୬୨୫ କୋଟି ଟଙ୍କା ବ୍ୟୟରେ ୫ଟି ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପକୁ ପ୍ରଶାସନିକ ଅନୁମୋଦନ...

Nov 13, 2026 - 19:30
 4
୬୨୫ କୋଟି ଟଙ୍କା ବ୍ୟୟରେ ୫ଟି ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପକୁ ପ୍ରଶାସନିକ ଅନୁମୋଦନ...

୫ଟି ଜିଲ୍ଲାର ୭୪ଟି ଗ୍ରାମର ପ୍ରାୟ ୭୨ ହଜାର ଲୋକ ହେବେ ଉପକୃତ*

ପାନୀୟ ଜଳ ଉପଲବ୍ଧତା, ଭୂତଳ ଜଳସ୍ତର ବୃଦ୍ଧି ଓ ଗ୍ରାମୀଣ ଜୀବିକାକୁ ମିଳିବ ସୁଦୃଢ଼ତା

ରାଜ୍ୟର ଜଳ ସୁରକ୍ଷା ଓ ଜଳସମ୍ପଦର ସଂରକ୍ଷଣକୁ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ମାତ୍ର ଏକ ମାସ ମଧ୍ୟରେ ୬୨୫.୪୭ କୋଟି ଟଙ୍କା ବ୍ୟୟ ଅଟକଳରେ ୫ଟି ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍ (ଆଇଏସ୍‌ଏସ୍‌) ପ୍ରକଳ୍ପକୁ ପ୍ରଶାସନିକ ଅନୁମୋଦନ ମିଳିଛି। 

ରାୟଗଡ଼ା, କଳାହାଣ୍ଡି, ଗଞ୍ଜାମ, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବା ଦ୍ୱାରା ୭୪ଟି ଗ୍ରାମର ପ୍ରାୟ ୭୨ ହଜାର ଲୋକ ଉପକୃତ ହେବେ।

ଏହି ପାଞ୍ଚଟି ପ୍ରକଳ୍ପ ମଧ୍ୟରେ ରାୟଗଡ଼ା ଜିଲ୍ଲାର ବଂଶଧାରା ନଦୀ ଉପରେ ଧୁଆଁପଦର ଏବଂ ନାଗାବଳୀ ନଦୀ ଉପରେ ରେବତୀଗୁଡ଼ା ଆଇଏସ୍‌ଏସ୍‌, ଗଞ୍ଜାମ ଜିଲ୍ଲାର ବାହୁଦା ନଦୀ ଉପରେ ଭୀମପୁର ଆଇଏସ୍‌ଏସ୍‌, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ୍‌ ଅନ୍ତର୍ଗତ ନିଝରିଦରା ଗ୍ରାମ ନିକଟରେ ମୁରଲୀଯୋର ଆଇଏସ୍‌ଏସ୍‌ ଏବଂ ମହାନଦୀର ପ୍ରମୁଖ ଉପନଦୀ ଅଙ୍ଗ ନଦୀ ଉପରେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ଲୋକଙ୍କ ପାଇଁ କୁଟାସିଂହା ବ୍ୟାରେଜ୍ ଅନ୍ତର୍ଭୁକ୍ତ।

ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ବର୍ଷା ଋତୁରେ ନଦୀ ମଧ୍ୟରେ ପ୍ରବାହିତ ଅତିରିକ୍ତ ଜଳକୁ ସଂରକ୍ଷଣ କରାଯାଇ ଗ୍ରୀଷ୍ମ ଋତୁ ତଥା ଅଣବର୍ଷା ସମୟରେ ଜଳର ଉପଲବ୍ଧତା ବୃଦ୍ଧି କରାଯାଇପାରିବ। ସଂରକ୍ଷିତ ଜଳ ଭୂତଳ ଜଳସ୍ତର ବୃଦ୍ଧିରେ ସହାୟକ ହେବା ସହ କୂଅ ଓ ନଳକୂପର ଜଳ ଉପଲବ୍ଧତାକୁ ସୁଦୃଢ଼ କରିବ। ଏହାଦ୍ୱାରା ଜଳାଭାବ ପ୍ରବଣ ଅଞ୍ଚଳରେ ଜଳ ସୁରକ୍ଷା ବୃଦ୍ଧି ପାଇବ।

ପାନୀୟ ଜଳ ଯୋଗାଣ ସହ ଏହି ପ୍ରକଳ୍ପଗୁଡ଼ିକ ଜଳସେଚନ, ପଶୁପାଳନ ଓ ଅନ୍ୟାନ୍ୟ ଗ୍ରାମୀଣ ଜୀବିକା କାର୍ଯ୍ୟକଳାପକୁ ମଧ୍ୟ ସହାୟତା ପ୍ରଦାନ କରିବ। ବିଶେଷକରି ଧୁଆଁପଦର, ମୁରଲୀଯୋର ଓ ରେବତୀଗୁଡ଼ା ପ୍ରକଳ୍ପ ମତ୍ସ୍ୟଚାଷ ଓ ଆନୁଷଙ୍ଗିକ ଜୀବିକା ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ଫଳରେ ସ୍ଥାନୀୟ ଲୋକଙ୍କ ଆୟ ବୃଦ୍ଧି ସହ ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହେବ।

୨୦୨୪ ମସିହାଠାରୁ ରାଜ୍ୟ ସରକାର ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍ କାର୍ଯ୍ୟକ୍ରମକୁ ମିଶନ୍ ମୋଡ୍‌ରେ ଆଗେଇ ନେଉଛନ୍ତି। ଜଳ ସଂରକ୍ଷଣ, ଜଳବାୟୁ ପରିବର୍ତ୍ତନର ମୁକାବିଲା ଓ ଦୀର୍ଘମିଆଦୀ ଜଳ ସୁରକ୍ଷାକୁ ଏହି କାର୍ଯ୍ୟକ୍ରମରେ ପ୍ରାଧାନ୍ୟ ଦିଆଯାଉଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଜଳ ସଂରକ୍ଷଣ ଓ ସ୍ଥାୟୀ ଜଳସମ୍ପଦ ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦେଇଆସୁଛନ୍ତି। ଏହି ପାଞ୍ଚଟି ପ୍ରକଳ୍ପ ରାଜ୍ୟର ଜଳ ସୁରକ୍ଷାକୁ ସୁଦୃଢ଼ କରିବା ସହ ଗ୍ରାମୀଣ ଜୀବିକାର ବିକାଶ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ହେବ।