ମୋବାଇଲ ଚାର୍ଜର ଫାଟି ଜଳିଗଲା ଘର; ୪ ଶିଶୁ ଜୀବନ୍ତ ଦଗ୍ଧ
ଲକ୍ଷ୍ମୌ: ମୋବାଇଲ ଚାର୍ଜର ଫାଟି ବଡ ଧରଣର ଅଘଟଣ । ଉତ୍ତରପ୍ରଦେଶର ମେରଟ ଜିଲ୍ଲା ପଲ୍ଲପୁରମ ଥାନା ଅନ୍ତର୍ଗତ ଜନତା କଲୋନୀରେ ଶନିବାର ରାତିରେ ଅଭାବନୀୟ ଘଟଣା ଘଟିଛି । ମୋବାଇଲ ଟାର୍ଜରରୁ ସର୍ଟସର୍କିଟ ଯୋଗୁଁ ସମ୍ପୂର୍ଣ୍ଣ ଘର ଜଳି ପୋଡି ପାଉଁଶ ହୋଇଯାଇଥିବା ବେଳେ ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ବାପା ମାଆ ପୋଡି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ମୁଜଫରନଗରରେ ସିଖେଡା ଅଞ୍ଚଳର ବାସିନ୍ଦା ଜାନି ପୁତ୍ର ତାଙ୍କ ପତ୍ନୀ ବବିତା ଓ ୪ ଜଣଙ୍କ ଶିଶୁ ସାରିକା, ନିହାରିକା(୮), ଗୋଲୁ(୬) ଓ କାଲୁ (୫)ଙ୍କ ସହ ପଲ୍ଲପୁରମ ଠାରେ ଏକ ଭଡା ଘରେ ରହୁଥିଲେ । ଜାନି ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ହୋଲି ପାଳନ ପାଇଁ ସେ ଶନିବାର ଦିନ ଘରକୁ ଆସିଥିଲେ । ସନ୍ଧ୍ୟା ସମୟରେ ଜାନି ଓ ତାଙ୍କ ପତ୍ନୀ ହୋଲି ପର୍ବ ଅବସରରେ ଖାଦ୍ୟ ପ୍ରସ୍ତୁତ କରୁଥିବା ବେଳେ ୪ ଜଣ ପିଲା ଅନ୍ୟ ଏକ ଘରେ ରହିଥିଲେ । ସେହି ଘର ଭିତରେ ମୋବାଇଲ ଚାର୍ଜରେ ବସିଥିବା ବେଳେ ହଠାତ ଚାର୍ଜର ସର୍ଟ ସର୍କିଟ ହେବା ସହ ଜୋରରେ ବିସ୍ଫୋରଣ ଘଟିଥିଲା । ଯାହାଫଳରେ ପୁରା ଘରେ ନିଆଁ ଲାଗିଯାଇଥିଲା । ଘର ମଧ୍ୟରେ ପିଲାମାନେ ଥିବା ବେଳେ ନିଆଁ ଯୋଗୁ ଘର ଭିତରୁ ବାହାରି ପାରିନଥିଲେ । ନିମିଷକ ମଧ୍ୟରେ ପୁରା ଘରେ ନିଆଁ ଲାଗିଯାଇଥିବା ବେଳେ ପିଲାମାନେ ମଧ୍ୟ ନିଆଁର କବଳରେ ଆସି ପୋଡି ଯାଇଥିଲେ । ଘରର ପର୍ଦ୍ଦାରେ ନିଆଁ ଲାଗିଯାଇଥିବାରୁ ଘରୁ ବାହାରକୁ ଆସିପାରିନଥିଲେ ପିଲାମାନେ । ବିସ୍ଫୋରଣ ଶବ୍ଦ ଶୁଣି ପିଲାମାନଙ୍କୁ ବଞ୍ଚାଇବା ପାଇଁ ମାଆ ବାପା ମଧ୍ୟ ଘର ଭିତରକୁ ଆସିଥିଲେ ମଧ୍ୟ ସେମାନଙ୍କୁ ବଞ୍ଚାଇ ପାରିନଥିଲେ ।