ଯୁବକଙ୍କ ଆତ୍ମହତ୍ୟା ଘଟଣା ସରକାରଙ୍କ ସମ୍ବେଦନହୀନତା ଓ ପ୍ରଶାସନିକ ବିଫଳତାର ନଗ୍ନ ଉଦାହରଣ ବୋଲି ବିଜୁ ଜନତା ଦଳର ସାମ୍ବାଦିକ ସମିଳନୀ...
ଯୁବକଙ୍କ ଆତ୍ମହତ୍ୟା ଘଟଣା ସରକାରଙ୍କ ସମ୍ବେଦନହୀନତା ଓ ପ୍ରଶାସନିକ ବିଫଳତାର ନଗ୍ନ ଉଦାହରଣ ବୋଲି ବିଜୁ ଜନତା ଦଳର ସାମ୍ବାଦିକ ସମିଳନୀ...
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା ଓ ରାଜନଗର ବିଧାୟକ ଶ୍ରୀ ଧ୍ରୁବ ସାହୁ କହିଛନ୍ତି ଯେ, ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ନ୍ୟାୟ ନ ମିଳିବାରୁ ଶ୍ରୀଚନ୍ଦନ ଦାସ ନାମକ ଜଣେ ଦଳିତ ଯୁବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମହତ୍ୟା କରିବା ଦୁର୍ଭାଗ୍ୟଜନକ ।
ଶ୍ରୀ ଗଣେଶ୍ୱର ବେହେରା କହିଥିଲେ, ସ୍ପଷ୍ଟ ଦିବାଲୋକରେ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟରେ ଏଭଳି ଅଘଟଣ ଘଟିବା ସରକାରଙ୍କ ସମ୍ବେଦନହୀନତାର ପରିଚୟ ।
ମୃତ ଯୁବକ ଜଣକ ନିଜର ବ୍ୟକ୍ତିଗତ ଅଭିଯୋଗର ଶୁଣାଣି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ନିରାଶ ହେଲା ପରେ ଏଭଳି ଚରମ ପଦକ୍ଷେପ ନେଲେ ।
ଲୋକଙ୍କ ସରକାର କହି ଡିଣ୍ଡିମ ପିଟୁଥିବା ବିଜେପି ସରକାର ସାଧାରଣ ଜନତାଙ୍କ ସମସ୍ୟା ପ୍ରତି କିଭଳି ଆଖି ବୁଜି ଦେଇଛନ୍ତି, ତାହା ଗତକାଲିର ଘଟଣାରୁ ପ୍ରମାଣିତ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ଜଣେ ଯୁବକ ଆତ୍ମହତ୍ୟା କରିବା ପର୍ଯ୍ୟନ୍ତ କେହି କେମିତି ଜାଣିପାରିଲେ ନାହିଁ, ତାହା ପ୍ରଶାସନିକ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଶ୍ରୀ ଧ୍ରୁବ ସାହୁ କହିଥିଲେ, ମୁଖ୍ୟମନ୍ତ୍ରୀ କହୁଛନ୍ତି ୨ ବର୍ଷ ଭିତରେ ଅଭିଯୋଗ ଶୁଣାଣି କରି ୯୬ ପ୍ରତିଶତ ଲୋକଙ୍କ ସମସ୍ୟା ସମାଧାନ କରିଛୁ ।
ଶ୍ରୀଚନ୍ଦନ ଦାସଙ୍କ ମୃତୁ୍ୟ ମୁଖ୍ୟମନ୍ତ୍ରୀଙ୍କ କଥାକୁ ଅଟ୍ଟହାସ୍ୟ କରୁଛି । ସରକାରଙ୍କ ପ୍ରତିନିଧି ରୂପେ ଜିଲ୍ଲାପାଳଙ୍କ ନିକଟକୁ ନ୍ୟାୟ ପାଇବା ପାଇଁ ଜନସାଧାରଣ ଯାଇଥାନ୍ତି ।
ସରକାରୀ ବ୍ୟବସ୍ଥା ଉପରୁ ସମ୍ପୂର୍ଣ୍ଣ ଭରସା ତୁଟିଗଲା ପରେ ହିଁ ଜଣେ ଏମିତି ଚରମ ପଦକ୍ଷେପ ନିଏ । ଶ୍ରୀଚନ୍ଦନ ଦାସଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର ।
ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ସରକାର । ନଚେତ ରାଜରାସ୍ତାକୁ ଓହ୍ଲାଇ ତୀବ୍ର ଆନେ୍ଦାଳନ କରିବ ବିଜୁ ଜନତା ଦଳ ।