ଭୁବନେଶ୍ୱରରେ ସବୁଜ ଶକ୍ତି (ସୌର) ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ୱାର୍ଲ୍ଡ ସ୍କିଲ ସେଣ୍ଟର ଏବଂ ଓଏଚପିସି ମଧ୍ୟରେ ସହଭାଗିତା...
ବିଶ୍ୱ ଦକ୍ଷତା କେନ୍ଦ୍ରର ସମ୍ପ୍ରସାରଣ ଏବଂ ଅଧିକ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ପ୍ରାୟୋଜିତ ତାଲିମ ନେଇ ଉପ-ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା
ଓଡ଼ିଶାର ଯୁବପିଢ଼ିଙ୍କୁ ସବୁଜ ଶକ୍ତି ଓ ସୌର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦକ୍ଷ କରିବା ପାଇଁ ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟର ଠାରେ ଏକ 'ଗ୍ରୀନ୍ ଏନର୍ଜି (ସୋଲାର) ସେଣ୍ଟର ଅଫ୍ ଏକ୍ସଲେନ୍ସ' ପ୍ରତିଷ୍ଠା କରାଯାଉଛି। ଓଡ଼ିଶା ହାଇଡ୍ରୋ ପାୱାର କୋର୍ପୋରେସନ୍ ର କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ୱ (CSR) ପାଣ୍ଠିରୁ ପ୍ରାୟ ୧.୪୮ କୋଟି ଟଙ୍କା ବିନିଯୋଗରେ ଏହା କାର୍ଯ୍ୟକାରୀ ହେବ।
ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଗୌରବମୟ ଉପସ୍ଥିତିରେ ଏହି ସହଭାଗିତା ନେଇ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।
କୌଶଳ ଭବନରେ ପ୍ରାୟ ୩,୦୦ରେ ବର୍ଗଫୁଟ ପରିମିତ ସ୍ଥାନରେ ନିର୍ମିତ ହେବାକୁ ଥିବା ଏହି ଆଧୁନିକ କେନ୍ଦ୍ରରେ ରୂଫଟପ୍, ଫ୍ଲୋଟିଂ ସୋଲାର ଏବଂ ସୋଲାର-ଟ୍ରାକର ଭଳି ବ୍ୟବହାରିକ ଡେମୋନଷ୍ଟ୍ରେସନ ୟୁନିଟ୍ ସହ ପିଏଲସି, ସ୍କାଡା, ଆଇଓଟି, ରିମୋଟ ମନିଟରିଂ ଓ ଏନର୍ଜି ମ୍ୟାନେଜମେଣ୍ଟ ଭଳି ଉନ୍ନତ ପ୍ରଯୁକ୍ତିବିଦ୍ୟାରେ ପ୍ରଶିକ୍ଷଣ ଦିଆଯିବ।
ପ୍ରତିବର୍ଷ ପ୍ରାୟ ୩୦୦ ଯୁବକଯୁବତୀଙ୍କୁ ସୋଲାର ଟେକ୍ନିସିଆନ୍, ଅପରେସନ ଓ ମେଣ୍ଟେନାନ୍ସ ଟେକ୍ନିସିଆନ୍, ସାଇଟ୍ ସୁପରଭାଇଜର ଏବଂ ଏନର୍ଜି ଅଡିଟର ଭଳି ଉଚ୍ଚ ଚାହିଦା ଥିବା ପଦବୀ ପାଇଁ ପ୍ରଶିକ୍ଷିତ କରାଯିବ।
ଏହି କାର୍ଯ୍ୟକ୍ରମ ସମଗ୍ର ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଉନ୍ମୁକ୍ତ ରହିବା ସହ ମହିଳାମାନଙ୍କ ଭାଗୀଦାରି ବୃଦ୍ଧି ଏବଂ ସ୍ଥାନୀୟ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବ।
ଏହି ସମାରୋହରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ୱାର୍ଲ୍ଡ ସ୍କିଲ ସେଣ୍ଟରର ବ୍ୟାପକ ସମ୍ପ୍ରସାରଣ ଘୋଷଣା କରିଛନ୍ତି।
ବିଶ୍ୱସ୍ତରୀୟ ତାଲିମର ସୁଯୋଗ ବୃଦ୍ଧି ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ଦ୍ୱାରା ପୂର୍ବରୁ ଦିଆଯାଉଥିବା ସମ୍ପୂର୍ଣ୍ଣ ପ୍ରାୟୋଜିତ ଛାତ୍ର ସଂଖ୍ୟା ୬୦ ରୁ ୧୦୦କୁ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି ଏବଂ ଆଗାମୀ ଦିନରେ ବ୍ରହ୍ମପୁର ଓ ସମ୍ବଲପୁରଠାରେ ନୂତନ ଶାଖା ସ୍ଥାପନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ଆବଶ୍ୟକ ସହାୟତା ଶକ୍ତି ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ।
ମାନ୍ୟବର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି କେନ୍ଦ୍ରକୁ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଏକ ରୂପାନ୍ତରଣକାରୀ ପଦକ୍ଷେପ ଭାବେ ଅଭିହିତ କରିଛନ୍ତି, ଯାହା ସ୍ୱଚ୍ଛ ଶକ୍ତି ଓ ସ୍ଥାୟୀ ନିଯୁକ୍ତି କ୍ଷେତ୍ରରେ ଓଡ଼ିଶାକୁ ଆଗେଇ ନେବ।
ଏହି ଏମଓୟୁ ସ୍ୱାକ୍ଷର ସମାରୋହରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ, ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର, ଓଏଚପିସି ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ ସନ୍ଦୀପ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।