ଅପରାଜିତା ନାମର ମାହାତ୍ମ୍ୟ...

Oct 2, 2025 - 21:26
 33
ଅପରାଜିତା ନାମର ମାହାତ୍ମ୍ୟ...

ମା ଦୁର୍ଗା ପରାଶକ୍ତି ଓ ଶକ୍ତିମୟୀ | ସେଥିପାଇଁ ସେ ସର୍ବଦା ଅପରାଜୟ |ମା ଦୁର୍ଗା ଙ୍କ ଅନ୍ୟ ନାମ ଅପରାଜିତା  

ଅପରାଜିତା ନାମର ମାହାତ୍ମ୍ୟ...

ଅପରାଜିତା ଏକ ପୁଷ୍ପର ନାମ |ଏହାର ନାମରେହିଁ ରହିଛି ଜୟ ଓ ସାର୍ଥକତା l ଏହାର ଅନ୍ୟନାମ ନୀଳକଣ୍ଠ, ଶଙ୍ଖପୁଷ୍ପ ଓ ଗୋକର୍ଣ୍ଣ l ଦେବ ଦେବ ମହାଦେବଙ୍କର ମଧ୍ୟ ଅନ୍ୟନାମ ନୀଳକଣ୍ଠ l 

ଏହି ଫୁଲର ମାଆ ଦୁର୍ଗାଙ୍କ ସହ ସମ୍ପର୍କ ରହିଛି l ମାଆ ଦୁର୍ଗା ସର୍ବଦା ଅପରାଜିତା l ସଂସାରର ସଙ୍କଟକାଳରେ ଜଗଜ୍ଜନନୀ ମାଆ ଦୁର୍ଗାହିଁ ଭରସା l ମାଆ ଦୁର୍ଗତି ପୀଡ଼ିତ ସମସ୍ତ ଜୀବଙ୍କ ଦୁର୍ଗତି ଦୂର କରିବାପାଇଁ ସମର୍ଥ l 

ମାଆ ପରାଶକ୍ତି ଶକ୍ତିମୟୀ l ଦୁନିଆଁର କୌଣସି ଶକ୍ତି, ମାଆଙ୍କୁ ପରାଜିତ କରିବା ନିମନ୍ତେ ସମର୍ଥ ନୁହେଁ l ତେଣୁ ମାଆ ଦୁର୍ଗାଙ୍କର ଅନ୍ୟନାମ ଅପରାଜିତା l ମାଆ ଅପରାଜିତାଙ୍କର ତେଣୁ ଏହି ଅପରାଜିତା ଫୁଲ ଅତ୍ୟନ୍ତ ପ୍ରୀୟ l ମହାଦେବଙ୍କର ମା ଶକ୍ତି ହୋଇ ଥିବାରୁ ଅପରାଜିତା ଫୁଲ ମଧ୍ୟ ମହାଦେବଙ୍କ ଅତି ପ୍ରୀୟ ଅଟେ l 

ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ଅପରାଜିତା ପୂଜନ l କୁହାଯାଏ ମା ଅପରାଜିତାଙ୍କ ପୂଜନ ଚତୁଯୁଗ ଆରମ୍ଭ ପୂର୍ବରୁ ରହିଛି l ଶ୍ରୀ ବ୍ରହ୍ମା ଓ ବିଷ୍ଣୁ ସଦାସର୍ବଦା ମା' ଅପରାଜିତାଙ୍କ ଧ୍ୟାନ କରିଥାନ୍ତି |

ଶାରଦୀୟ ଦୁର୍ଗାପୂଜାର ଅନ୍ତିମଦିନ ଦଶମୀରେ ମାଆଙ୍କୁ ବିଦାୟ ଦେବାପାଇଁ ଏହି ପୂଜା ଅନୁଷ୍ଠିତ ହୋଇ ଥାଏ l ମାଆଙ୍କର ନିରାଜନା ଅପରାଜିତା ପୂଜା ବିନା ଅଧୁରା ରହିଯାଏ l ଅପରାଜିତା ପୂଜନ ଦ୍ୱାରା ମାଆ ତୁଷ୍ଟା ହୋଇ, ଆଶୀର୍ବାଦ ପ୍ରଦାନ କରିଥାନ୍ତି, 'ସର୍ବ ବିଜୟୀ ଭଵ' l 

ବିବାହିତା ମହିଳା ମାନେ ଅପରାଜିତା ପୂଜାରେ ମା' ଦୁର୍ଗାଙ୍କୁ ସିନ୍ଦୁର ଅର୍ପଣ କରି ଅକ୍ଷୟ ସୌଭାଗ୍ୟବତୀ ହେବାର ଆଶୀର୍ବାଦ କାମନା କରିଥାନ୍ତି l

ପାଣ୍ଡଵମାନେ ବିରାଟ ରାଜଧାନୀରେ ଅଜ୍ଞାତବାସ ନିମନ୍ତେ ପ୍ରସ୍ତୁତ ହେଉଥିବାବେଳେ ଅର୍ଜୁନ ଶ୍ମଶାନ ନିକଟ ଏକ ଶମ୍ମି ବୃକ୍ଷରେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖୁଥାନ୍ତି l ସେହିଠାରେ ମାଆ ଦୁର୍ଗା ଆବିର୍ଭୁତା ହୋଇ ଯୁଧିଷ୍ଠିରଙ୍କୁ ନିର୍ବିଘ୍ନ ଅଜ୍ଞାତବାସ ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ, ଏଣୁ ଶମୀବୃକ୍ଷ ମାଆଙ୍କ ବାସସ୍ଥାନ ମନେକରି, ବିଜୟା ଦଶମୀ ଦିନ ଶମୀବୃକ୍ଷ ପୂଜନ ଵିଧି ଅଛି l ମା' ଅପରାଜିତାଙ୍କ ପୂଜା ମନ୍ତ୍ର ହେଉଛି :-

         ଇମାଂ ପୂଜାମ୍ ମୟାମ୍ ଦେବୀ 

             ଯଥାଶକ୍ତି ନିବେଦିତାମ୍ l

  ରକ୍ଷାର୍ଥ ତୁ ସମାଦାୟ ବ୍ରଜସ୍ୱ ସ୍ଥାନମୁତ୍ତମମ୍ ll

ହାରେଣ ତୁ ବିଚିତ୍ରେଣ ଭାସ୍ଵକ୍ତ କନକମେଖଳା l

ଅପରାଜିତା ଭଦ୍ରରତା କରୋତୁ ବିଜୟଂ ମମଃ ll

ଅର୍ଥାତ୍, ହେ ଦେବୀ ମୋର କ୍ଷମତା ଅନୁଯାୟୀ ମୁଁ ବିଜୟ ପ୍ରାପ୍ତି ନିମନ୍ତେ ଆପଣଙ୍କର ପୂଜନ କଲି l ମୋତେ ଆଶୀର୍ବାଦ କରି ଆପଣ ସ୍ବସ୍ଥାନ ପ୍ରସ୍ଥାନ କରନ୍ତୁ l ହେ ବିଚିତ୍ର କନକ ମେଖଳା ହାର ଦ୍ୱାରା ଶୋଭିତା ଦେବୀ ଅପରାଜିତା, ମୋର ସର୍ବବିଧ ବିଜୟପାଇଁ ଆଶୀର୍ବାଦ କରନ୍ତୁ l

ଏହା ମାଆଙ୍କ ପ୍ରତି ଶ୍ରଦ୍ଧାଳୁଙ୍କ ଭକ୍ତି ଓ ଶ୍ରଦ୍ଧାର ପରିଚାୟକ l 

ଅପରାଜିତା ଫୁଲ ଭାରତର ପ୍ରାୟ ସବୁ ସ୍ଥାନରେ ମିଳିଥାଏ l ଏହା ଏକ ସବୁ ଦିନିଆ ପୁଷ୍ପ ଓ ବର୍ଷସାରା ଉପଲବ୍ଧ ହୋଇଥାଏ l ଅପରାଜିତା ଫୁଲ ଖାଲି ମହାଦେବ ଓ ଅମ୍ବିକାଙ୍କ ପ୍ରୀୟ ଫୁଲ ନୁହେଁ l ଅଧିକନ୍ତୁ, ଏହା ହନୁମାନ, ଗ୍ରହ ରାଜ ଶନି, ମାଆ ଲକ୍ଷ୍ମୀ ଓ ଶ୍ରୀମନ ନାରାୟଣଙ୍କର ମଧ୍ୟ ଅତି ପ୍ରୀୟ ଫୁଲ ଅଟେ l ଏହି ସୁନ୍ଦର ଫୁଲର ବହୁ ଦିବ୍ୟ ଓ ଚମତ୍କାରୀ ଗୁଣ ରହିଛି l

ଅପରାଜିତା ନଜର ଦୋଷ ଓ ତନ୍ତ୍ର ମନ୍ତ୍ର ଦୋଷକୁ ଦୂର କରିଥାଏ l ଶନିବାର ଦିନ ଅପରାଜିତା ଫୁଲ ମାଳକରି ରାତ୍ରି ସମୟରେ ଘର ପ୍ରବେଶ ଦ୍ୱାରରେ ଟଙ୍ଗାଇଲେ ଭୁତପ୍ରେତଙ୍କ ଭୟ ଦୂର ହୋଇଥାଏ l  

ଅପରାଜିତା ଫୁଲମାଳାକୁ ଦୁଆରରେ ଟଙ୍ଗାଇଲେ ଗୃହ ମଧ୍ୟରେ ଥିବା ସମସ୍ତ ପ୍ରକାରର ନକାରାତ୍ମକ ଉର୍ଜାର ବିନାଶ ହୋଇଥାଏ ଓ ସକାରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ l ଏହା ଦ୍ୱାରା ମନୁଷ୍ୟ ଜୀବନର ଧନର ସମସ୍ତ ସମସ୍ୟା ଦୂର ହୋଇଥାଏ l

ସୋମବାର ରାତ୍ରିରେ ପାଞ୍ଚୋଟି ଅପରାଜିତା ଫୁଲ ପାଞ୍ଚସପ୍ତାହ ଧରି ନଦୀସ୍ରୋତରେ ପ୍ରବାହ ଦେଲେ ମନୁଷ୍ୟ କରଜମୁକ୍ତ ହୋଇ ଧନର ଆଗମ ହୋଇ ଥାଏ ବୋଲି ବିଶ୍ୱାସ କରାଯାଏ l ଏହାଦ୍ଵାରା ନୂଆ ନୂଆ କାର୍ଯ୍ୟକୌଶଳ ଏବଂ ଉନ୍ନତିର ସମସ୍ତ ବାଟ ଖୋଲି ଯାଇଥାଏ l

ପ୍ରତ୍ୟହ ମାଆଦୂର୍ଗା କିମ୍ବା ମାଆ ପାର୍ବତୀଙ୍କୁ ୧୧ଟି ଅପରାଜିତା ଫୁଲ ଅର୍ପଣ କଲେ ସର୍ବ ମନୋବାଞ୍ଛା ପୂରଣ ହୋଇଥାଏ l ଯଦି ଏହା ସବୁଦିନ କରିବା ସମ୍ଭବ ନ ହୁଏ ତେବେ ନବରାତ୍ରିର ନଅଦିନ ଯାଏ କଲେ ସୁଫଳ ମିଳିଥାଏ l ଯଦି ନବରାତ୍ରରେ କରି ନପାରନ୍ତି ତେବେ ୨୧ ମଙ୍ଗଳବାର ମାଆଙ୍କୁ ଏହା ଅର୍ପଣ କରିବା ଦ୍ୱାରା ଇପ୍ସିତଫଳ ମିଳିଥାଏ l 

ଶନିବାର କିମ୍ବା ମଙ୍ଗଳବାର ଅପରାଜିତା ଫୁଲକୁ ହନୁମାନଙ୍କୁ ଅର୍ପଣ କଲେ ଅର୍ଥର ସମସ୍ତ ସମସ୍ୟା ଦୂର ହୋଇଥାଏ l ଅପରାଜିତା ଶନି ଦେବଙ୍କର ପ୍ରୀୟ ପୁଷ୍ପ l ଏଣୁ ଏ ଫୁଲରେ ଶନି ମହାଗ୍ରହଙ୍କ ପୂଜା କଲେ ତାଙ୍କର କୃପା ମିଳିଥାଏ l

ଆମ ଆୟୁର୍ବେଦଶାସ୍ତ୍ରରେ ଅପରାଜିତାର ବହୁବିଧ ଔଷଧିୟ ଗୁଣର ବର୍ଣ୍ଣନା ରହିଛି l ଏହି ଫୁଲ କଟୁ କଷାୟ ଓ ତିକ୍ତ ରସ ଯୁକ୍ତ l ଏହା କଣ୍ଠ ଶୋଧକ, ଶୀତବୀର୍ଯ୍ୟ ହ୍ରାସକ, ସ୍ମରଣଶକ୍ତି ବର୍ଦ୍ଧକ, ଦୃଷ୍ଟିଶକ୍ତି ବର୍ଦ୍ଧକ ଓ ଜ୍ୱର, କାଶ, ଶୂଳ, ଆମଦୋଷ, ବ୍ରଣ, ବିଷ , ଶୋଥ, କୁଷ୍ଠ ଇତ୍ୟାଦି ରୋଗର ବିନାଶକ ଅଟେ l ଏହାର ଚେର ସର୍ପକୁ ଦୂରରେ ରଖିଥାଏ ବୋଲି ମାନ୍ୟତା ରହିଛି l