ନେପାଳ ଏବେ ବି ଜଳୁଛି ଥମି ନାହିଁ ଜନତାଙ୍କ ବିକ୍ଷୋଭ

Sep 9, 2025 - 18:00
 39
ନେପାଳ ଏବେ ବି ଜଳୁଛି  ଥମି ନାହିଁ ଜନତାଙ୍କ ବିକ୍ଷୋଭ

ସୋଶାଲ ମିଡିଆ ଉପରେ ଲାଗିଥିବା ବ୍ୟାନ୍‌କୁ ନେପାଳ ସରକାର ହଟାଇ ଦେଇଥିଲେ ସୁଦ୍ଧା ରାଜଧାନୀ କାଠମାଣ୍ଡୁରେ ଆଜି ଲଗାତାର ଦ୍ୱିତୀୟ ଦିନରେ ପହଞ୍ଚିଛି ଜେନ୍ ଜେଡ୍‌ (୧୮ରୁ ୩୦ ବର୍ଷର ଯୁବଗୋଷ୍ଠୀ)ଙ୍କ ବିକ୍ଷୋଭ। ସେମାନେ ରାଷ୍ଟ୍ରପତି ଭବନକୁ ପଶିଯିବା ସହିତ ଭଙ୍ଗାରୁଜା କରିଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଆଜି ସନ୍ଧ୍ୟାରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ତା’ସହିତ ବିକ୍ଷୋଭକାରୀଙ୍କୁ ଶାନ୍ତ ପଡ଼ିବାକୁ ଅନୁରୋଧ କରିଛନ୍ତି।

କାଠମାଣ୍ଡୁରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ବିକ୍ଷୋଭକାରୀମାନେ ଏହାକୁ ଭୃକ୍ଷେପ କରି ନାହାନ୍ତି। ସେମାନେ ନେପାଳର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ନିଜସ୍ୱ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି। ଏମିତିକି ବିକ୍ଷୋଭକାରୀମାନେ ସିପିଏନ୍ ମାଓବାଦୀ କେନ୍ଦ୍ରୀୟ ଅଧ୍ୟକ୍ଷ ପୁଷ୍ପ କମଲ ଦାହାଲ ଓରଫ ପ୍ରଚଣ୍ଡଙ୍କ ଲଳିତପୁର ସ୍ଥିତ ଘରେ ନିଆଁ ଲଗାଇ ଦେଇଛନ୍ତି। ନେପାଳର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ଶ୍ରୀ ଓଲିଙ୍କ ଦଳର ନେତା ରଘୁବୀର ମହାସେଠଙ୍କ ଜନକପୁର ସ୍ଥିତ ବାସଭବନ ଉପରକୁ ବିକ୍ଷୋଭକାରୀମାନେ ପଥର ମାଡ଼ କରିଛନ୍ତି। ବିକ୍ଷୋଭକାରୀମାନେ ଶାସକ ଦଳ ନେତା ତଥା ନେପାଳି କଂଗ୍ରେସ ଅଧ୍ୟକ୍ଷ ଶେର ବାହାଦୁର ଦେଉବାଙ୍କ ବାସଭବନକୁ ନିଜ ଦଖଲକୁ ନେଇଯାଇଛନ୍ତି। ସେମାନେ ସେଠାରେ ଜଳାପୋଡ଼ା କରିଛନ୍ତି। ସେମାନେ ଅଧ ଡଜନେରୁ ଅଧିକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ବିକ୍ଷୋଭକାରୀମାନେ ନୟା ବଜାର ସ୍ଥିତ କିର୍ତ୍ତୀପୁର ମ୍ୟୁନିସିପାଲିଟି ଅଫିସରେ ନିଆଁ ଲଗାଇ ଦେଇଛନ୍ତି।

ଦେଶର ଗୃହମନ୍ତ୍ରୀ ପଦରୁ ଗତକାଲି ଇସ୍ତଫା ଦେଇଥିବା ରମେଶ ଲେଖକଙ୍କ ନାୟକପ ସ୍ଥିତ ବାସଭବନରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ।

ଭକ୍ତପୁରର ବାଲକୋଟ ସ୍ଥିତ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବାସଭବନ ନିକଟରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଦୁଇ ଜଣ ବିକ୍ଷୋଭକାରୀ ଆହତ ହୋଇଥିବା ସୂଚନା ମିଳିଛି।

ପୂରା ଦେଶରେ ବିକ୍ଷୋଭ ଆହୁରି ଜୋର ଧରିଥିବା ବେଳେ ଉତ୍ତେଜନାମୂଳକ ସ୍ଥିତି ଜାରି ରହିଛି। ଆଜି ସନ୍ଧ୍ୟା ୬ଟା ରେ ସ୍ଥିତିକୁ ପରଖିବା ପାଇଁ ଓ ଯଥାର୍ଥ ସମାଧାନର ବାଟ ଖୋଜି ବାହାର କରିବା ପାଇଁ ସେ ସର୍ବଦଳୀୟ ବୈଠକ ଡାକିଥିବା କହିଛନ୍ତି। ଏହା ସହିତ ସେ ବିକ୍ଷୋଭକାରୀମାନଙ୍କୁ ଶାନ୍ତ ପଡ଼ିବାକୁ ଅନୁରୋଧ କରିଛନ୍ତି।

ଏସବୁ ଭିତରେ ଆଜି ଏକ ଖବର ଆସିଥିଲା ଯେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଚିକିତ୍ସା ବାହାନା କରି ଦୁବାଇ ପଳାଇବାକୁ ଯୋଜନା କରୁଛନ୍ତି। ଏନେଇ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ ଓଲି ଦୁବାଇ ଯିବାକୁ ସମସ୍ତ ଯୋଜନା କରିସାରିଛନ୍ତି। ତାଙ୍କ ପାଇଁ ହିମାଳୟ ଏୟାରଲାଇନ୍ସର ଏକ ବିମାନକୁ ପ୍ରସ୍ତୁତ କରି ରଖାଯାଇଛି। ଶ୍ରୀ ଓଲି ଉପ-ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଦାୟିତ୍ୱ ସମ୍ଭାଳିବାକୁ ନିର୍ଦ୍ଦେଶ ମଧ୍ୟ ଦେଇସାରିଛନ୍ତି।

ଗତକାଲି ଦେଶର ଗୃହ ମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେଇଥିବା ବେଳେ ଆଜି ଆହୁରି ତିନି ଜଣ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇସାରିଛନ୍ତି। ଓଲି ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ପ୍ରଦୀପ ପୌଡେଲ ଓ କୃଷି ମନ୍ତ୍ରୀ ରାମନାଥ ଅଧିକାରୀ ଇସ୍ତଫା ଦେଇଛନ୍ତି। ସେହିପରି ଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ ଯାଦବ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ବିକ୍ଷୋଭକାରୀଙ୍କୁ ସମର୍ଥନ କରି ଇସ୍ତଫା ଦେଇଥିବା କଥା ଘୋଷଣା କରିଛନ୍ତି ଶ୍ରୀ ଯାଦବ।