ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

Sep 20, 2026 - 20:33
 3
ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସୁଧାର ଦାବିରେ ବିଧାନସଭା ଘେରାଉ କରିବ ବିଜେଡି...

ପିଲାଙ୍କୁ ମିଳିଲା ନାହିଁ ତ୍ରୁଟିଶୂନ୍ୟ ପୁସ୍ତକ, ସବୁ ଜାଣି ଆଖି ବୁଜି ଦେଇଛନ୍ତି ରାଜ୍ୟ ସରକାର 

ପୁସ୍ତକ ପ୍ରକାଶନରେ ୩୮୦ କୋଟି ଟଙ୍କାର ଦୁର୍ନୀତି, ପିଲାଙ୍କୁ ଅପାଠୁଆ କରିବାକୁ କରାଯାଇଛି ଯୋଜନା  

ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଏକ ମାଇଲଖୁଣ୍ଟ ହାସଲ କରିଥିଲା 

ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିଧାନସଭା ଘେରାଉ କରାଯିବ ।

ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରସଙ୍ଗ ନେଇ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଇପ୍ସିତା ସାହୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।  

ସଭାପତି ଚିନ୍ମୟ ସାହୁ କହିଛନ୍ତି ଯେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ଥିବା ବେଳେ ତାହା ରାଜ୍ୟ ସରକାର ପ୍ରତ୍ୟାହାର କରିଲେ ନାହିଁ । ଆସନ୍ତା କିଛି ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ । 

ତେବେ ତ୍ରୁଟି ପୂର୍ଣ୍ଣ ପୁସ୍ତକ ପଢ଼ି ଛାତ୍ରଛାତ୍ରୀ ମାନେ କିପରି ପରୀକ୍ଷା ଦେବେ । ଚଳିତ ଶିକ୍ଷା ବର୍ଷ ଆରମ୍ଭରୁ ଛାତ୍ରଛାତ୍ରୀ ମାନେ ତ୍ରୁଟି ଶୂନ୍ୟ ପୁସ୍ତକ ପାଇଲେ ନାହିଁ । ବିଜେପି ସରକାର ଏନ୍ଇପି ଲାଗୁ କରି ଅହେତୁକ ବିଳମ୍ୱରେ ପାଠ୍ୟ ପୁସ୍ତକ ପ୍ରଦାନ କରିଥିଲେ । ପିଲାଙ୍କ ଭବିଷ୍ୟତ ସହ ଖେଳି ବିଳମ୍ବରେ ମଧ୍ୟ ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରଦାନ କରିଲେ । 

ତ୍ରୁଟି ପୂର୍ଣ୍ଣ ପୁସ୍ତକ ବାବଦରେ ରାଜ୍ୟ ସରକାର ସବୁ ଜାଣି ସୁଦ୍ଧା ମାଳ ମାଳ ତ୍ରୁଟି ଥିବା ପୁସ୍ତକ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିଛନ୍ତି । ନୂତନ ପୁସ୍ତକ ପ୍ରକାଶନ କରିବା ଟେଣ୍ଡର ମଧ୍ୟ କେନ୍ଦ୍ର ସରକାରଙ୍କ ପ୍ରଭାବଶାଳୀ ବିଜେପି ନେତାଙ୍କୁ ପ୍ରଦାନ କରାଯାଇଥିଲା । 

ଉକ୍ତ ପ୍ରକାଶନ ଟଙ୍କାକୁ ସୁରୁଖୁରୁରେ ପ୍ରଦାନ କରାଇବା ପାଇଁ ତ୍ରୁଟି ଗୁଡିକ ପ୍ରତି ରାଜ୍ୟ ସରକାର ଆଖି ବୁଜି ଦେଇଛନ୍ତି । ପିଲା ମାନଙ୍କୁ ଅପାଠୁଆ କରିବା ପାଇଁ ପୁସ୍ତକ ଗୁଡ଼ିକରେ ମାଳ ମାଳ ତ୍ରୁଟି ରହିଛି । ପୁସ୍ତକ ପ୍ରକାଶନରେ ୩୮୦କୋଟି ଟଙ୍କାର ଦୁର୍ନୀତି ହୋଇଛି । 

ଏହି ଦୁର୍ନୀତିରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ସାମିଲ୍ ରହିଛନ୍ତି । ପୁସ୍ତକ ପ୍ରତ୍ୟାହାର, ଉଚ୍ଚସ୍ତରୀୟ ତଦନ୍ତ ଓ ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ରାଜ୍ୟ ବ୍ୟାପି ଶିକ୍ଷା ବଞ୍ଚାଅ ଆନେ୍ଦାଳନ କରି ବିଜେଡି ପ୍ରତିବାଦ ପ୍ରଦର୍ଶନ କରିଥିଲା । କିନ୍ତୁ ଏଥିରେ ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ୍ ହୋଇ ବସିଛନ୍ତି । 

ଉକ୍ତ ଘଟଣାରେ ରାଜ୍ୟ ସରକାରଙ୍କୁ ନିନ୍ଦିତ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଛି ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି । କିନ୍ତୁ ପଦକ୍ଷେପ ଗ୍ରହଣ କରିବାରେ ପଛଘୁଞ୍ଚା ଦେଉଛନ୍ତି । 

ତଳତଳିଆ ଅଧିକାରୀ ମାନଙ୍କୁ ଗିରଫ କରି ବଡ଼ ବଡ଼ିଆ ମାନଙ୍କୁ ଛାଡ଼ି ଦିଆଯାଉଛି । ତେବେ ବିକ୍ଷୋଭ ଓ ଜନଜାଗରଣ ସତ୍ତ୍ୱେ ବିଜେପି ସରକାର ତିଳେ ହେଲେ ଭୃକ୍ଷେପ କରୁନାହିଁ । 

ଏ ଯାଇଁ ଛାତ୍ରଛାତ୍ରୀ ମାନଙ୍କୁ ତ୍ରୁଟି ଶୂନ୍ୟ ପୁସ୍ତକ ମିଳିପାରିଲା ନାହିଁ । ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କ ଅଧିକାର ପାଇଁ ବିଜେଡି ଲଢେଇ କରିବ । 

ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସେପ୍ଟେମ୍ୱର ୨୨ ଓ ୨୩ ତାରିଖରେ ବିଧାନସଭା ଘେରାଉ କରାଯିବ ବୋଲି କହିଛନ୍ତି । 

ଆସନ୍ତା ୨୨ ତାରିଖ ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯଦି ଇସ୍ତଫା ପ୍ରଦାନ ନକରିବେ । ଆସନ୍ତା ୨୨ ତାରିଖ ବିଧାନସଭା ସମ୍ମୁଖରେ ଅହୋରାତ୍ର ଧାରଣାରେ ବସିବ ଯୁବ ଓ ଛାତ୍ର ବିଜେଡିି । 

ରାଜ୍ୟସାରା ଯୁବ ଓ ଛାତ୍ର ଏଥିରେ ଅଂଶଗ୍ରହଣ କରିବା ପାଇଁ ଆହ୍ୱାନ ପ୍ରଦାନ କରିଛନ୍ତି । ଏହା ସହିତ ସାମାଜିକ ସଂଗଠନ, ଅଭିଭାବକ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକମାନଙ୍କ ସମର୍ଥନ ଲୋଡିଛନ୍ତି । 

ସେହିପରି ଛାତ୍ର ସଭାପତି ଇପ୍ସିତା ସାହୁ କହିଛନ୍ତି ଯେ, ବିଜେପି ସରକାର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଜରିଆରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିଛନ୍ତି । 

ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରସଙ୍ଗ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । 

ତାଙ୍କ ଶାସନ କାଳରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଏକ ମାଇଲଖୁଣ୍ଟ ହାସଲ କରି ବିଶ୍ୱ ଦରବାରରେ ପ୍ରଶଂସିତ ହୋଇଥିଲା । ୫-ଟି ଯୋଜନାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିଥିଲା । କିନ୍ତୁ ବର୍ତ୍ତମାନ ବିଜେପି ସରକାରରେ ତାହା ବିପର୍ଯ୍ୟସ୍ତ ହୋଇଛି । 

ତ୍ରୁଟିପୂର୍ଣ୍ଣ ପୁସ୍ତକ ପାଇଁ ଜାତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହୋଇଛି । ଏହାକୁ ବିରୋଧ କରି ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶ କ୍ରମେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟସାରା ପ୍ରତିବାଦ ପ୍ରଦର୍ଶନ କରିଥିଲା । 

ରାଜ୍ୟ ସାରା ପ୍ରତି ଜିଲ୍ଲାରେ ବିକ୍ଷୋଭ ସମୟରେ ଅଭିଭାବକ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମାନେ ସମର୍ଥନ ମଧ୍ୟ ଜଣାଇଥିଲେ । କିନ୍ତୁ ଏତେ ପରେ ମଧ୍ୟ ରାଜ୍ୟର ବିଜେପି ସରକାର ଚେତିଲା ନାହିଁ । 

ଓଡ଼ିଶାକୁ ପଙ୍ଗୁ କରିବା ପାଇଁ ବିଜେପି ସରକାର ଯୋଜନାବଦ୍ଧ ଭାବେ ଜାତୀୟ ଶିକ୍ଷା ନୀତି (ଏନଇପି ୨୦୨୦)ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ତ୍ରୁଟି ପୂର୍ଣ୍ଣ ପାଠ୍ୟ ପୁସ୍ତକ ପ୍ରକାଶ କରି ଭବିଷ୍ୟତ ପିଢ଼ିଙ୍କ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିଛନ୍ତି । ବିଜେପି ନିଜ ଦୋଷକୁ ସ୍ୱୀକାର କରିବାରେ ନାରାଜ ରହିଛି । ବିଜେପିର ଗୋଷ୍ଠୀ କନ୍ଦଳ ଯୋଗୁଁ ପିଲା ମାନଙ୍କ ଭବିଷ୍ୟତ ସହ ଖେଳି ଅନ୍ଧକାରକୁ ଠେଲି ଦେଉଛନ୍ତି । 

ଏହାକୁ ବିରୋଧ କରି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ଼ ପ୍ରତିବାଦ କରି ବିଧାନସଭା ଘେରାଉ କରାଯିବ ବୋଲି କହିଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ବ୍ୟବସ୍ଥାରେ ବିଜେଡି ପକ୍ଷରୁ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ । 

ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଏବଂ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଗତ ଭବିଷ୍ୟତ ଉପରେ ଡବଲ ଇଞ୍ଜିନ ସରକାରଙ୍କ ଆକ୍ରମଣକୁ ଜୋରଦାର ବିରୋଧ କରାଯିବ ବୋଲି ସେ କହିଛନ୍ତି ।