ନୟାପଲ୍ଲୀ ଯୋଗ ଜିଲ୍ଲା ପକ୍ଷରୁ ଭବ୍ୟ ଯୋଗ ଉତ୍ସବ ଅନୁଷ୍ଠିତ...

Sep 13, 2026 - 17:54
 3
ନୟାପଲ୍ଲୀ ଯୋଗ ଜିଲ୍ଲା ପକ୍ଷରୁ ଭବ୍ୟ ଯୋଗ ଉତ୍ସବ ଅନୁଷ୍ଠିତ...

ଯୋଗ ମାଧ୍ୟମର ସୁସ୍ଥ ଶରୀର, ଶାନ୍ତ ମନ ଓ ଶୃଙ୍ଖଳିତ ଜୀବନର ବାର୍ତ୍ତା 

ଘରେ ଘରେ ଯୋଗ, ସୁସ୍ଥ ଜୀବନର ସଂକଳ୍ପ 

ଭାରତୀୟ ଯୋଗ ସଂସ୍ଥାନ, ଓଡ଼ିଶା ପ୍ରାନ୍ତର ନୟାପଲ୍ଲୀ ଯୋଗ ଜିଲ୍ଲା ପକ୍ଷରୁ ସ୍ଥାନୀୟ ଏନ-୨ ବିଡିଏ ପାର୍କ ପରିସରରେ ଏକ ଭବ୍ୟ ଯୋଗ ଉତ୍ସବ ଆୟୋଜିତ ହୋଇଯାଇଛି ।  

ଯୋଗର ମହତ୍ତ୍ୱ, ଏହାର ଉପକାରିତା ଏବଂ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ଭାରତୀୟ ଯୋଗ ସଂସ୍ଥାନ ୧୯୬୭ ମସିହାରେ ଶ୍ରଦ୍ଧେୟ ପ୍ରକାଶ ଲାଲ ଜୀଙ୍କ ପ୍ରଚେଷ୍ଟାରେ ନୂଆଦିଲ୍ଲୀରେ ଏକ ଛୋଟ କେନ୍ଦ୍ରରୁ ଆରମ୍ଭ ହୋଇଥିଲା । 

ଏହି ସଂସ୍ଥାନ ସାରା ଦେଶରେ ୪,୫୦୦ରୁ ଊର୍ଦ୍ଧ୍ୱ ଏବଂ ଦେଶ ବାହାରେ ପ୍ରାୟ ୬୦ଟି ନିଶୁଳ୍କ କେନ୍ଦ୍ର ମାଧ୍ୟମରେ ଲୋକଙ୍କୁ ନିଃଶୁଳ୍କ ଯୋଗ ଶିକ୍ଷା ଓ ସେବା ପ୍ରଦାନ କରିଆସୁଛି । ସଂସ୍ଥାନର ମୂଳ ଲକ୍ଷ୍ୟ ହେଉଛି ଯୋଗ ମାଧ୍ୟମରେ ସୁସ୍ଥ, ଶୃଙ୍ଖଳିତ ଓ ସୁସଂସ୍କୃତ ଜୀବନଧାରାର ବିକାଶ କରିବା ।

ଯୋଗ କେବଳ ଏକ ବ୍ୟାୟାମ ନୁହେଁ; ଏହା ଏକ ଅନୁଶାସନ ଏବଂ ଶୃଙ୍ଖଳିତ ଜୀବନର ପରିଭାଷା । ଯୋଗ ଭାରତୀୟ ଐତିହ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକ ପରମ୍ପରାର ଏକ ଅନନ୍ୟ ପରିଚୟ ।

 “ବସୁଧୈବ କୁଟୁମ୍ବକମ୍”, “ସର୍ବେ ଭବନ୍ତୁ ସୁଖିନଃ” ଏବଂ “ଜିଓ ଔର ଜୀବନ ଦୋ” ଭଳି ମାନବିକତାର ବାର୍ତ୍ତାକୁ ଆଧାର କରି ଭାରତୀୟ ଯୋଗ ସଂସ୍ଥାନ ନିଜର ସେବା କାର୍ଯ୍ୟକୁ ଆଗେଇ ନେଇଆସୁଛି । ଏହି ମହତ୍ ଉଦ୍ଦେଶ୍ୟକୁ ସାକାର କରିବାରେ ଓଡ଼ିଶା ପ୍ରାନ୍ତ ଏବଂ ନୟାପଲ୍ଲୀ ଯୋଗ ଜିଲ୍ଲା ସର୍ବଦା ତତ୍ପର ରହିଛି ।

ଯୋଗ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗକୁ ଘରେ ଘରେ ପହଞ୍ଚାଇବା, ସମସ୍ତ ନାଗରିକଙ୍କୁ ଯୋଗ ପ୍ରତି ସଚେତନ କରାଇବା ଏବଂ ନୂତନ ପିଢ଼ିକୁ ଏହି ପ୍ରାଚୀନ ଭାରତୀୟ ଜ୍ଞାନ ପରମ୍ପରା ସହିତ ଯୋଡ଼ିବା । ଏହି ଉଦ୍ଦେଶ୍ୟରେ ନୟାପଲ୍ଲୀ ଯୋଗ ଜିଲ୍ଲା ପକ୍ଷରୁ ବରିଷ୍ଠ ଗୁରୁମାନଙ୍କ ତତ୍ତ୍ୱାବଧାନରେ ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

କାର୍ଯ୍ୟକ୍ରମର ପ୍ରଥମ ଦିନରେ ଏକ ସଚେତନତାମୂଳକ “ପ୍ରଭାତ ଫେରି” ଆୟୋଜିତ ହୋଇଥିଲା ।

ଏହା ଏନ-୩ ବିଡିଏ ପାର୍କରୁ ଆରମ୍ଭ ହୋଇ ଏନ -୪ ପାର୍କ ଦେଇ ଏନ -୫ ପାର୍କରେ ସମାପ୍ତ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ସାଧକ ଓ ସାଧିକା ଯୋଗଦେଇ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଯୋଗ ସମ୍ପର୍କିତ ଏକ ସକାରାତ୍ମକ ବାର୍ତ୍ତା ପହଞ୍ଚାଇଥିଲେ ।

ଦ୍ୱିତୀୟ ଦିନରେ ଏନ -୨ ବିଡିଏ ପାର୍କ ପରିସରରେ ଆୟୋଜିତ ମୁଖ୍ୟ ସମାରୋହର ଶୁଭାରମ୍ଭ ପ୍ରଦୀପ ପ୍ରଜ୍ୱଳନ ଓ ଭଜନ ପରିବେଷଣରୁ ହୋଇଥିଲା । 

ପରବର୍ତ୍ତୀ ସମୟରେ ସଂସ୍ଥାନର ଉଦ୍ଦେଶ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଯାଇଥିଲା । ଯୋଗ, ପ୍ରାଣାୟାମ, ଧ୍ୟାନ ଏବଂ ଯୋଗ ଗୀତ ମାଧ୍ୟମରେ ପୂର୍ବଦିନର “ପ୍ରଭାତ ଫେରି” ଦ୍ୱାରା ଜାଗରିତ ହୋଇଥିବା ଉତ୍ସାହକୁ ଆହୁରି ଦୃଢ଼ କରାଯାଇଥିଲା ।

ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶ୍ରୀ ରାମେୟା ରେଡ୍ଡୀ ଯୋଗଦେଇ ଯୋଗର ମହତ୍ତ୍ୱ ଓ ଏହାର ସାମାଜିକ ଉପଯୋଗିତା ସମ୍ପର୍କରେ ଉଦ୍‌ବୋଧନ ଦେଇଥିଲେ ।

କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ଭାବେ ନୟାପଲ୍ଲୀ ଯୋଗ ଜିଲ୍ଲା ପ୍ରଧାନ ଶ୍ରୀ ଜ୍ୟୋତିର୍ମୟ ରଥ, ଜିଲ୍ଲା ସଂଗଠନ ମନ୍ତ୍ରୀ ଶ୍ରୀମତୀ ମମତା ଦାଶ ଏବଂ କ୍ଷେତ୍ର ପ୍ରଧାନ ଶ୍ରୀମତୀ ଶୁଭଶ୍ରୀ ପଣ୍ଡା ଉପସ୍ଥିତ ଥିଲେ।

ଏହି ଯୋଗ ଉତ୍ସବରେ ପ୍ରାୟ ୭୦ ଜଣ ସାଧକ ଓ ସାଧିକା ଉତ୍ସାହର ସହ ଯୋଗଦେଇଥିଲେ । ସମଗ୍ର କାର୍ଯ୍ୟକ୍ରମର ମଞ୍ଚ ପରିଚାଳନାର ଦାୟିତ୍ୱ କ୍ଷେତ୍ର ସଂଗଠନ ମନ୍ତ୍ରୀ ଶ୍ରୀମତୀ ଅନିତା ନାୟକ ସୁଚାରୁ ଭାବେ ତୁଲାଇଥିଲେ ।

ସୁସ୍ଥ ଶରୀର, ଶାନ୍ତ ମନ ଓ ଶୃଙ୍ଖଳିତ ଜୀବନ ଗଠନରେ ଯୋଗର ଗୁରୁତ୍ୱକୁ ଲୋକାଭିମୁଖୀ କରିବା ସହିତ ଯୋଗକୁ ପ୍ରତ୍ୟେକ ପରିବାର ଓ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଅଂଶ କରିବା ଦିଗରେ ଏହି ଯୋଗ ଉତ୍ସବ ଏକ ସାର୍ଥକ ପ୍ରୟାସ ବୋଲି ଉପସ୍ଥିତ ସାଧକ-ସାଧିକା ଓ ଅତିଥିମାନେ ମତପ୍ରକାଶ କରିଥିଲେ ।