ବିଲ୍ ପୁରା ଅଧ୍ୟୟନ ପରେ ନିଷ୍ପତି ନେବ ବିଜେଡି: ମାନସ
ସଂସଦରେ ସୀମା ପୁନନିର୍ଦ୍ଧରଣ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲ୍ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ
ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ବିଜେଡି କୌଣସି ସାଲିସ୍ କରିବ ନାହିଁ ବୋଲି କହିଛନ୍ତି ରାଜ୍ୟସଭାରେ ସଂସଦୀୟ ଦଳର ନେତା ମାନସ ମଙ୍ଗରାଜ ।
ସେ କହିଛନ୍ତି ଯେ ଆସନ୍ତା ୩୦ ତାରିଖରେ ଲୋକସଭାରେ ସୀମା ନିର୍ଦ୍ଧାରଣ ବିଲ୍ ଆଗତ ହେବ ଓ ରାଜ୍ୟସଭାରେ ବିଲ୍ ୨ ତାରିଖରେ ଆଗତ ହେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଲୋକସଭାରେ ଆମର ପ୍ରତିନିଧିତ୍ୱ ନ ଥିବାରୁ ତରବର ହେବାର କୌଣସି ଆବଶ୍ୟକ ନାହିଁ । ବିଲ୍ ଆଗତ ହେବା ପରେ ଏହାକୁ ପୁରା ଅଧ୍ୟୟନ କରାଯିବ ଓ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ସଂସଦୀୟ ଦଳ କାର୍ଯ୍ୟ କରିବ ।
ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ବିଜେଡି ସର୍ବଦା ପ୍ରାଥମିକତା ଦେଇ ଆସିଛି ଏବଂ ଭବିଷ୍ୟତରେ ବି ଏଥିରୁ ବିଚ୍ୟୁତ ହେବାର ପ୍ରଶ୍ନ ଉଠୁନାହିଁ । ସୀମା ପୁନନିର୍ଦ୍ଧାରଣରେ ଓଡ଼ିଶାର ରାଜନୈତିକ ସ୍ୱାର୍ଥ ଓ ପ୍ରତିନିଧିତ୍ୱ ଯେପରି କ୍ଷୁର୍ଣ୍ଣ ନ ହୁଏ, ସେଥିପ୍ରତି ବିଜେଡି ସର୍ବଦା ଦୃଷ୍ଟି ଦେବ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟରେ ୫୦% ଆସନ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛନ୍ତି । ଓଡ଼ିଶାର ବର୍ତମାନ ଲୋକସଭା ଆସନ ସଂଖ୍ୟା ୨୧ ଥିବାରୁ ଏହା ୩୨କୁ ବୃଦ୍ଧି କରାଯିବା ସ୍ୱାଭାବିକ ।
ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଯେଉଁ ଫର୍ମୁଲା ଲାଗୁ କରାଯାଉଛି, ଓଡ଼ିଶା କ୍ଷେତ୍ରରେ ବି ତାହା ଅନୁପାଳନ ହେବା ଆବଶ୍ୟକ ବୋଲି କୁହାଯାଉଛି ।