ବିଧାନସଭା ଅଵ୍ୟବାହିତ ପୂର୍ବରୁ ବିଭିନ୍ନ ଦଳର ରଣ ସଜ୍ଜା ପ୍ରସ୍ତୁତି
ଆଜି ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ ।
ବିଭିନ୍ନ ପ୍ରସଙ୍ଗରେ ରାଜ୍ୟର ବିଜେପି ସରକାରଙ୍କୁ ଘେରିବା ପାଇଁ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ନିଜ ନିଜର ରଣନୀତି ଚୂଡ଼ାନ୍ତ କରିଥିବାବେଳେ ସମଗ୍ର ଅଧିବେଶନରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅନୁପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।
ଏହାସହିତ ବିଜେଡି ମଧ୍ୟ ଚାଷୀ ସମସ୍ୟା ଓ ସାର ଅଭାବ ସମେତ ନିର୍ବାଚିତ ପଂଚାୟତ ପ୍ରତିନିଧିଙ୍କ ଆର୍ଥିକ କ୍ଷମତା ହ୍ରାସକୁ ମୁଖ୍ୟ ପ୍ରସଙ୍ଗ କରି ଗୃହକାର୍ଯ୍ୟ ଠପ୍ ନିମନ୍ତେ ଗୁପ୍ତ ରଣନୀତି ପ୍ରସ୍ତୁତ କରିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି ।
ବିଜେଡିର ଦୋମୁହାଁ ନୀତିର ଫାଇଦା ଉଠାଇ କଂଗ୍ରେସ ଚଳିତ ଅଧିବେଶନରେ ଗୃହ ଭିତରେ ଓ ବାହାରେ ଘେରିବା ସହ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।
ଆସନ୍ତା ମୌସୁମୀ ଅଧିବେଶନରେ କେଉଁ ପ୍ରସଙ୍ଗକୁ ଧରି ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ଗୃହରେ ସରକାରଙ୍କୁ ଅଡ଼ୁଆରେ ପକାଇବ ତାକୁ ନେଇ ବିଧାୟକମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି ।
ଦଳର ଗୋଟିଏ ଗୋଷ୍ଠୀ ଚାଷୀ ସମସ୍ୟା ଓ ସାର ଅଭାବକୁ ନେଇ ଗୃହ ଭିତରେ ସରକାରଙ୍କୁ ଘେରିବା ପାଇଁ ଦାବି କରିଥିବାବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ମହିଳାଙ୍କ ବିରୁଦ୍ଧରେ ହିଂସା ଓ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କ ଆର୍ଥିକ କ୍ଷମତା ହ୍ରାସକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ଚାହୁଁଛନ୍ତି ।
ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜର ଚିରାଚରିତ ଢଙ୍ଗରେ ବିଧାନସଭା ଅଧିବେଶନରେ ସାମିଲ ହେବେ ନାହିଁ ବୋଲି ସୂଚନା ମିଳିଛି ।
ବିଜେଡିରେ ବଢ଼ୁଥିବା ଅସନ୍ତୋଷ ଓ ଦଳୀୟ କନ୍ଦଳ ଭିତରେ ବିଧାୟକମାନଙ୍କ ତୁଣ୍ଡରେ ତୁଣ୍ଡି ବାନ୍ଧିବା ସମ୍ଭବପର ନଥିବାରୁ ଦଳ ମୌସୁମୀ ଅଧିବେଶନବେଳେ ଗୃହକୁ ଅଚଳ କରି ରଖି ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟର ସନ୍ଦେଶ ଦେବାକୁ ଚାହୁଁଛି । ଯଦିଓ ନବୀନଙ୍କ ଅନୁପସ୍ଥିତିକୁ ଲୁଚାଇବା ପାଇଁ ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ଚକ୍କରରେ ବିଜେଡି ନଥିବା ଦଳୀୟ ସୂଚନା ମିିଳଛି ।
ଶଙ୍ଖଭବନରେ ବିଧାୟକ ଦଳର ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, “ ରାଜ୍ୟରେ ଚାଷୀ, ମହିଳା, ଅନୁସୂଚିତ ଜାତି-ଜନଜାତି, ରଥଯାତ୍ରା ସମୟରେ ଅପାରଗତାକୁ ବିଧାନସଭାରେ ବିଜେଡି ଉଠାଇବ । ଏହିସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ବିଧାୟକମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।