ସିଏମ୍ଜିଆଇ ପକ୍ଷରୁ ବିକଶିତ ଡିଜିଟାଲ୍ ଆପ୍ଲିକେସନ୍ର ବ୍ୟବହାର ଓ ପରିଚାଳନା ନେଇ ରାଜସ୍ୱ ବିଭାଗର ଅଧିକାରୀଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ...
ନୂତନ ପ୍ରଯୁକ୍ତିର ଉପଯୋଗ ଦ୍ଵାରା ପ୍ରଶାସନିକ ଦକ୍ଷତା ବୃଦ୍ଧି ନିମନ୍ତେ ଦୃଢ଼ ପ୍ରତିବଦ୍ଧ ରାଜସ୍ବ ବିଭାଗ*
ସରକାରୀ କାର୍ଯ୍ୟରେ ଡିଜିଟାଲ୍ ପ୍ରଯୁକ୍ତିର ଉପଯୋଗ ବୃଦ୍ଧି, ପ୍ରଶାସନିକ ଦକ୍ଷତା ବିକାଶ ଏବଂ ଇ-ଗଭର୍ଣ୍ଣାନ୍ସ୍ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଆଜି ଏକ ପ୍ରଶିକ୍ଷଣ ତଥା ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନସ୍ଥ ସେଣ୍ଟର ଫର୍ ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍ (CMGI) ପକ୍ଷରୁ ବିକଶିତ ଏବଂ ପରିଚାଳିତ ବିଭିନ୍ନ ସଫ୍ଟୱେର୍ ଆପ୍ଲିକେସନ୍ର କାର୍ଯ୍ୟପ୍ରଣାଳୀ, ବ୍ୟାବହାରିକ ଦିଗ ଓ ବିଭିନ୍ନ ସୁବିଧା ସମ୍ପର୍କରେ ଅଧିକାରୀମାନଙ୍କୁ ଅବଗତ କରାଇବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ।
ଲୋକସେବା ଭବନଠାରେ ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗର ବିଭିନ୍ନ ଶାଖାର ଡେସ୍କ ଅଫିସର, ସେକ୍ସନ୍ ଅଫିସର ଏବଂ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସରମାନେ ଅଂଶଗ୍ରହଣ କରିଥିଲେ। CMGI ପକ୍ଷରୁ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ୍ ଦେବସ୍ମିତା ପଟ୍ଟନାୟକ ଏବଂ ଟିମଙ୍କ ଦ୍ଵାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।
ଏହି ପ୍ରଶିକ୍ଷଣରେ ହ୍ୟୁମାନ୍ ରିସୋର୍ସ ମ୍ୟାନେଜମେଣ୍ଟ ସିଷ୍ଟମ୍ (HRMS)ର ବିଭିନ୍ନ କାର୍ଯ୍ୟକାରିତା, ମାଇଁ ଅଫିସ୍ ମଡ୍ୟୁଲ୍, ବିଲ୍ ବ୍ରାଉଜର୍, HRMS ଡ୍ୟାସ୍ବୋର୍ଡ, ଷ୍ଟେଟ୍ ଡ୍ୟାସ୍ବୋର୍ଡ, ଡିପାର୍ଟମେଣ୍ଟ ଡ୍ୟାସ୍ବୋର୍ଡ ଏବଂ ଅପରେସନାଲ୍ ପେମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ (OPMS) ଆଦିର ବ୍ୟବହାର ଓ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରାଯାଇଛି। ଏଥିସହିତ CMGI ଦ୍ୱାରା ପରିଚାଳିତ ଅନ୍ୟାନ୍ୟ ଡିଜିଟାଲ୍ ଆପ୍ଲିକେସନ୍ର ପ୍ରାସଙ୍ଗିକ ବୈଶିଷ୍ଟ୍ୟ ଓ ସୁବିଧା ସମ୍ପର୍କରେ ମଧ୍ୟ ତାଲିମ୍ ପ୍ରଦାନ କରାଯାଇଛି।
ଏହି ପ୍ରଶିକ୍ଷଣ ମାଧ୍ୟମରେ ଅଧିକାରୀ ଓ କର୍ମଚାରୀମାନେ ଡିଜିଟାଲ୍ ଆପ୍ଲିକେସନ୍ଗୁଡ଼ିକର ଉପଯୁକ୍ତ ବ୍ୟବହାର, ଦୈନନ୍ଦିନ କାର୍ଯ୍ୟର ସରଳୀକରଣ ଏବଂ ଅନ୍ଲାଇନ୍ ମନିଟରିଂ ବ୍ୟବସ୍ଥା ସମ୍ପର୍କରେ ବ୍ୟାବହାରିକ ଜ୍ଞାନ ହାସଲ କରିପାରିବେ। ଏହାଦ୍ୱାରା ପ୍ରଶାସନିକ କାର୍ଯ୍ୟରେ ଅଧିକ ସ୍ୱଚ୍ଛତା, ଦକ୍ଷତା ଓ ତ୍ୱରିତ ସେବା ପ୍ରଦାନ ସୁନିଶ୍ଚିତ କରିବା ନିମନ୍ତେ ରାଜସ୍ୱ ବିଭାଗର ଦକ୍ଷତା ବୃଦ୍ଧି ପାଇବ ବୋଲି ସଭିଏଁ ଆଶା ବ୍ୟକ୍ତ କରିଥିଲେ।