ଭାରତ ତମାମ ସରକାରୀ ସ୍କୁଲର ହାଲତ / ଅବସ୍ଥା ( ଏହି ଗଲା ୫ ବର୍ଷରେ )

Aug 30, 2025 - 11:20
 22
ଭାରତ ତମାମ ସରକାରୀ ସ୍କୁଲର ହାଲତ / ଅବସ୍ଥା ( ଏହି ଗଲା ୫ ବର୍ଷରେ )

ବିଗତ ପାଞ୍ଚ ବର୍ଷରେ ଦେଶରେ ୮୬୦୦ ନୂଆ ସରକାରୀ ସ୍କୁଲ ପ୍ରତିଷ୍ଠା କରାଯାଇଛି। ୨୦୧୯-୨୦ ରୁ ୨୦୨୩-୨୪ ଆର୍ଥିକବର୍ଷରେ ଆଠଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସ୍କୁଲଗୁଡିକ ଖୋଲାଯାଇଛି। ବିହାରରେ ସର୍ବାଧିକ ୫୫୧୦ ଟି ସ୍କୁଲ ପ୍ରତିଷ୍ଠା ହୋଇଥିବାବେଳେ ଏହା ପଛକୁ ରାଜସ୍ଥାନ (୨୫୭୩), ଛତିଶଗଡ (୨୫୬), ତାମିଲନାଡୁ (୯୩), ମଣିପୁର (୫୮), ମିଜୋରାମ (୩୫), ତେଲଙ୍ଗାନା (୨୧) ଓ ସିକ୍କିମ (୧୩) ସ୍ଥାନ ପାଇଛି। ୨୦୧୯-୨୦ ଏବଂ ୨୦୨୦-୨୧ ରେ ବିହାରରେ ୨୯୪୫ ଟି ନୂଆ ସ୍କୁଲ ଖୋଲିଥିବାବେଳେ ୨୦୨୨-୨୩ ରେ ଆଉ ୨୫୭୦ ନୂଆ ସ୍କୁଲ ଏହି ତାଲିକାରେ ଯୋଡି ହୋଇଥିଲା। ଫଳରେ ରାଜ୍ୟରେ ମୋଟ ସ୍କୁଲ ସଂଖ୍ୟା ୭୮,୧୨୦ କୁ ବୃଦ୍ଧି ପାଇଥିଲା। ଗୋଟିଏପଟେ ଶିକ୍ଷାର ପ୍ରସାର ନିମନ୍ତେ ସରକାରୀ ସ୍କୁଲ ଖୋଲା ଯାଉଥିବାବେଳେ ଅନ୍ୟପଟରେ କେତେକ ସରକାରୀ ସ୍କୁଲ ବନ୍ଦ ହେଉଥିବାରୁ ଏହି ଯୋଜନା ଫଳପ୍ରଦ ହୋଇପାରୁୁନାହିଁ।

ଅପର ପକ୍ଷରେ ବିଗତ ପାଞ୍ଚ ବର୍ଷରେ ପଶ୍ଚିମବଙ୍ଗରେ ସର୍ବାଧିକ ୧୧୪୯ ଟି ସରକାରୀ ସ୍କୁଲ ବନ୍ଦ ହୋଇଥିବା ବେଳେ ମହାରାଷ୍ଟ୍ର ଓ ଦିଲ୍ଲୀରେ ଏହି ସଂଖ୍ୟା ଯଥାକ୍ରମେ ୭୨୯ ଓ ୭୪ ରହିଥିବା ଜଣା ପଡିଛି । କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ବୀପରେ ସବୁଠାରୁ କମ ସଂଖ୍ୟକ ସରକାରୀ ସ୍କୁଲ ରହିଛି। ୨୦୧୯-୨୦ ରୁ ଏଠାରେ ୮ ଟି ସରକାରୀ ସ୍କୁଲ ବନ୍ଦ ହୋଇ ସାରିଥିବା ବେଳେ ମୋଟ ସ୍କୁଲ ସଂଖ୍ୟା ୩୭ ରେ ସୀମିତ ରହିଛି। ସରକାରୀ ତଥ୍ୟ ଅନୁଯାୟୀ ଉତ୍ତର ପ୍ରଦେଶରେ ସରକାରୀ ସ୍କୁଲଗୁଡିକର ସର୍ବାଧିକ ନେଟୱାର୍କ ରହିଛି। ୨୦୨୩-୨୪ ସୁଦ୍ଧା ରାଜ୍ୟରେ ମୋଟ ୧.୩୭ ଲକ୍ଷ ସରକାରୀ ସ୍କୁଲ କାର୍ଯ୍ୟ କରୁଥିବା ଜଣାପଡିଛି। 

ବିଗତ ପାଞ୍ଚବର୍ଷରେ ଉତ୍ତର ପ୍ରଦେଶରେ ୫୩୬ ଟି ସରକାରୀ ସ୍କୁଲ ବନ୍ଦ ହୋଇସାରିଛି। ଶିଶୁଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯ ଅନୁଯାୟୀ ସ୍କୁଲ ଖୋଲିବା କିମ୍ବା ବନ୍ଦ କରିବା ନିଷ୍ପତ୍ତି ସଂପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କର |

ଜାତୀୟ ଶିକ୍ଷା ନୀତି ଅନୁଯାୟୀ ପ୍ରତ୍ୟେକ ଶିଶୁଙ୍କ ଘର ନିକଟରୁ ନିର୍ଦିଷ୍ଟ ଦୂରତା ମଧ୍ୟରେ ସ୍କୁଲ ଥିବା ଜରୁରୀ ବୋଲି କୁହାଯାଇଛି। ତେବେ ଅଧିକାଂଶ କ୍ଷେତ୍ରରେ ଏହା ସମ୍ଭବ ହୋଇପାରୁନାହିଁ। ଫଳରେ ପିଲାଙ୍କୁ ସ୍କୁଲ ଯିବା ପାଇଁ ଅଧିକ ରାସ୍ତା ଅତିକ୍ରମ କରିବାକୁ ପଡୁଛି, ଯାହାଫଳରେ ଅଧିକାଂଶ ପିଲା ସ୍କୁଲ ଯିବାକୁ ଅନିଚ୍ଛା ପ୍ରକାଶ କରୁଥିବା ଲକ୍ଷ୍ୟ କରାଯାଇଛି।