ମାନ୍ୟବର ରାଷ୍ଟ୍ରପତି ଏବଂ ମାନ୍ୟବର ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସବିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...
ନଭେମ୍ବର ୧୬ ତାରିଖରେ ଆସିବେ ମାନ୍ୟବର ଉପରାଷ୍ଟ୍ରପତି
ନଭେମ୍ବର ୨୪ ଓ ୨୫ ତାରିଖରେ ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ
ଅତିଥିମାନଙ୍କ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଗସ୍ତ ନେଇ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ
ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସି.ପି ରାଧାକ୍ରିଷ୍ଣନ ନଭେମ୍ବର ୧୬ ତାରିଖରେ ଏବଂ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୪ ଓ ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ।
ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମାନ୍ୟବର ରାଷ୍ଟ୍ରପତି ଓ ମାନ୍ୟବର ଉପରାଷ୍ଟ୍ରପତିଙ୍କ ଗସ୍ତକୁ ସୁବ୍ୟବସ୍ଥିତ, ଶୃଙ୍ଖଳିତ ଏବଂ ସୁସମନ୍ୱୟରେ ସଫଳ କରିବା ନିମନ୍ତେ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ବୈଠକରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ ।
ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟ ଗୃହ(ସ୍ୱରାଷ୍ଟ୍ର) ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ମାନ୍ୟବର ରାଷ୍ଟ୍ରପତି ଏବଂ ମାନ୍ୟବର ଉପରାଷ୍ଟ୍ରପତିଙ୍କ ଗସ୍ତସୂଚୀ ଉପସ୍ଥାପନା କରି ଆଲୋଚନା କରିଥିଲେ ।
ମାନ୍ୟବର ଉପରାଷ୍ଟ୍ରପତି ନଭେମ୍ବର ୧୬ ତାରିଖ ସକାଳେ ନୂଆ ଦିଲ୍ଲୀରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ବାହାରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବେ । ଏହି ଗସ୍ତ ପରିପ୍ରେକ୍ଷୀରେ ସେ ଭୁବନେଶ୍ୱରସ୍ଥିତ ମେଫେୟାର ସାନକ୍ଚୁଆରୀ କନଭେନସନ୍ ହଲ୍ରେ ସପ୍ତଦଶ ଓଡ଼ିଶା ବିଧାନସଭାର ମାନ୍ୟବର ସଦସ୍ୟମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ ।
ସେଠାରେ ପ୍ରାୟ ଏକ ଘଣ୍ଟାର କାର୍ଯ୍ୟକ୍ରମ ରହିଛି । ପରେ ପରେ ମାନ୍ୟବର ଉପରାଷ୍ଟ୍ରପତି ମଧ୍ୟାହ୍ନରେ କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଆଇକନିକ୍ ଟାୱାର (ଏକାଡେମିକ୍ ବିଲ୍ଡିଂ) ଉଦ୍ଘାଟନ କରି ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବେ ।
ସେହିପରି, ମାନ୍ୟବର ରାଷ୍ଟ୍ରପତି ନଭେମ୍ବର ୨୪ ତାରିଖରେ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ବିମାନ ବନ୍ଦରରୁ ବାହାରି ମଧ୍ୟାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ଲୋକଭବନ ଯିବେ ।
ସେହିଦିନ ସନ୍ଧ୍ୟାରେ କଟକଠାରେ ଆୟୋଜିତ “ବାଲିଯାତ୍ରା କଟକ ଉତ୍ସବ-୨୦୨୬” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଉତ୍ସବ ପରେ ସେ ଭୁବନେଶ୍ୱର ଫେରି ରାତ୍ର ରହଣି କରିବେ ।
ପରଦିନ ନଭେମ୍ବର ୨୫ ତାରିଖ ସକାଳେ ଭୁବନେଶ୍ୱରସ୍ଥିତ ଡା. ଅଭିନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲଠାରେ ଜାତୀୟ ହୋମିଓପାଥିକ୍ ବୈଜ୍ଞାନିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଅପରାହ୍ଣରେ ମାନ୍ୟବର ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।
ବୈଠକରେ ଉଭୟ ମାନ୍ୟବର ରାଷ୍ଟ୍ରପତି ଏବଂ ମାନ୍ୟବର ଉପ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଅନୁସାରେ ସ୍ୱାଗତ ଓ ବିଦାୟ ସମ୍ବର୍ଦ୍ଧନା, ସୁରକ୍ଷା ବ୍ୟବସ୍ଥା, ରହଣି, ଯାତାୟାତ, କାରକେଡ୍ ପରିଚାଳନା, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା, ଅଗ୍ନିଶମ ବ୍ୟବସ୍ଥା, ରାସ୍ତା ମରାମତି, ପରିମଳ, ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ଜଳଯୋଗାଣ, ବେରିକେଡିଂ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା ।
ଏଥିପାଇଁ ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଜିଲ୍ଲାପାଳ, ଖୋର୍ଦ୍ଧା ଓ ଜିଲ୍ଲାପାଳ, କଟକ ଙ୍କୁ ସାମଗ୍ରିକ ଭାବେ କାର୍ଯ୍ୟକ୍ରମ ତଦାରଖ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱରରେ ପୁଲିସ୍ କମିଶନର, ଭୁବନେଶ୍ୱର-କଟକ ଏବଂ କଟକରେ ଡିସିପି କଟକ ସୁରକ୍ଷା ଦାୟିତ୍ୱ ତଦାରଖ କରିବେ ।
ସାମଗ୍ରିକ ଭାବେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ(ଡିଜିପି) ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ । ବୈଠକରେ ଡିଜିପି ଶ୍ରୀ ବିନୟତୋଷ ମିଶ୍ର, ସଂପୃକ୍ତ ବିଭିନ୍ନ ବିଭାଗର ସଚିବ, ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କ ସମେତ ସଂପୃକ୍ତ ସଂସ୍ଥାର ଅଧିକାରୀ ଓ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।
ଡିଜିପି, ଅଗ୍ନିଶମ ସେବା, ଡଃ. ସୁଧାଂଶୁ ଷଡଙ୍ଗୀଙ୍କ ସମେତ ଜିଲ୍ଲାପାଳ, କଟକ, ଜିଲ୍ଲାପାଳ, ଖୋର୍ଦ୍ଧା ଏବଂ କଟକ ମହାନଗର କମିଶନର ପ୍ରମୁଖ ଆଭାସୀ ମାଧ୍ୟମରେ ବୈଠକରେ ଉପସ୍ଥିତ ଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତଙ୍କ ସହିତ ଆଲୋଚନା କରିଥିଲେ । ଅତିଥିମାନଙ୍କ ଗସ୍ତର ସଫଳ ଆୟୋଜନ ନିମନ୍ତେ ସମସ୍ତ ବିଭାଗ ଓ ସଂସ୍ଥା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ସହ, କ୍ଷେତ୍ର ପରିଦର୍ଶନ ପୂର୍ବକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସଂପନ୍ନ କରି ତ୍ରୁଟିଶୂନ୍ୟ ପ୍ରସ୍ତୁତି ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।
ବୈଠକରେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଓ ଅନ୍ୟାନ୍ୟ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ବ୍ୟାପକ ବ୍ୟବସ୍ଥା କରିବା ସହ ଗସ୍ତସ୍ଥଳ ଓ କାର୍ଯ୍ୟକ୍ରମ ସ୍ଥଳରେ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା, ଜୀବନରକ୍ଷାକାରୀ ଉପକରଣ ଏବଂ ଜରୁରୀକାଳୀନ ଚିକିତ୍ସା ଦଳ ମୁତୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଦୂରଦର୍ଶନ ସହ ସମନ୍ୱୟ ରକ୍ଷା କରି ଗସ୍ତର ଗଣମାଧ୍ୟମ ପ୍ରଚାର ଓ ସରକାରୀ ଫଟୋଗ୍ରାଫି ବ୍ୟବସ୍ଥା କରିବା, ଆବଶ୍ୟକୀୟ ପାସ୍ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା ।
ମାନ୍ୟବର ରାଷ୍ଟ୍ରପତି ଏବଂ ମାନ୍ୟବର ଉପରାଷ୍ଟ୍ରପତି ଙ୍କ ଗସ୍ତ ପରିପ୍ରେକ୍ଷୀରେ ଭୁବନେଶ୍ୱର ଓ କଟକରେ ସଡ଼କପଥ ଯାତ୍ରା ସମୟରେ କାରକେଡ୍ ଯାତାୟାତ ଓ ଟ୍ରାଫିକ୍ ପରିଚାଳନା ସଂପର୍କରେ ଆଲୋଚନା କରାଯାଇଛି ।
ରାଜ୍ୟ ଗୃହ(ସ୍ୱରାଷ୍ଟ୍ର ) ବିଭାଗ ପକ୍ଷରୁ ମଧ୍ୟ ଏଥି ନେଇ ମଧ୍ୟ ଏକ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ ।