କାହିଁକି ରହିଲେ ଶୁଭେନ୍ଦୁ ଅଧିକାରୀ?
ଅନେକ ସମୟରେ ସୋସିଆଲ ମିଡିଆ ଏବଂ ସାଧାରଣରେ ଗୋଟିଏ ପ୍ରଶ୍ନ ପଚରାଯାଏ ଯେ, ଶୁଭେନ୍ଦୁ ଦାଦା ବିବାହ କାହିଁକି କରି ନାହାନ୍ତି ?
ଏକ ପ୍ରତିଷ୍ଠିତ ରାଜନୈତିକ ପରିବାରରୁ ଆସିଥିଲେ ମଧ୍ୟ ସେ ଏକାକୀ ରହିବା ପଛରେ ରହିଛି ଏକ ବଡ଼ ତ୍ୟାଗ ।
ଶୁଭେନ୍ଦୁଙ୍କ ନିକଟତମ ବ୍ୟକ୍ତି ଏବଂ ରାଜନୈତିକ ବିଶ୍ଲେଷକଙ୍କ ଅନୁସାରେ, ସେ ବହୁତ କମ୍ ବୟସରୁ ନିଜକୁ ‘ଜନତା’ଙ୍କ ସେବାରେ ସମର୍ପି ଦେଇଥିଲେ । ସେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ।
ସେ ବିଶ୍ୱାସ କରନ୍ତି ଯେ, ଜଣେ ପୂର୍ଣ୍ଣକାଳୀନ ରାଜନେତା ପାଇଁ ପରିବାରର ଦାୟିତ୍ୱ ବାଧା ସୃଷ୍ଟି କରିପାରେ ।
ମେଦିନୀପୁରର ମାଟି ଏବଂ ବଙ୍ଗଳାର ଲୋକଙ୍କ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ତାଙ୍କ ପାଇଁ ତାଙ୍କ ନିର୍ବାଚନ ମଣ୍ଡଳୀ ହିଁ ତାଙ୍କର ଘର ଏବଂ ସେଠାକାର ଜନତା ହିଁ ତାଙ୍କର ପରିବାର ।
ଏହି ତ୍ୟାଗ ହିଁ ତାଙ୍କୁ ଜନତାଙ୍କ ଗହଣରେ ‘ଦାଦା’ ଅର୍ଥାତ୍ ବଡ଼ ଭାଇର ପରିଚୟ ଦେଇଛି ।
କେତେ ପାଠ ପଢ଼ିଛନ୍ତି ଶୁଭେନ୍ଦୁ?
ରାଜନୀତି ମଇଦାନରେ ବିରୋଧୀଙ୍କୁ ଚିତ୍ପଟ୍ଟାଙ୍ଗ କରୁଥିବା ଶୁଭେନ୍ଦୁ ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ମଧ୍ୟ ବେଶ୍ ଆଗରେ ।
ତାଙ୍କର ପ୍ରାଥମିକ ଶିକ୍ଷା କାନ୍ଥିର ଏକ ସ୍ଥାନୀୟ ସ୍କୁଲରୁ ଆରମ୍ଭ ହୋଇଥିଲା ।
ଏହାପରେ ସେ କାନ୍ଥି ପି.କେ କଲେଜରୁ ସ୍ନାତକ ଏବଂ ପରେ ମାଷ୍ଟର ଅଫ୍ ଆର୍ଟସ୍ (ଏମ୍ଏ) ଡିଗ୍ରୀ ହାସଲ କରିଛନ୍ତି ।
ତାଙ୍କର ଏହି ଉଚ୍ଚ ଶିକ୍ଷା ଏବଂ ଇତିହାସ ପ୍ରତି ଥିବା ଗଭୀର ଜ୍ଞାନ ତାଙ୍କୁ ବିଧାନସଭା ଭିତରେ ତଥ୍ୟ ଓ ପରିସଂଖ୍ୟାନ ସହ ସରକାରଙ୍କୁ ଘେରିବାରେ ସାହାଯ୍ୟ କରିଥାଏ ।
ଏତେ ବଡ଼ ପଦବୀରେ ପହଞ୍ଚିବା ପରେ ମଧ୍ୟ ଶୁଭେନ୍ଦୁଙ୍କ ଜୀବନଶୈଳୀ ଅତି ସାଧାରଣ । ସେ ସବୁବେଳେ ଧଳା କୁର୍ତ୍ତା ଓ ପାଇଜାମାରେ ନଜର ଆସନ୍ତି ।
ସେ ସମ୍ପୂର୍ଣ୍ଣ ଶାକାହାରୀ ଭୋଜନ ପସନ୍ଦ କରନ୍ତି ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ତାଙ୍କର ଗଭୀର ରୁଚି ରହିଛି ।
????ମମତାଙ୍କୁ ହରାଇ ସାଜିଲେ ଅସଲି ‘ସୁଲତାନ୍’
ଶୁଭେନ୍ଦୁ ଅଧିକାରୀଙ୍କ ପ୍ରକୃତ ଶକ୍ତି ୨୦୨୧ ନନ୍ଦୀଗ୍ରାମ ନିର୍ବାଚନରେ ଦେଖିବାକୁ ମିଳିଥିଲା ।
ସେ ସାରା ଦୁନିଆକୁ ଦେଖାଇ ଦେଇଥିଲେ ଯେ ସେ ‘ଦିଦି’ଙ୍କୁ ମଧ୍ୟ ପରାସ୍ତ କରିପାରିବେ ।
ମମତା ବାନାର୍ଜୀଙ୍କୁ ତାଙ୍କ ନିଜ ଗଡ଼ରେ ପରାଜିତ କରିବା କୌଣସି ସାଧାରଣ କଥା ନଥିଲା ।
ସେହି ବିଜୟ ପରେ ବିଜେପି ଶିବିରରେ ଶୁଭେନ୍ଦୁଙ୍କ କଦ୍ ବଢ଼ିଯାଇଥିଲା, ଯାହା ଆଜି ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁଙ୍କ ଆଗରେ ଅନେକ ଆହ୍ୱାନ ରହିଛି ।
ବଙ୍ଗଳାର ହଜିଯାଇଥିବା ଗୌରବକୁ ଫେରାଇ ଆଣିବା, ଶିଳ୍ପାୟନ, ନିଯୁକ୍ତି ଏବଂ ଆଇନ ଶୃଙ୍ଖଳାକୁ ସୁଧାରିବା ତାଙ୍କର ମୁଖ୍ୟ ଏଜେଣ୍ଡା ।
ବଙ୍ଗଳାବାସୀ ଆଶା ରଖିଛନ୍ତି ଯେ ‘ଅଧିକାରୀ ପରିବାର’ର ଏହି ଉତ୍ତରାଧିକାରୀ ଏବେ ସାରା ରାଜ୍ୟର ଭବିଷ୍ୟତକୁ ଆଲୋକିତ କରିବ ।