ଇନ୍ଦ୍ରାବତୀ କେନାଲରେ ୨୦ ଫୁଟର ଘାଇ: ଜନଜୀବନ ହନ୍ତସନ୍ତ
କଳାହାଣ୍ଡି : ସୋମବାର ଭୋର ସମୟରେ କଳାହାଣ୍ଡିସ୍ଥିତ କଲମପୁର ବ୍ଲକ ଦେପୁର ନିକଟରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ୨୦ ଫୁଟ ଘାଇ ସୃଷ୍ଟି ହୋଇଛି। ଫଳରେ ଗାଁ ଭିତରେ କେନାଲ ପାଣି ପଶିଯିବା ସହ ଲୋକଙ୍କ ଘରେ ମଧ୍ୟ ପାଣି ପଶିଯାଇଛି। ଏହି ଘାଇ ଯୋଗୁ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ସୂଚନାଯୋଗ୍ୟ ଯେ, ସୋମବାର ଭୋର ସମୟରେ ହଠାତ୍ କେନାଲରେ ଘାଇ ସୃଷ୍ଟି ହୋଇ କିଛି ସେକେଣ୍ଡ ମଧ୍ୟରେ ପାଣି ବେକ ପର୍ଯ୍ୟନ୍ତ ଚାଲିଆସିଥିଲା। ସେଥିପାଇଁ ଘରର ଆଜବେଷ୍ଟ ଭାଙ୍ଗି ଲୋକମାନେ ବାହାରକୁ ଆସିଥିଲେ। ସ୍ଥାନୀୟ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉଦ୍ଧାର କରି ଉଚ୍ଚ ସ୍ଥାନକୁ ନିଆଯାଇଥିଲା। ପାଣିରେ ଲୋକମାନଙ୍କ ଜିନିଷପତ୍ର ଭାସିଯାଇଛି। ଗାଁ ଭିତରେ ପାଣି ଚଳାଚଳ ଯୋଗୁଁ ଜୁନାଗଡ଼ ରୁ କଲମପୁର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇ ଗାଁ ରାସ୍ତାରେ ୫ ଫୁଟର ପାଣି ଚାଲିଛି। ଲୋକଙ୍କ ଘରେ ପାଣି ପଶି ଅନେକ ଆସବାବପତ୍ର ନଷ୍ଟ ହୋଇଯାଇଛି।କ୍ଷେତରେ ପାଣି ପଶିବାଯୋଗୁ ଚାଷ ନଷ୍ଟ ହୋଇ ଯାଇଛି। ତେବେ ଘଟଣାସ୍ଥଳରେ ବିଡିଓ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରି ଘାଇ ମରାମତି କାମ ଆରମ୍ଭ କରାଯାଇଥିବା ଜଣାପଡ଼ିଛି।