‘ଇଣ୍ଡିଆ ସ୍କିଲ୍ସ’ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ‘ଟିମ୍ ଓଡ଼ିଶା’ର ଶ୍ରେଷ୍ଠ ପ୍ରଦର୍ଶନ...
‘ଇଣ୍ଡିଆ ସ୍କିଲ୍ସ’ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ‘ଟିମ୍ ଓଡ଼ିଶା’ର ଶ୍ରେଷ୍ଠ ପ୍ରଦର୍ଶନ...
‘ଟିମ୍ ଓଡ଼ିଶା’କୁ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ ଟି ପଦକ
‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି।
‘ଟିମ୍ ଓଡ଼ିଶା’ ଏହି ପ୍ରତିଯୋଗିତାରେ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ଟି ପଦକ ହାସଲ କରି ଚାମ୍ପିୟନ ହୋଇଛି।
ଗ୍ରେଟର ନୋଏଡାର ‘ଇଣ୍ଡିଆ ଏକ୍ସପୋ ସେଣ୍ଟର’ଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସଫଳ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା।
‘ଇଣ୍ଡିଆ ସ୍କିଲ୍ସ’ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀଙ୍କୁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଅଭିନନ୍ଦନ ଜଣାଇଛନ୍ତି।
‘‘ଇଣ୍ଡିଆ ସ୍କିଲ୍ସ ଭଳି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ‘ଟିମ୍ ଓଡ଼ିଶା’ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଏହା ଆମ ରାଜ୍ୟ ପାଇଁ ଗୌରବର ବିଷୟ।
ଏହି ସଫଳତା ପଛରେ ଆମ ରାଜ୍ୟର ଦକ୍ଷ ପ୍ରଶିକ୍ଷଣ ପ୍ରଣାଳି, ମେଣ୍ଟରସିପ୍ ଏବଂ ବିଭିନ୍ନ ଦକ୍ଷତା ବିକାଶ କେନ୍ଦ୍ରର ଦୃଢ଼ ସହଯୋଗର ପ୍ରତିଫଳନ ଦେଖିବାକୁ ମିଳିଛି।
ଏହା ଯୁବପିଢ଼ିଙ୍କ ଦକ୍ଷତାକୁ ଆହୁରି ଶାଣିତ କରିବା ସହ ସେମାନଙ୍କୁ ଭବିଷ୍ୟତର ନେତୃତ୍ୱ ପାଇଁ ପ୍ରସ୍ତୁତ କରିବାରେ ସହାୟକ ହେଉଛି,’’ କହିଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ।
‘ଟିମ୍ ଓଡ଼ିଶା’ର ପ୍ରତିଯୋଗୀମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା।
ଏହି ଅବସରରେ ବିଭାଗୀୟ କମିଶନର ତଥା ସଚିବ ଶ୍ରୀ ଭୁପେନ୍ଦ୍ର ସିଂ ପୁନିଆ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସେହିପରି ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର ମଧ୍ୟ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ ପ୍ରତିଯୋଗିତାରେ ଓଡ଼ିଶାରୁ ୯୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।
ସେମାନଙ୍କ ମଧ୍ୟରୁ ୧୫ ଜଣ ସ୍ୱର୍ଣ୍ଣ, ୧୨ ଜଣ ରୌପ୍ୟ ଏବଂ ୧୪ ଜଣ ପ୍ରତିଯୋଗୀ ବ୍ରୋଞ୍ଜ ପଦକ ପାଇଛନ୍ତି।
ସେହିପରି ୧୬ ଜଣଙ୍କୁ ‘ମେଡାଲିୟନ୍ସ ଫର ଏକ୍ସଲେନ୍ସ‘ ପୁରସ୍କାର ପ୍ରଦାନ କରାଯାଇଛି।
ଚଳିତବର୍ଷ ନାସନାଲ ସ୍କିଲ ଡେଭଲପମେଣ୍ଟ କାଉନ୍ସିଲ (ଏନଏସଡିସି) ପକ୍ଷରୁ ‘ଇଣ୍ଡିଆ ସ୍କିଲ୍ସ’ ପ୍ରତିଯୋଗିତା ଦେଶର ୫ଟି କେନ୍ଦ୍ରରେ ଆୟୋଜନ କରାଯାଇଥିଲା।
ସେଥିରୁ ଓଡ଼ିଶା, ଗୁଜରାଟ, ତାମିଲନାଡୁ ଓ କର୍ଣ୍ଣାଟକର ଅଫସାଇଟ୍ କେନ୍ଦ୍ର ଏବଂ ଗ୍ରେଟର ନୋଏଡାରେ ଗୋଟିଏ ଅନସାଇଟ୍ କେନ୍ଦ୍ରରେ ପ୍ରତିଯୋଗିତାଗୁଡ଼ିକ ଆୟୋଜିତ ହୋଇଥିଲା।
ଦେଶର ଯୁବପିଢ଼ିଙ୍କୁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ବଡ଼ ପ୍ଲାଟଫର୍ମ ହେଉଛି ‘ଇଣ୍ଡିଆ ସ୍କିଲ୍ସ’ ପ୍ରତିଯୋଗିତା।
ଏଥିରେ ବିଶ୍ୱ ଦକ୍ଷତା କେନ୍ଦ୍ର ସହିତ ରାଜ୍ୟର ବିଭିନ୍ନ ଦକ୍ଷତା ବିକାଶ କେନ୍ଦ୍ରର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଅଭିନବ କୌଶଳ ପ୍ରଦର୍ଶନ କରିଥିଲେ।
‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ ପ୍ରତିଯୋଗିତା ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହୋଇଥିଲା।
ଏହି ୫ ଦିନିଆ ପ୍ରତିଯୋଗିତାରେ ସାରା ଭାରତର ବିଭିନ୍ନ ଦକ୍ଷତା ପ୍ରତିଷ୍ଠାନରୁ ୬୫୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
ଜୁରି ସଦସ୍ୟ ଏବଂ ୱାର୍ଲ୍ଡ ସ୍କିଲ୍ସ ବିଶେଷଜ୍ଞମାନେ ବିଭିନ୍ନ କେନ୍ଦ୍ରରେ ଲାଇଭ୍ ପ୍ରଦର୍ଶନ ମାଧ୍ୟମରେ ଅଂଶଗ୍ରହଣକାରୀମାନଙ୍କର ମୂଲ୍ୟାଙ୍କନ କରିଥିଲେ।
‘ଇଣ୍ଡିଆ ସ୍କିଲ୍ସ’ରେ କନଷ୍ଟ୍ରକ୍ସନ ଆଣ୍ଡ ବିଲ୍ଡିଂ ଟେକ୍ନୋଲୋଜି, ସାଇବର ସିକ୍ୟୁରିଟି, କ୍ରିଏଟିଭ ଆର୍ଟ ଆଣ୍ଡ ଫ୍ୟାସନ, ଇନଫରମେସନ୍ ଆଣ୍ଡ କମ୍ୟୁନିକେସନ ଟେକ୍ନୋଲୋଜି, ମୋବାଇଲ ଆପ୍ଲିକେସନ୍ ଭଳି ୫୦ଟି ସ୍କିଲରେ ଓଡ଼ିଶାର ପ୍ରତିଯୋଗୀମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିଥିଲେ।
ଏଠାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ମାସରେ ଚୀନର ସାଙ୍ଘାଇଠାରେ ହେବାକୁ ଥିବା ‘ୱାର୍ଲ୍ଡ ସ୍କିଲ୍ସ’ ପ୍ରତିଯୋଗିତାରେ ଭାଗ ନେବେ।