ଭାରତ ମସଲା ପକ୍ଷରୁ ‘ଭାରତ ପ୍ରତିଭା ସମ୍ମାନ୨୦୨୬’ ପ୍ରଦାନ...
ପବିତ୍ର ଗଣେଶ ପୂଜା ଅବସରରେ ଜୟ ଭାରତ ଫାଉଣ୍ଡେସନ ପକ୍ଷରୁ କଟକ ସହୀଦ ଭବନଠାରେ ଭାରତ ମସଲାର ୨୭ତମ ପ୍ରତିଷ୍ଠା ଦିବସ ପାଳନ ସହ ‘ଭାରତ ପ୍ରତିଭା ସମ୍ମାନ-୨୦୨୬’ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟ ଅତିଥି ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭାରତ ମସଲାର ୨୭ ବର୍ଷର ସଫଳ ଯାତ୍ରାକୁ ପ୍ରଶଂସା କରି କମ୍ପାନୀ ୩୦ ହଜାର ପରିବାରର ଜୀବିକାରେ ସହାୟକ ହେବା ସହ ୩୦ଟି ଦେଶରେ ଓଡ଼ିଶାର ନାମ ପହଞ୍ଚାଇଛି ଏବଂ ବାର୍ଷିକ ୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ କରୁଥିବା କହିଥିଲେ।
ସମ୍ମାନିତ ଅତିଥି କୋରେଇ ବିଧାୟକ ଆକାଶ ଦାସ ନାୟକ ଏହି ପ୍ରୟାସକୁ ପ୍ରଶଂସା କରିଥିବାବେଳେ ଅଭିନେତା ତଥା ରାଜନେତା ଶ୍ରୀତମ ଦାଶ କରୋନା ମହାମାରୀ ସମେତ ବନ୍ୟା ଓ ବାତ୍ୟା ସମୟରେ ଭାରତ ମସଲାର ସାମାଜିକ ସହଯୋଗକୁ ପ୍ରଶଂସା କରିଥିଲେ।
ପ୍ରତିଷ୍ଠାତା ତଥା ଚେୟାରମେନ୍ ସୁରେନ୍ଦ୍ର ପଣ୍ଡା ଯୁବପିଢ଼ି ଚାକିରି ଖୋଜିବା ପରିବର୍ତ୍ତେ ଚାକିରି ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିବାବେଳେ ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ଓଡ଼ିଶାର କୃଷିଜାତ ଉତ୍ପାଦ ଯଥା ଟମାଟୋ, ଅଦା ଓ ହଳଦୀ ଅଧିକ ପରିମାଣରେ କିଣିବା ପାଇଁ କମ୍ପାନୀର ପ୍ରୟାସ ସମ୍ପର୍କରେ କହିଥିଲେ।
ଏହି ଅବସରରେ ଡଃ ଅଚ୍ୟୁତ ସାମନ୍ତଙ୍କୁ ‘ଭାରତ ଗୌରବ ସମ୍ମାନ’,
କ୍ୟାପଟେନ୍ ରମାକାନ୍ତ ପଟ୍ଟନାୟକଙ୍କୁ ‘ସେବା ଭାରତ ସମ୍ମାନ’,
ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ‘କଥା ଭାରତ ସମ୍ମାନ’,
ତୃପ୍ତି ଦାସଙ୍କୁ ‘ସଂସ୍କୃତି ଭାରତ ସମ୍ମାନ’,
ପୁଷ୍ପଲତା ସାହୁ ଓ ଲତା ବାଗଙ୍କୁ ‘ଉଦ୍ୟୋଗୀ ଭାରତ ସମ୍ମାନ’ ରାଜେଶ କୁମାର ମହାନ୍ତିଙ୍କୁ ‘କ୍ରୀଡ଼ା ଭାରତ ସମ୍ମାନ’ ପ୍ରଦାନ କରାଯାଇଥିଲା।
ସେହିପରି ଯୁକ୍ତଦୁଇ ବିଜ୍ଞାନର ଛାତ୍ର କମଳାକାନ୍ତ ରଣା, ବାଣିଜ୍ୟର ଛାତ୍ର ଶୁଭମ୍ ନାୟକ ଓ କଳାର ଛାତ୍ରୀ ଅଙ୍କିତା ନାୟକଙ୍କୁ ‘ବିଦ୍ୟା ଭାରତ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।
ଜିଏମ୍ ଅପରେସନ ଅରୁଣ କୁମାର ନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିବାବେଳେ ସୁମନ୍ତ କୁମାର ପଣ୍ଡା, ଆଶୁତୋଷ ପଣ୍ଡା, ଏସ୍ଏନ୍ ମିଲେନିୟମ୍ର ନିର୍ଦ୍ଦେଶିକା, ଜିଏମ୍ ବିପିନ ରାଉତ, ଜିଏମ୍ ପ୍ରଡକ୍ସନ୍ ନବକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।