ରାଜନେତା ତଥା କବି ଶଙ୍କର ପରିଡାଙ୍କ ଏକାଦଶାହ କାର୍ଯ୍ୟକ୍ରମ...

Nov 9, 2025 - 20:28
 8
ରାଜନେତା ତଥା କବି ଶଙ୍କର ପରିଡାଙ୍କ ଏକାଦଶାହ କାର୍ଯ୍ୟକ୍ରମ...

ରାଜନୀତିରେ ମୂଲ୍ୟବୋଧ ଓ ସ୍ୱଚ୍ଛତା ସାଙ୍ଗକୁ ସାହିତ୍ୟରେ ଯୁବଲେଖକମାନଙ୍କୁ ପ୍ରେରଣା ଦେବାରେ ରାଜନେତା ତଥା କବି ଶଙ୍କର ପରିଡ଼ା ସ୍ମରଣୀୟ ରହିବେ ।

ଗୀତଗୋବିନ୍ଦ ସଦନରେ ସ୍ୱର୍ଗୀୟ ପରିଡ଼ାଙ୍କ ଏକାଦଶାହ ଅବସରରେ ଆୟୋଜିତ ଶୋକସଭାରେ ତାଙ୍କ ଉଦ୍ଦେଶ୍ୟରେ ବକ୍ତାମାନେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଓଡ଼ିଆ ଯୁବଲେଖକ ସମ୍ମେଳନ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଏହି ଶୋକସଭାରେ ପ୍ରସିଦ୍ଧ କବି ତଥା ସମ୍ମେଳନର ପ୍ରାକ୍ତନ ସଭାପତି ଶ୍ରୀ ଅମରେଶ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବାବେଳେ ରାଜ୍ୟରେ ନିଶା ନିବାରଣର ପ୍ରମୁଖ କର୍ଣ୍ଣଧାର ତଥା ପୂର୍ବତନ ବିଧାୟକ ଶ୍ରୀ ପଦ୍ମଚରଣ ନାୟକ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବ୍ରଜ କିଶୋର ତି୍ରପାଠୀ ଉପସ୍ଥିତ ରହି ସ୍ୱର୍ଗୀୟ ପରିଡ଼ାଙ୍କ କୃତି ଓ କୃତିତ୍ୱ ନେଇ ବକ୍ତବ୍ୟ ରଖିଥିଲେ ।

ସ୍ୱର୍ଗୀୟ ପରିଡ଼ାଙ୍କ ଫଟୋଚିତ୍ରରେ ସମସ୍ତଙ୍କ ଶ୍ରଦ୍ଧାସୁମନ ଅର୍ପଣ ପରେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । 

ଯୁବଲେଖକ ସମ୍ମେଳନର ସାଧାରଣ ସଂପାଦକ ଶ୍ରୀ ବନୋଜ ତି୍ରପାଠୀ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନେତା ତଥା କବି-ଲେଖକ-ସଂପାଦକବୃନ୍ଦ ନିଜ ନିଜ ବକ୍ତବ୍ୟରେ ସ୍ୱର୍ଗୀୟ ପରିଡ଼ାଙ୍କ ଅନନ୍ୟ ଇଚ୍ଛାଶକ୍ତି, ସାଂଗଠନିକ ଦକ୍ଷତା, ଭାଷା ଆନ୍ଦୋଳନ ତଥା ପଞ୍ଚାୟତିରାଜ ଆନ୍ଦୋଳନରେ ତାଙ୍କର ଭୂମିକା ଏବଂ ସାରସ୍ୱତ ଅବଦାନ ଉପରେ ଆଲୋକପାତ କରିଥିଲେ ।