ସାମାଜିକ ଏକତା, ସାଂସ୍କୃତିକ ଐତିହ୍ୟ ଏବଂ ଗୋଷ୍ଠୀ ବିକାଶରେ ବାଙ୍କୀ ପ୍ରଗତି ପରିଷଦର ଭୂମିକା ପ୍ରଶଂସନୀୟ: ରାଜ୍ୟପାଳ

Jun 29, 2026 - 21:25
 8
ସାମାଜିକ ଏକତା, ସାଂସ୍କୃତିକ ଐତିହ୍ୟ ଏବଂ ଗୋଷ୍ଠୀ ବିକାଶରେ ବାଙ୍କୀ ପ୍ରଗତି ପରିଷଦର ଭୂମିକା ପ୍ରଶଂସନୀୟ: ରାଜ୍ୟପାଳ

ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନଠାରେ ଆୟୋଜିତ ବାଙ୍କୀ ପ୍ରଗତି ପରିଷଦର ୬ଷ୍ଠ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇ ସାମାଜିକ ଏକତା, ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ ଏବଂ ଗୋଷ୍ଠୀ ବିକାଶରେ ବାଙ୍କୀ ପ୍ରଗତି ପରିଷଦର ଭୂମିକା ପ୍ରଶଂସନୀୟ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ ହରି ବାବୁ କମ୍ଭମପାଟି କହିଛନ୍ତି I  

ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଏହି ସମ୍ମିଳନୀ ସାମାଜିକ ସଦଭାବ ଏବଂ ସାମୂହିକ ପ୍ରଗତିକୁ ମଜବୁତ କରୁଥିବା ଏକ ଅର୍ଥପୂର୍ଣ୍ଣ ମଞ୍ଚ ପାଲଟିଛି। 

ଏକ ସମ୍ମାନଜନକ ସଂଗଠନ ଭାବେ ବାଙ୍କୀ ପ୍ରଗତି ପରିଷଦ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଗଠନମୂଳକ ପ୍ରୟାସ ମାଧ୍ୟମରେ ଗୋଷ୍ଠୀ ଜୀବନକୁ ସମୃଦ୍ଧ କରୁଛି ବୋଲି ରାଜ୍ୟପାଳ କହିଥିଲେ।

ରାଜ୍ୟପାଳ କହିଥିଲେ ଯେ, ଆଜିର ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ବାଙ୍କୀ ପ୍ରଗତି ପରିଷଦ ପରି ସଂଗଠନଗୁଡ଼ିକ ପାରିବାରିକ ମୂଲ୍ୟବୋଧକୁ ମଜବୁତ କରିବା, ସୃଜନଶୀଳତାକୁ ଉତ୍ସାହିତ କରିବା ଏବଂ ଅଞ୍ଚଳର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ସଂରକ୍ଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ବିଭିନ୍ନ ପିଢ଼ିର ଲୋକଙ୍କୁ ସଂଯୋଗ କରି ବାଙ୍କୀର ଅନନ୍ୟ ଐତିହ୍ୟକୁ ପ୍ରଚାର କରିବାରେ ଏହି ପରିଷଦ ସଫଳ ହୋଇଛି ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ । 

ବାଙ୍କୀର ଐତିହାସିକ ଓ ସାଂସ୍କୃତିକ ଗୁରୁତ୍ୱକୁ ଉଲ୍ଲେଖ କରି ରାଣୀ ଶୁକଦେଈଙ୍କ କୀର୍ତ୍ତି ଏବଂ ଓଡ଼ିଶାର ବୃହତ୍ତମ ପ୍ରାକୃତିକ ମଧୁର ଜଳ ହ୍ରଦ ଅଂଶୁପାର ପରିବେଶଗତ ଗୁରୁତ୍ୱକୁ ରାଜ୍ୟପାଳ ଅବତାରଣା କରିଥିଲେ। ଏହି ହ୍ରଦ ପର୍ଯ୍ୟଟନ ବିକାଶ ଓ ପରିବେଶ ସଂରକ୍ଷଣ ପାଇଁ ବିପୁଳ ସମ୍ଭାବନା ରଖିଛି ବୋଲି ରାଜ୍ୟପାଳ କହିଥିଲେ।

ଓଡ଼ିଆ ଶାସ୍ତ୍ରୀୟ ପରମ୍ପରା, ଲୋକକଳା, ସାହିତ୍ୟ ଏବଂ ଅନ୍ୟାନ୍ୟ ସାଂସ୍କୃତିକ ବିଭବକୁ ପ୍ରୋତ୍ସାହିତ କରିବାର ପ୍ରୟାସକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଥିଲେ ଏବଂ ଏପରି ଉଦ୍ୟମ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷିତ ରଖିବ ବୋଲି ଉଲ୍ଲେଖ କରିଥିଲେ। ଉନ୍ନୟନମୂଳକ କାର୍ଯ୍ୟକ୍ରମ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ଏବଂ ଜନସାଧାରଣ ଓ ସରକାର ମଧ୍ୟରେ ସେତୁ ଭାବେ ପରିଷଦ କାର୍ଯ୍ୟ କରୁଛି ବୋଲି ରାଜ୍ୟପାଳ ମତ ପ୍ରକାଶ କରିଥିଲେ।

ଏହି ଅବସରରେ ପରିବେଶବିତ ଶ୍ରୀ ଶରତ ଚନ୍ଦ୍ର ତ୍ରିପାଠୀ ଏବଂ ବରିଷ୍ଠ କଳାକାର ଶ୍ରୀ ମହେନ୍ଦ୍ର ପ୍ରସାଦ ମହାପାତ୍ରଙ୍କୁ "ବାଙ୍କୀ ରତ୍ନ" ସମ୍ମାନ ପ୍ରଦାନ କରାଯାଇଥିଲା। 

ଓଡ଼ିଶା ପ୍ରଶାସନିକ ସେବା (OAS) ରେ କୃତିତ୍ୱ ହାସଲ କରିଥିବା ଶ୍ରୀ ସୁନୀଲ କୁମାର ଦାସଙ୍କୁ "ମେଧା ସମ୍ମାନ" ପ୍ରଦାନ କରାଯାଇଥିଲା।

ଏହି ଅବସରରେ ପରିଷଦର ସ୍ମରଣିକା ‘ରେଣୁକା’ ଏବଂ ପୁସ୍ତକ ‘ବୀରା ରାଣୀ ଶୁକଦେଇ’ ଓ ‘ମୁଣ୍ଡିଦେଉଳ’ ଉନ୍ମୋଚନ କରାଯାଇଥିଲା। 

ଏହି କାର୍ଯ୍ୟକ୍ରମରେ ବାଙ୍କୀର ମାନ୍ୟବର ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ବିଶିଷ୍ଟ ସାହିତ୍ୟିକ ଶ୍ରୀ ଜିତେନ୍ଦ୍ର ନାରାୟଣ ଦାସ (ଦାସ ବେନହୁର), ପରିଷଦର ବରିଷ୍ଠ ସଦସ୍ୟ ଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀ ଓ ସାଧାରଣ ସମ୍ପାଦକ ଶ୍ରୀ ନିମାଇ ଚରଣ ଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ପରିଷଦର ସଭାପତି ଶ୍ରୀ ନୀଳ ମୋହନ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।