ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ତ୍ରୟୋଦଶ ବୈଠକ...

Aug 8, 2026 - 08:54
 5
ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ତ୍ରୟୋଦଶ ବୈଠକ...

ବ୍ରିକ୍ସ ସହଯୋଗ ପାଇଁ ଜନକୈନ୍ଦ୍ରିକ ଓ ମାନବିକତା ଆଭିମୁଖ୍ୟ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଭବିଷ୍ୟତ ପିଢ଼ିର ଆକାଂକ୍ଷାକୁ ପୂରଣ କରିବା ଲାଗି ଶିକ୍ଷା ବ୍ୟବସ୍ଥାରେ ନିରନ୍ତର ପରିବର୍ତ୍ତନ ସୁନିଶ୍ଚିତ କରିବାକୁ ନବସୃଜନ ଜରୁରୀ

ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ଘୋଷଣାନାମା ଗୃହୀତ ହେବା ସହିତ ବୈଠକର ହେଲା ସମାପନ

ବ୍ରିକ୍ସ ସହଯୋଗରେ ଜନ କୈନ୍ଦ୍ରିକ ଏବଂ ମାନବତା ପ୍ରଥମ ଆଭିମୁଖ୍ୟ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। 

ଶ୍ରୀ ଯୋଶୀ ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ଘୋଷଣାନାମା ଗୃହୀତ ହୋଇଛି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ ବ୍ରିକ୍ସ ସହଯୋଗୀଙ୍କ ସହିତ ଘନିଷ୍ଠ ଭାବେ କାର୍ଯ୍ୟ କରିବା ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଏହି ବୈଠକରେ ସୃଷ୍ଟି ହୋଇଥିବା ଧାରା ଫଳପ୍ରଦ ପରିଣାମ ଆଣିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ। 

ଭାରତର ବ୍ରିକ୍ସ ଅଧ୍ୟକ୍ଷତା ୨୦୨୬ର ବାର୍ତ୍ତା ‘‘ଦୃଢ଼ତା, ନବସୃଜନ, ସହଯୋଗ ଏବଂ ଦୀର୍ଘସ୍ଥାୟିତ୍ୱ ପାଇଁ ନିର୍ମାଣ’’ ବିଷୟରେ ଉଲ୍ଲେଖ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ, ଶିକ୍ଷା ବ୍ୟବସ୍ଥା ମାନବୀୟ ମୂଲ୍ୟବୋଧର ମୂଳଦୁଆରେ ଦୃଢ଼ ଭାବେ ତିଷ୍ଠି ରହିବା ସହିତ ଯୁବପିଢ଼ିଙ୍କୁ ପରିବର୍ତ୍ତିତ ସୁଯୋଗ ପାଇଁ ପ୍ରସ୍ତୁତ କରିବା ଉଚିତ୍‌ । ବିଦ୍ୟାର୍ଥୀ, ଶିକ୍ଷକ, ଗବେଷକ ଓ ଯୁବପିଢ଼ିଙ୍କୁ ନୀତି ନିର୍ଦ୍ଧାରଣ ଏବଂ ଅନ୍ତର୍ଜାତୀୟ ସହଯୋଗର କେନ୍ଦ୍ରରେ ରଖାଯିବା ଆବଶ୍ୟକ ।

ଶ୍ରୀ ଯୋଶୀ କହିଥିଲେ, ଶିକ୍ଷା ହେଉଛି ସମାବେଶୀ ବିକାଶ ଏବଂ ସହଭାଗୀ ସମୃଦ୍ଧିର ମୂଳଦୁଆ। 

ବୈଠକରେ ଗୃହୀତ ହୋଇଥିବା ଘୋଷଣାନାମା ପାଞ୍ଚଟି ପ୍ରାଥମିକତା କ୍ଷେତ୍ରରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛି । 

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ ନୂତନତ୍ୱ ଓ ଐତିହ୍ୟ ପରସ୍ପରର ପରିପୂରକ ବୋଲି ମତବ୍ୟକ୍ତ କରି ପାରମ୍ପରିକ ଏବଂ ସ୍ୱଦେଶୀ ଜ୍ଞାନ ପ୍ରଣାଳୀର ସଂରକ୍ଷଣ ଓ ପ୍ରୋତ୍ସାହନ ଉପରେ ଗୁରୁତ୍ୱ ଦେଇଥିଲେ । 

ପାରମ୍ପରିକ ଜ୍ଞାନକୁ ସଂରକ୍ଷଣ କରିବା, ଏହାକୁ ଗଭୀର ଭାବରେ ଅଧ୍ୟୟନ କରିବା ଏବଂ ଭବିଷ୍ୟତ ପିଢ଼ିକୁ ଏହାର ମୂଲ୍ୟ ପ୍ରଦାନ କରିବା ଲାଗି ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ସମୃଦ୍ଧ ସଭ୍ୟତା ଏକ ଅନନ୍ୟ ସୁଯୋଗ ପ୍ରଦାନ କରିଛି ।

ଶ୍ରୀ ଯୋଶୀ ଏକ ପ୍ରାଚୀନ ଶିକ୍ଷା କେନ୍ଦ୍ର ଭାବରେ ଓଡ଼ିଶାର ସମୃଦ୍ଧ ଐତିହ୍ୟ ଉପରେ ମଧ୍ୟ ଆଲୋକପାତ କରିଥିଲେ । 

ଏହି ପରିପ୍ରେକ୍ଷୀରେ ସେ ଭାରତର ଦୀର୍ଘସ୍ଥାୟୀ ସଭ୍ୟତାଗତ ମୂଲ୍ୟବୋଧ ‘‘ଅତିଥି ଦେବୋ ଭବ’’ ଏବଂ ‘‘ବସୁଧୈବ କୁଟୁମ୍ବକମ’’ ଉପରେ ଆଲୋକପାତ କରିଥିଲେ। 

ବ୍ରିକ୍ସ ଦେଶଗୁଡ଼ିକ ସେମାନଙ୍କର ପରମ୍ପରା ଓ ଅଭିଜ୍ଞତାରେ ଭିନ୍ନ ହୋଇପାରନ୍ତି, କିନ୍ତୁ ସେମାନଙ୍କର ପ୍ରଗତି ପରସ୍ପର ସହିତ ଜଡିତ ବୋଲି ସେ କହିଥିଲେ ।

ବ୍ରିକ୍ସ ଶିକ୍ଷା ଟ୍ରାକ୍ ଅଧୀନରେ ସହଯୋଗକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ବୈଠକରେ ବ୍ରାଜିଲ, ରୁଷ, ଚୀନ୍, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଇରାନ, ଇଥିଓପିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ସମେତ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଯୋଗ ଦେଇଥିଲେ।

ତ୍ରୟୋଦଶ ବ୍ରିକ୍ସ ଶିକ୍ଷା ମନ୍ତ୍ରୀଙ୍କ ଘୋଷଣାନାମା ଗୃହୀତ ହେବା ସହିତ ଶିକ୍ଷାକୁ ବ୍ରିକ୍ସ ସହଯୋଗର ଏକ ପ୍ରମୁଖ ସ୍ତମ୍ଭ ଭାବରେ ପୁନଃପ୍ରତିଷ୍ଠା କରାଯାଇଥିଲା। 

ଏଥିସହିତ ଭାରତର ଅଧ୍ୟକ୍ଷତା ଅଧୀନରେ ଚିହ୍ନଟ ହୋଇଥିବା ପାଞ୍ଚଟି ପ୍ରାଥମିକତା କ୍ଷେତ୍ର ମଧ୍ୟରେ ଏକ ସହଭାଗୀ ରୂପରେଖ ନିର୍ଦ୍ଧାରଣ କରାଯାଇଥିଲା। ଏଥିରେ କେତେକ ପରିଣାମ ଉପରେ ଗୁରୁତ୍ୱ ଦିଆଯାଇଥିଲା।

????ପ୍ରଥମତଃ, ବୈଠକରେ ପ୍ରାକ୍‌ ଶୈଶବ ଯତ୍ନ ଓ ଶିକ୍ଷା ଏବଂ (ଇସିସିଇ) ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ (ଏଫଏଲଏନ)କୁ ମଜବୁତ କରିବା ନେଇ ସଦସ୍ୟ ରାଷ୍ଟ୍ରମାନେ ସହମତ ହୋଇଥିଲେ। ଇସିସିଇର ସାର୍ବଜନୀନ ଏବଂ ସମାବେଶ ଉପଲବ୍ଧତାକୁ ପ୍ରୋତ୍ସାହନ ଦିଆଯିବ। ବିଦ୍ୟାଳୟଗୁଡ଼ିକର ପ୍ରସ୍ତୁତିକୁ ସୁଦୃଢ଼ କରାଯିବା ସହିତ ପ୍ରାରମ୍ଭିକ ଅଧ୍ୟୟନରେ ବୟସ ଅନୁକୂଳ ଡିଜିଟାଲ ସମାଧାନକୁ ପ୍ରୋତ୍ସାହିତ କରାଯିବ ।

????ଦ୍ୱିତୀୟତଃ, ଦକ୍ଷତା ବିକାଶ ଏବଂ ଟିଭିଇଟିରେ ସହଯୋଗକୁ ସୁଦୃଢ଼ କରିବା ନେଇ ଘୋଷଣାନାମାରେ ସହମତ ହୋଇଥିଲା । ଆଗାମୀ ଦ୍ୱିବାର୍ଷିକ ପ୍ରଗତି ରିପୋର୍ଟ ଏବଂ ଦୀର୍ଘସ୍ଥାୟୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସହଯୋଗକୁ ଆଗକୁ ବଢାଇବାରେ ବ୍ରିକ୍ସ ଟିଭିଇଟି ସହଯୋଗ ମେଣ୍ଟର ଭୂମିକାକୁ ସ୍ୱୀକୃତି ଦିଆଯାଇଥିଲା। ଘୋଷଣାନାମାରେ ଆଗ୍ରହୀ ବ୍ରିକ୍ସ ସଦସ୍ୟମାନଙ୍କ ଦ୍ୱାରା ସ୍ୱେଚ୍ଛାକୃତ ଅଂଶଗ୍ରହଣ ସହ ଏକ ଅନ୍ତର୍ଜାତୀୟ ଦକ୍ଷତା ଶୂନ୍ୟସ୍ଥାନ ଅଧ୍ୟୟନ କରିବା ପାଇଁ ଭାରତର ପ୍ରୟାସକୁ ମଧ୍ୟ ସ୍ୱୀକାର କରାଯାଇଥିଲା।

????ତୃତୀୟତଃ, ଗବେଷଣା, ନବସୃଜନ ଏବଂ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମକୁ ବଢ଼ାଇବା ନେଇ ସହମତି ହୋଇଥିଲା । ମିଳିତ ଗବେଷଣାକୁ ପ୍ରୋତ୍ସାହିତ କରିବା, ଶିକ୍ଷାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସୁରକ୍ଷିତ, ନୈତିକ ଓ ମାନବ-କୈନ୍ଦ୍ରିକ ବ୍ୟବହାରକୁ ଉତ୍ସାହିତ କରିବା, ନବସୃଜନ ଆଧାରିତ ଉଦ୍ୟୋଗକୁ ସୁଦୃଢ଼ କରିବା ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନ, ଗବେଷକ ଓ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମ ମଧ୍ୟରେ ସହଯୋଗକୁ ଆହୁରି ଗଭୀର କରିବା ନେଇ ସହମତି ହୋଇଥିଲା।

????ଚତୁର୍ଥତଃ, ଆପୋସ ସ୍ୱୀକୃତି ଯୋଗ୍ୟତା (ଏମଆରକ୍ୟୁ)କୁ ଆଗକୁ ବଢ଼ାଇବା ନେଇ ବ୍ରିକ୍ସ ସଦସ୍ୟ ଦେଶମାନେ ସହମତ ହୋଇଥିଲେ । ଅଧିକ ଶୈକ୍ଷିକ ଗତିଶୀଳତା ଏବଂ ସହଯୋଗକୁ ସୁଗମ କରିବା ଉଦ୍ଦେଶ୍ୟରେ ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି ପାଇଁ ଏକ ବୁଝାମଣାପତ୍ର ଉପରେ ଆଲୋଚନାକୁ ଆଗକୁ ବଢାଇବା ଲାଗି କାର୍ଯ୍ୟକାରୀ ଗୋଷ୍ଠୀର ବୈଠକ ଡାକିବାକୁ ସହମତି ହୋଇଥିଲା। 

????ପଞ୍ଚମରେ, ଶୈକ୍ଷିକ ନେତୃତ୍ୱ ଏବଂ ସାଂଗଠନିକ ବିକାଶ ପାଇଁ କ୍ଷମତା ନିର୍ମାଣକୁ ସୁଦୃଢ଼ କରିବା ନେଇ ସବୁ ସଦସ୍ୟ ଦେଶ ସହମତ ହୋଇଥିଲେ । 

ବ୍ରିକ୍ସ ରେକ୍ଟର ଫୋରମର ନିରନ୍ତର ଆୟୋଜନ, ଅଧ୍ୟାପକ ଓ ନେତୃତ୍ୱ ବିନିମୟ, ଏସଟିଇଏମ ଉପରେ ଧ୍ୟାନ ଦେଇ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଏବଂ ବ୍ରିକ୍ସ ବିଶ୍ୱବିଦ୍ୟାଳୟର ବିଶ୍ୱ ରାଙ୍କିଂ ଓ ମୂଲ୍ୟାଙ୍କନ ପ୍ରଣାଳୀ ପାଇଁ ଅନୁସନ୍ଧାନମୂଳକ କାର୍ଯ୍ୟକୁ ପ୍ରୋତ୍ସାହିତ କରାଯାଇଥିଲା।

ବୈଠକରେ ପାରମ୍ପରିକ ଓ ସ୍ୱଦେଶୀ ଜ୍ଞାନ ପ୍ରଣାଳୀ ଉପରେ ଶୈକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଲାଗି ବ୍ରିକ୍ସ ମାର୍ଗଦର୍ଶୀ ନୀତି ଉପରେ ଭାରତର ପଦକ୍ଷେପକୁ ସ୍ୱାଗତ କରାଯାଇଥିଲା । 

ଏଥିସହିତ ବ୍ରିକ୍ସ ନେଟୱାର୍କର ବିଶ୍ୱବିଦ୍ୟାଳୟ ପାରମ୍ପରିକ ଓ ସ୍ୱଦେଶୀ ଜ୍ଞାନ ପ୍ରଣାଳୀକୁ ଏକ ଅତିରିକ୍ତ ଅନ୍ତର୍ଜାତୀୟ ବିଷୟବସ୍ତୁ ଗୋଷ୍ଠୀ ଭାବରେ ସାମିଲ କରିବା ଉପରେ ବିଚାର କରିପାରିବେ ବୋଲି ପରାମର୍ଶ ଦିଆଯାଇଥିଲା ।

ଏଥିପୂର୍ବରୁ ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗତ ୫ ତାରିଖରେ ଭୁବନେଶ୍ୱର ଠାରେ ବ୍ରିକ୍ସ ବରିଷ୍ଠ ଅଧିକାରୀମାନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା । 

ବୈଠକରେ ଅଧିକ ସହଯୋଗ, ନବସୃଜନ ଏବଂ ଜ୍ଞାନର ଆଦାନପ୍ରଦାନ ମାଧ୍ୟମରେ ସମାବେଶୀ, ସ୍ଥିର ଓ ଭବିଷ୍ୟତ ଉନ୍ମୁଖି ଶିକ୍ଷା ବ୍ୟବସ୍ଥାକୁ ଆଗକୁ ବଢ଼ାଇବା ପାଇଁ ସଦସ୍ୟ ଦେଶଗୁଡ଼ିକର ସହଭାଗୀ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ଭାରତର ଅଧ୍ୟକ୍ଷତାରେ ବିଭିନ୍ନ କ୍ଷେତ୍ରରେ ବ୍ରିକ୍ସ ମନ୍ତ୍ରୀସ୍ତରୀୟ ବୈଠକମାନ ଆୟୋଜନ କରାଯିବ। 

ଏସବୁ ବୈଠକ ସରିବା ପରେ ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀରେ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ ।