ପାର୍ବଣ ପାଇଁ ତୋରଣ ତିଆରି ଉପରେ କଟକରେ କଡା ନିର୍ଦେଶନାମା - ହାଇକୋର୍ଟ
ଆସନ୍ତା ପାର୍ବଣକୁ ନେଇ ହାଇକୋର୍ଟ ଦେଇଛନ୍ତି କଡ଼ା ନିର୍ଦ୍ଦେଶ। କଟକ ସହରରେ ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ। ସ୍ଥଳ ବିଶେଷରେ ତୋରଣଗୁଡ଼ିକର ନିରାପତ୍ତା ନିଶ୍ଚିତ କରିବ ପ୍ରଶାସନ। ଫୁଟ୍ ପାଥ୍ ଓ ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି | ତୋରଣ ନିର୍ମାଣ ପାଇଁ ରାସ୍ତା ନଷ୍ଟ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି। ସେହିପରି ରୋଡ୍ କ୍ରସ ତୋରଣ ନିର୍ମାଣ ଉପରେ କଟକଣା ବଳବତ୍ତର ରଖିଛନ୍ତି ହାଇକୋର୍ଟ।
ତୋରଣ ଯୋଗୁଁ ଲୋକଙ୍କ ସାଧାରଣ ଗମନାଗମନରେ ଯେପରି ବାଧା ସୃଷ୍ଟି ନହେବ ତଥା ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଅନୁମତି ଦେବ ବୋଲି କୋର୍ଟ କହିଛନ୍ତି। ଜିଲ୍ଲା ପ୍ରଶାସନ ଗେଟ୍ ପାଇଁ ଅନୁମତି ଦେବା ପୂର୍ବରୁ ନିର୍ମାଣ ସ୍ଥାନର ଅନୁଧ୍ୟାନ କରିବା ସହ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ କୋର୍ଟ ତାଗିଦ କରିଛନ୍ତି।
ତୋରଣ ନିର୍ମାଣଠୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଯାଞ୍ଚ ହେବ। କେଉଁ ତୋରଣ ସୁରକ୍ଷିତ ତାହାର ଦାୟିତ୍ୱ ‘ଆର ଆଣ୍ଡ ବି’ ବିଭାଗକୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି।
ପାର୍ବଣ ସମୟରେ ଶବ୍ଦ ପ୍ରଦୂଷଣକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କୋର୍ଟ | ସହରରେ ଧାର୍ଯ୍ୟ ୬୫ ଡେସିବେଲରୁ ଅଧିକ ଶବ୍ଦ ପ୍ରଦୂଷଣ ହେଉଛି। ଏହାକୁ ନିୟନ୍ତ୍ରଣ କରିବାକୁ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ପାର୍ବଣ ସମୟରେ କଟକରେ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଏକ ଟିମ୍ ମୁତୟନ ରହିବେ। ସେମାନେ ନିୟମିତ ଭାବେ ଶବ୍ଦ ପ୍ରଦୂଷଣକୁ ଯାଞ୍ଚ କରିବେ। ଥାନାସ୍ତରରେ ଆଇଆଇସିମାନେ ଲୋକଙ୍କୁ ସଚେତନ କରିବେ। ପୁଲିସ ସହ ପୂଜା କମିଟିର ସଦସ୍ୟ ମାନେ ମିଳିତ ଭାବେ ଲୋକଙ୍କୁ ସଚେତନ କରିବେ ବୋଲି ଶୁଣାଣି ସମୟରେ ଦର୍ଶାଇଛନ୍ତି କୋର୍ଟ।
ଏହା ବ୍ୟତୀତ କଟକର ପ୍ରତ୍ୟେକ ଥାନା ଅଧୀନରେ ଆସୁଥିବା ୱାର୍ଡରେ ଥିବା ସମସ୍ତ ସ୍କୁଲରେ ଶବ୍ଦ ପ୍ରଦୂଷଣ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉ ବୋଲି କହିଛନ୍ତି କୋର୍ଟ। ଭସାଣୀରେ ପ୍ରତି ମେଢ଼ ପାଇଁ ୬ଟି ସାଉଣ୍ଡ ବକ୍ସର ଅନୁମତି ରହିଛି। ତେଣୁ ସମସ୍ତ ବକ୍ସକୁ ମିଶାଇ ଅତି ବେଶୀରେ ୬୫ ଡେସିବେଲରୁ ଅଧିକ ଶବ୍ଦ ହେବ ନାହିଁ ବୋଲି କହିଛନ୍ତି କୋର୍ଟ।