ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ...

Sep 14, 2026 - 14:43
 4
ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ...

ସଂଗ୍ରହାଳୟରେ ସାଇତା ରହିଛି ଭାରତର ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ବିପ୍ଳବ ଓ ବଳିଦାନର ସ୍ମୃତି  

ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ନେତୃତ୍ୱରେ ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ସମ୍ପ୍ରତି ଛତିଶଗଡ଼ ଗସ୍ତରେ ଅଛି । 

ଏହି ପ୍ରତିନିଧି ଦଳ ନୱା ରାୟପୁର ସ୍ଥିତ ଆଦିବାସୀ ସଂଗ୍ରହାଳୟ ପରିଦର୍ଶନ କରିଛି । 

ଛତିଶଗଡ଼ର ଏହି ଗସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ୱାଧୀନତା ସଂଗ୍ରାମର ଇତିହାସରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତିଚାରଣ କରିବାର ସୁଯୋଗ ଦେଇଛି । 

ଛତିଶଗଡ଼ ଗସ୍ତର ପ୍ରଥମ ଦିନରେ ଗଣମାଧ୍ୟମ ପ୍ରତିନିଧିମାନେ ଶହୀଦ ବୀର ନାରାୟଣ ସିଂ ସ୍ମାରକୀ ଏବଂ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କରିଥିଲେ । 

ସଂଗ୍ରହାଳୟରେ ଥିବା ୧୬ଟି ଗ୍ୟାଲେରୀରେ ସ୍ଥାପିତ ମୂର୍ତ୍ତି, ଡିଜିଟାଲ ଭାବେ ସାଇତା ରହିଥିବା ସ୍ମୃତିଚିହ୍ନ, ଐତିହାସିକ କାହାଣୀ ଏବଂ ଇଣ୍ଟରଆକ୍ଟିଭ୍‌ ଡିସପ୍ଲେ ଜରିଆରେ ପ୍ରଦର୍ଶିତ ସାହସ ଓ ବଳିଦାନର କାହାଣୀ ବିଷୟରେ ଜାଣି ଗଣମାଧ୍ୟମ ପ୍ରତିନିଧିମାନେ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ । 

ଏସବୁ ପ୍ରଦର୍ଶନୀରେ ବିଦେଶୀ ଶାସକଙ୍କ ଶୋଷଣ, ଦମନଲୀଳା ଏବଂ ଅତ୍ୟାଚାର ବିରୋଧରେ ଆଦିବାସୀ ସମ୍ପ୍ରଦାୟର ଦୁର୍ବାର ସଂଘର୍ଷ ପ୍ରଦର୍ଶିତ ହୋଇଛି । ଏଠାରେ ମଧ୍ୟ ଆଦିବାସୀ ସମ୍ପ୍ରଦାୟର ସେହି ଦୃଢ଼ ସଂକଳ୍ପ ପ୍ରଦର୍ଶିତ ହୋଇଛି ଯାହା ବଳରେ ସେମାନେ ନିଜ ଜମି, ସଂସ୍କୃତି ଏବଂ ସମ୍ମାନର ରକ୍ଷା କରିଛନ୍ତି ।

ଏହି ସଂଗ୍ରହାଳୟରେ ହାଲବା କ୍ରାନ୍ତି, ସରଗୁଜା କ୍ରାନ୍ତି, ପାରାଲକୋଟ କ୍ରାନ୍ତି, ଭୋପାଳପଟ୍ଟନମ୍ କ୍ରାନ୍ତି, ମୁରିଆ କ୍ରାନ୍ତି ଏବଂ ଭୂମକାଲ କ୍ରାନ୍ତି ସମେତ ଅନେକ ପ୍ରମୁଖ ଆଦିବାସୀ ଆନ୍ଦୋଳନର ଇତିହାସ ପ୍ରଦର୍ଶିତ ହୋଇଛି । 

ଛତିଶଗଡ଼ର ଜଣେ ପ୍ରମୁଖ ଆଦିବାସୀ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଶହୀଦ ବୀର ନାରାୟଣ ସିଂହଙ୍କ ଜୀବନୀ ଓ ବଳିଦାନ ମଧ୍ୟ ଏହି ସଂଗ୍ରହାଳୟର ବିଷୟବସ୍ତୁରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି ।

ଗଣମାଧ୍ୟମ ପ୍ରତିନିଧି ଦଳ ସଂଗ୍ରହାଳୟ ପରିଦର୍ଶନ କରିବା ସମୟରେ ଝଣ୍ଡା ସତ୍ୟାଗ୍ରହ ଏବଂ ଜଙ୍ଗଲ ସତ୍ୟାଗ୍ରହ ସମେତ ବ୍ୟାପକ ସ୍ୱାଧୀନତା ଆନ୍ଦୋଳନରେ ଆଦିବାସୀ ସମ୍ପ୍ରଦାୟର ଅଂଶଗ୍ରହଣ ବିଷୟରେ ଜାଣିବାକୁ ପାଇଥିଲେ । 

ଏହିସବୁ ସତ୍ୟାଗ୍ରହ ଉପନିବେଶବାଦୀ ଶାସନ ବିରୋଧରେ ହୋଇଥିବା ବିପ୍ଳବରେ ଆଦିବାସୀଙ୍କର ସକ୍ରିୟ ଭୂମିକାକୁ ପ୍ରତିଫଳିତ ହୋଇଥିଲା ।

ଟିଆରଟିଆଇର ସହକାରୀ ନିର୍ଦ୍ଦେଶକ ଡକ୍ଟର ଅନିଲ୍ ବିରୁଲକର ଏହି ପରିଦର୍ଶନ ସମୟରେ ମାର୍ଗଦର୍ଶନ କରିଥିଲେ । 

ସେ ସାମ୍ବାଦିକମାନଙ୍କୁ ପ୍ରଦର୍ଶିତ ସାମଗ୍ରୀ, ଐତିହାସିକ ଘଟଣାବଳୀ ଏବଂ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଐତିହ୍ୟକୁ ସଂରକ୍ଷଣ କରିବାର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ ।

ଏହି ପରିଦର୍ଶନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପାରମ୍ପାରିକ ଧାରଣା ବାହାରକୁ ଯାଇ ଛତିଶଗଡ଼ର ଆଦିବାସୀ ସଂସ୍କୃତି ଓ ଐତିହ୍ୟ, ସେମାନଙ୍କ ବିପ୍ଳବର ଇତିହାସ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ଅବିସ୍ମରଣୀୟ ଅବଦାନ ସମ୍ପର୍କରେ ଗଭୀର ଜ୍ଞାନ ହାସଲ କରିବାର ସୁଯୋଗ ପ୍ରଦାନ କରିଥିଲା ।