ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ନିଶୁଳ୍କ ହେଲ୍ପଲାଇନ – ୧୮୦୦-୩୪୫-୭୮୮୫ I
କୃଷି ଭବନ ଠାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥର ଶୁଭ ଉଦଘାଟନ କରିଛନ୍ତି l ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ଓ ଅନ୍ତର୍ଜାତୀୟ ପ୍ରବାସ ସଂଗଠନ (International Organization for Migration)ର ମିଳିତ ସହଯୋଗ ଓ ଜାତିସଂଘ ପ୍ରବାସୀ ମଲ୍ଟି-ପାର୍ଟନର ଟ୍ରଷ୍ଟ ଫଣ୍ଡର ସମର୍ଥନରେ ଓଡ଼ିଶାର ପ୍ରଥମ ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଆରମ୍ଭ କରାଯାଇଛି l ଗଞ୍ଜାମ ଓ କେନ୍ଦ୍ରାପଡ଼ାର ୫ ଟି ପ୍ରବାସ ପ୍ରବଣ ବ୍ଲକରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଏହା କାର୍ଯ୍ୟ କରିବ l
ମୁଖ୍ୟ ଅତିଥିଭାବେ ଉପମୁଖ୍ୟମନ୍ତ୍ରୀ ତଥା ଦାଦନ ଶ୍ରମିକଙ୍କ ସହାୟତା ନିମନ୍ତେ ଗଠିତ ଟାସ୍କଫୋର୍ସର ଚେୟାରମ୍ୟାନ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ, ବର୍ତ୍ତମାନ ଓଡ଼ିଶା ସରକାରଙ୍କ ତରଫରୁ ମହିଳା, ଯୁବବର୍ଗ, ଫେରନ୍ତା ପ୍ରବାସୀଙ୍କ ପାଇଁ ବିଭିନ୍ନ ଜୀବିକା ବିକାଶ କାର୍ଯ୍ୟକ୍ରମ ଓ ଦକ୍ଷତା ବିକାଶ, ନିଯୁକ୍ତି ସଂଯୋଜନ ପଦକ୍ଷେପମାନ ଗ୍ରହଣ କରାଯାଉଛି l ନିଜ ଅଞ୍ଚଳରେ ରୋଜଗାର ଯୋଗାଇ ସେମାନଙ୍କୁ ସ୍ଵାବଲମ୍ବୀ କରିବାକୁ ଆମର ଏହି ପ୍ରୟାସ ଆରମ୍ଭ ହୋଇଛି l ଆଜିର ଏହି ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ଗାଁ ଗାଁରେ ଲୋକଙ୍କୁ ସଚେତନ କରିବ l ଏଥିପାଇଁ ସରକାରଙ୍କ ଦ୍ଵାରା ନିଶୁଳ୍କ ପ୍ରବାସୀ ହେଲ୍ପଲାଇନ – ୧୮୦୦-୩୪୫-୭୮୮୫ ଜାରି କରା ଯାଇଛି l ଯେକୌଣସି ଜରୁରୀ ପରିସ୍ଥିତି କିମ୍ବା ସୂଚନା ପାଇବା ପାଇଁ ଏହି ନମ୍ବରକୁ ଡାଏଲ୍ କରିପାରିବେ l
ଏହି ଭ୍ରାମ୍ୟମାଣ କେନ୍ଦ୍ର ପ୍ରବାସୀଙ୍କୁ ସହଯୋଗ କରିବା ସହ ପ୍ରବାସ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଏକ ଢାଞ୍ଚାଗତ ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ ମତବ୍ୟକ୍ତ କରିଛନ୍ତି l