ଶ୍ରୀମନ୍ଦିରରେ ମେଣ୍ଢା ପୋଡା ନିତୀ...ବନାମ ଦୋଳ ପର୍ବ

Mar 3, 2026 - 12:58
 25
ଶ୍ରୀମନ୍ଦିରରେ ମେଣ୍ଢା ପୋଡା ନିତୀ...ବନାମ ଦୋଳ ପର୍ବ

ଶ୍ରୀମନ୍ଦିରରେ ମେଣ୍ଢା ପୋଡା ନିତୀ...ବନାମ ଦୋଳ ପର୍ବ 

                                             

ବାର ମାସରେ ତେର ପର୍ବ l ସେଥିମଧ୍ଯରୁ ଦୋଳ ପୂର୍ଣ୍ଣିମା ଅନ୍ୟତମ 

ଦୋଳ ପୂର୍ଣ୍ଣିମାର ଅବ୍ୟବେହିତ ପୂର୍ବରୁ ଫାଲଗୁନ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି ରେ ଗୋଟିଏ ଉତ୍ସବ ପାଳିତ ହୋଇଥାଏ ତାକୁ ମେଣ୍ଢାପୋଡ଼ି ନୀତି କୁହାଯାଇଥାଏ l ମେଣ୍ଢାପୋଡ଼ି କହିବାର ତାତ୍ପର୍ଯ୍ୟ ମେଣ୍ଢା ଅର୍ଥାତ ମେଷ ବା ମେଷଅସୁର ବା ମେଣ୍ଢାଅସୁର ତାକୁ ମହାପ୍ରଭୁ ଶ୍ୱାସ ରୁଦ୍ଧ କରି ମାରିଦେଇଥିଲେ l କାହିଁକି ନା ଗୋପ ବାଳକମାନଙ୍କୁ ସେ ସବୁବେଳେ ନେଇକି ବଧ କରିଦେଉଥିଲା l ତେଣୁ ସେଥିରେ ଅତିଷ୍ଟ ହୋଇ ସମସ୍ତେ ଗୁହାରି କରିଥିଲେ ଶ୍ରୀ କୃଷ୍ଣଙ୍କ ନିକଟରେ l ତେଣୁ ଶ୍ରୀ କୃଷ୍ଣ ତାର ଶ୍ୱାସ ନଳିରେ ପ୍ରବେଶ କରିକି ତାକୁ ଶ୍ୱାସ ରୁଦ୍ଧ କରିକି ବଧ କରିଥିଲେ l 

କଥିତ ଅଛି ସେ ବରପ୍ରାପ୍ତ ହୋଇଥିଲା ଯଦି ତାହାର କୌଣସି ରୁଧିର ଭୂମିରେ ନିପୋତିତ ହୁଏ ତାହଲେ ମଧ୍ୟ ସିଏ ଆଉଥରେ ନିଜର ପୂନରଜନ୍ମ ଲାଭ କରିବ l ତେଣୁ ତାର ରୁଧିର ଭୂମିରେ ନପଡିବା ପାଇଁ ଗୋପୀ ଗୋପାଳୁଣୀ ମାନେ ମହାପ୍ରଭୁ ଙ୍କ ଶରୀରରେ ଅଭିର ବା ଫଗୁ ଲେପନ କରିଥିଲେ l 

ଯୋଉଟାକି ମେଣ୍ଢାସୁର କୁ ବଧ କରିବା ସମୟରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗ ରକ୍ତରଞ୍ଜିତ ହୋଇଯାଇଥିଲା l ତେଣୁ ସେହି ମେଣ୍ଢା କୁ ଅଗ୍ନି ରେ ଦାହ କରିଦେଇଥିଲେ ଯାହାର ସ୍ମୃତି ସ୍ୱରୁପ ଶ୍ରୀ ମନ୍ଦିରରେ ମେଣ୍ଢାପୋଡି ନୀତି ପାଳିତ ହୋଇଥାଏ l 

ଏହି ନୀତି ପଛରେ ଆଉ ଏକ ପୌରାଣିକ ଉପାଖ୍ୟାନ ରହିଛି। ବିଷ୍ଣୁଙ୍କ ମହାନ ଭକ୍ତ ପ୍ରହଲ୍ଲାଦଙ୍କୁ ତାଙ୍କ ପିତା ହିରଣ୍ୟକଶ୍ୟପ ହତ୍ୟା କରିବା ପାଇଁ ଚେଷ୍ଟା ଚଳାଇଥିଲା। ହେଲେ ପ୍ରହଲ୍ଲାଦ ଭକ୍ତ ହୋଇଥିବାରୁ ଏହି ଉଦ୍ୟମ ଫଳପ୍ରଦ ହେଉନଥିଲା।ହିରଣ୍ୟର ଭଉଣୀ ହୋଲିକା ବରପ୍ରାପ୍ତ ହୋଇଥିଲା କି ଅଗ୍ନୀ ତାକୁ ଜଳାଇପାରିବ ନାହିଁ। 

ଏଣୁ ହୋଲିକା ଭାଇ ହିରଣ୍ୟକଶ୍ୟପଙ୍କ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ପ୍ରହଲ୍ଲାଦକୁ କୋଳରେ ଧରି ଅଗ୍ନିରେ ପ୍ରବେଶ କରିଥିଲେ। କିନ୍ତୁ ଫଳ ଓଲଟା ହେଲା। ହୋଲିକା ଅଗ୍ନିରେ ଦଗ୍ଧ ହୋଇଯାଇଥିବା ବେଳେ ପ୍ରହଲ୍ଲାଦ ଅଗ୍ନିଙ୍କ ଜ୍ୱାଳା ଉପରେ ବିଜୟ ଲାଭ କରିଥିଲେ। 

ମେଷ ବା ମେଣ୍ଢା ହେଲା ଅଗ୍ନିଙ୍କ ବାହନ। ଅଗ୍ନିଙ୍କ ଏହି ଭକ୍ତ ବତ୍ସଳତାକୁ ପ୍ରତିପାଦନ କରିବା ପାଇଁ ଶ୍ରୀମନ୍ଦିରରେ ମେଣ୍ଢାପୋଡ଼ି ନୀତି ହୁଏ ବୋଲି ପ୍ରବାଦ ରହିଛି।

ଫାଲଗୁନ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ମଧ୍ୟାହ୍ନ ଧୂପ ପରେ ମଇଲମ ହୋଇ ଶ୍ରୀମନ୍ଦିରରେ ଅଗ୍ନି ଉତ୍ସବ ବା ମେଣ୍ଢାପୋଡ଼ି ନୀତି ସ୍ୱତନ୍ତ୍ର ଭାବେ ପାଳନ ହୁଏ l ପାଳିଆ ମେକାପ ଭଣ୍ଡାର ଘରୁ ଚନ୍ଦନ ବିଜେ କରିବା ପରେ ପାଳିଆ ପୁଷ୍ପାଳକମାନେ ସର୍ବାଙ୍ଗ ଚନ୍ଦନ ଲାଗି କରନ୍ତି l 

ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ଘଣ୍ଟ , ଛତା , କାହାଳୀ ପଟୁଆରରେ ଯାଇ ଘଟୁଆରୀ ଘରୁ ଚନ୍ଦନ , ଫଗୁ ବିଜେ ହୋଇ ସିଂହାସନ କୁ ଆସେ l ଶ୍ରୀଅଙ୍ଗରେ ଫଗୁ ଚନ୍ଦନ ଲାଗି ବନ୍ଦାପନା ହୁଏ ସିଂହାସନ ତଳେ ମୁଦିରସ୍ତ ତିନି ବାଡରେ ଝିମିରି ଫଗୁ ଅଂଜଳି କରି ଶ୍ରୀଅଙ୍ଗରେ ଚନ୍ଦନ ଫଗୁ ମୁଣି ଲାଗି କରନ୍ତି l 

ଶ୍ରୀ ଦେବୀ ଓ ଭୂଦେବୀ ଦକ୍ଷିଣ ଘରକୁ ଚାଚେରୀ ବେଶ ନିମନ୍ତେ ବିଜେ ହୁଅନ୍ତି l 

ଭିତରେ ବେଶ ଓ ଶ୍ରୀ ଜୀଉମାନଙ୍କୁ ମାଳ ଫୁଲ କର୍ପୂର ଲାଗି ପରେ ପାଣି ପଡି ଚାଚେରୀ ଭୋଗ ଆସିଲା ପରେ ଶ୍ରୀ ଦୋଳଗୋବିନ୍ଦ , ଶ୍ରୀଦେବୀ , ଭୂଦେବୀ ସିଂହାସନକୁ ବିଜେ ହୁଅନ୍ତି l 

ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ତିନି ବାଡରେ ତିନିଜଣ ପୂଜାପଣ୍ଡା ପଞ୍ଚୋପଚାରରେ ଭୋଗ ମଣୋହି କରାନ୍ତିl ଏହାପରେ

ପୂଜାପଣ୍ଡା ମହାପ୍ରଭୁଙ୍କ ନିକଟରୁ ଆଜ୍ଞା ମାଳ ଆଣି ଦୋଳଗୋବିନ୍ଦଙ୍କୁ ଦିଅନ୍ତି l 

ବିଜେ ପ୍ରତିମାମାନେ ଚାମର ଆଲଟ ହୋଇ ବିମାନକୁ ବିଜେ କରି ମହାଲକ୍ଷ୍ମୀଙ୍କ ମନ୍ଦିରର ଜଗମୋହନରେ ପୂର୍ବରୁ ପଡିଥିବା ଖଟ ଉପରେ ହାତରେ ବିଜେ ହୁଅନ୍ତି l 

ସେଠାରେ ଲକ୍ଷ୍ମୀନାରାୟଣଙ୍କ ଫଗୁଖେଳ ସରିଲାପରେ ପ୍ରସାଦ ଲାଗି , ଶୀତଳ ଭୋଗ , ବନ୍ଦାପନା ହୋଇ ବିମାନକୁ ବିଜେ କରି ସିଂହଦ୍ଵାର ଓ ଲାଙ୍ଗୁଳିମଠ ଦେଇ ଦୋଳବେଦୀର ଅଗ୍ନି ଉତ୍ସବ ଘରକୁ ବିଜେ କରନ୍ତି l 

ସେଠାରେ ପୂଜାପଣ୍ଡାଙ୍କ ଦ୍ଵାରା ହୋମ ହୁଏ l ହୋମ ସରିଲାପରେ ପ୍ରସାଦ ଲାଗି ହୋଇ ଶୀତଳ ଭୋଗ ମଣୋହି ହୁଏ l 

ଚାମର ଆଲଟ ଲାଗି ପରେ ବିଜେ ପ୍ରତିମାମାନେ ଅଗ୍ନି ସଂଯୋଗ ପରେ ମେଣ୍ଢାକୁଡିଆ ବା ଅଗ୍ନି ଉତ୍ସବ ଘରକୁ ବିମାନରେ ୭ ଘେରା ପରିକ୍ରମା କରି ଶ୍ରୀମନ୍ଦିରକୁ ବାହୁଡା ବିଜେ କରନ୍ତି