ଇନ୍ଦିରା ଏକାଦଶୀ ଓ ଏହାର ତାପ୍ତର୍ଯ୍ୟ...
ଆଶ୍ୱିନ ମାସ କୃଷ୍ଣପକ୍ଷ ଏକାଦଶୀକୁ ‘ଇନ୍ଦିରା ଏକାଦଶୀ’ କୁହାଯାଏ |
ଏହି ବ୍ରତର ପ୍ରଭାବରେ ବଡ଼ ବଡ଼ ପାପ ନଷ୍ଟ ହୋଇଯାଏ ।
ଏହି ଏକାଦଶୀ ପିତୃପକ୍ଷରେ ପଡ଼ୁଥିବାରୁ ଏହାର ମହତ୍ତ୍ୱ ସର୍ବାଧିକ।
କାରଣ, ଏହି ଏକାଦଶୀ ବ୍ରତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ବ୍ରତ ପାଳନ କରି ତାର ପୁଣ୍ୟ ଫଳ ପିତୃପୁରୁଷଙ୍କୁ ଅର୍ପଣ କରିବା। ଏହାଦ୍ବାରା ସେମାନଙ୍କର ମୋକ୍ଷ ପ୍ରାପ୍ତି ହୋଇଥାଏ।
ଏ ସଂପର୍କରେ ପୁରାଣରେ ଏକ ସୁନ୍ଦର କାହାଣୀ ଅଛି। ସତ୍ୟଯୁଗରେ ମାହିଷ୍ମତିପୁରରେ ଇନ୍ଦ୍ରସେନ ନାମରେ ଜଣେ ପ୍ରସିଦ୍ଧ ରାଜା ଥିଲେ। ସେ ଅତ୍ୟନ୍ତ ଧର୍ମଜ୍ଞ ଓ ନ୍ୟାୟବନ୍ତ ଧର୍ମପରାୟଣ ହୋଇଥିବାରୁ ତାଙ୍କର ଖ୍ୟାତି ଚତୁର୍ଦ୍ଦିଗକୁ ବ୍ୟାପିଥିଲା ।
ରାଜା ଇନ୍ଦ୍ରସେନ ଭଗବାନ ବିଷ୍ଣୁଙ୍କ ଭକ୍ତିରେ ତଲ୍ଲୀନ ରହି ଗୋବିନ୍ଦଙ୍କର ମୋକ୍ଷଦାୟକ ନାମ ଜପ କରି ସମୟ ଅତିବାହିତ କରୁଥିଲେ । ତେଣୁ ତାଙ୍କ ରାଜ୍ୟରେ ପ୍ରଜାମାନେ ସୁଖରେ ବସବାସ କରୁଥିଲେ।
ଦିନେ ରାଜା ରାଜ ଦରବାରରେ ବସିଥିବା ସମୟରେ ଦେବର୍ଷି ନାରଦ ସେଠାରେ ପହଞ୍ଚିଲେ । ତାଙ୍କୁ ଆସିବାର ଦେଖି କରଯୋଡ଼ି ଠିଆହେଲେ ଓ ବିଧିପୂର୍ବକ ପୂଜାକରି ଆସନରେ ବସାଇଲେ । ଆସିବାର କାରଣ ଜିଜ୍ଞାସା କଲେ ।
ନାରଦ କହିଲେ - ଶୁଣ ରାଜନ୍ ! ମୁଁ ଯମଲୋକକୁ ଯାଇଥିଲି ଓ ସେଠାରେ ତୁମ ପିତାଙ୍କୁ ଦେଖିଲି । ସେ ବ୍ରତଭଙ୍ଗ ଦୋଷରୁ ନର୍କଯନ୍ତ୍ରଣା ଭୋଗକରୁଛନ୍ତି ।
ସେ ମୋହାତରେ ସନ୍ଦେଶ ପଠାଇଛନ୍ତି, ଏହା ଶୁଣି ଇନ୍ଦ୍ରସେନ ଅତ୍ୟନ୍ତ ଦୁଃଖିତ ହେଲେ। ତେଣୁ ନାରଦ ତାଙ୍କୁ ଉପଦେଶ ଦେଲେ।
ତୁମେ ନିଷ୍ଠାର ସହିତ ଆଶ୍ୱିନ କୃଷ୍ଣ ପକ୍ଷର ଇନ୍ଦିରା ଏକାଦଶୀ ବ୍ରତ କରି ତାର ପୁଣ୍ୟ ଫଳ ଯଦି ତୁମର ପିତାଙ୍କୁ ଅର୍ପଣ କରିବ ସେ ପୁନଶ୍ଚ ସ୍ୱର୍ଗଲୋକ ଗମନ କରିବେ।
ରାଜା ଇନ୍ଦ୍ରସେନ ନାରଦଙ୍କ କହିବା ଅନୁସାରେ ବ୍ରତ ପାଳନ କଲେ । ବ୍ରତ ପୂର୍ଣ୍ଣ ହେବା ପରେ ଆକାଶରୁ ପୁଷ୍ପ ବୃଷ୍ଟି ହେଲା ।
ଇନ୍ଦ୍ରସେନଙ୍କ ପିତା ଗରୁଡ଼ରେ ବସି ବିଷ୍ଣୁଧାନକୁ ଚାଲିଗଲେ ଓ ଇନ୍ଦ୍ରସେନ ମଧ୍ୟ ନିଷ୍କଣ୍ଟକ ରାଜ୍ୟ ଭୋଗ କରି ନିଜର ପୁତ୍ରକୁ ରାଜସିଂହାସନରେ ବସାଇ ସ୍ୱର୍ଗକୁ ଚାଲିଗଲେ ।
ଏହାକୁ ପଠନ ଓ ଶ୍ରବଣ କରି ମନୁଷ୍ୟ ସବୁ ପାପରୁ ମୁକ୍ତ ହୋଇଯାଏ ।
????ବ୍ରତ ବିଧି
ଆଶ୍ୱିନ ମାସ କୃଷ୍ଣପକ୍ଷର ଦଶମୀ ଦିନ ପ୍ରାତଃକାଳରେ ସ୍ନାନ କରିବା ସହିତ ମଧ୍ୟାହ୍ନରେ ପୁଣି ଅବଗାହନ କରି ଭୋଜନ କରିବା ଉଚିତ୍ । ରାତିରେ ଭୂମିରେ ଶୟନ କରିବା ନିୟମ ରହିଛି ।
ଏକାଦଶୀ ଦିନ ସ୍ନାନ ଶୌଚ ହୋଇ
*"ଅଦ୍ୟ ସ୍ଥିତ୍ୱା ନିରାହାରାଃ ସର୍ବଭୋଗ ବିବର୍ଜିତଃ ।*
*ଶ୍ୱୋ ଭୋକ୍ଷେ ପୁଣ୍ଡରୀକାକ୍ଷ ଶରଣଂ ମେ ଭବାଚ୍ୟୁତ ।।"*
ଏହି ମନ୍ତ୍ର ପାଠ କରି ଉପବାସର ନିୟମ ପାଳନ କରିବା ଜରୁରୀ ।
ଏହିପରି ନିୟମ ଅନୁସରଣ କରି ମଧ୍ୟାହ୍ନ କାଳରେ ପିତରଙ୍କ ପ୍ରସନ୍ନତା ନିମନ୍ତେ ଶାଳଗ୍ରାମ-ଶିଳା ସମ୍ମୁଖରେ ବିଧିପୂର୍ବକ ଶ୍ରାଦ୍ଧ ଦେବା ସହିତ ଦକ୍ଷିଣାଦ୍ୱାରା ବ୍ରାହ୍ମଣଙ୍କୁ ସତ୍କାର କରି ତାଙ୍କୁ ଭୋଜନ ଦେବା ଉଚିତ୍ ।
ପିତୃପୁରୁଷଙ୍କୁ ଦିଆଯାଇଥିବା ଅନ୍ନପିଣ୍ଡକୁ ଶୁଙ୍ଘି ଗାଈକୁ ଖୁଆଇ ଦିଆଯାଏ ।
ପୁଣି ଧୂପ ଓ ଗନ୍ଧଦ୍ୱାରା ଭଗବାନ୍ ହୃଷିକେଶଙ୍କ ପୂଜା କରି ରାତିରେ ତାଙ୍କ ପାଖରେ ଉଜାଗର ରହିବ ।
ସକାଳ ହେଲେ ଦ୍ୱାଦଶୀ ଦିନ ପୁଣି ଭକ୍ତିପୂର୍ବକ ଶ୍ରୀହରିଙ୍କର ପୂଜା କରିବ ।
ଏହା ପରେ ବ୍ରାହ୍ମଣଙ୍କୁ ଭୋଜନ କରାଇ ଭାଇ-ବନ୍ଧୁ ନାତି ଓ ପୁତ୍ରମାନଙ୍କ ସହିତ ସ୍ୱୟଂ ମୌନପୂର୍ବକ ଭୋଜନ କର ।
ଏହିଦିନ ରସୁଣ, ପିଆଜ, ବାଇଗଣ, ମାଂସ, ମଦିରା, ପାନ, ଗୁଆ, ତମାଖୁ ଆଦିର ସେବନ ନିଷିଦ୍ଧ।
ବ୍ରତ ସମାପ୍ତ ହେବା ପରେ ତାହାର ପୁଣ୍ୟଫଳ ପିତୃପୁରୁଷଙ୍କୁ ସମର୍ପଣ କଲେ ସେମାନଙ୍କର ମୋକ୍ଷପ୍ରାପ୍ତି ହେବ।